ପ୍ରେମିକର ଘର ଆଗରେ ପ୍ରେମିକା ବସିବା ଘଟଣା; ବିଳମ୍ବରେ ମାମଲା ରୁଜୁ ହେବା ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଜଳେଶ୍ୱର,୨୨/୫ : ନ୍ୟାୟ ପାଇବା ପାଇଁ ପ୍ରେମିକର ଘର ଆଗରେ ଧାରଣାରେ ପ୍ରେମିକାଙ୍କ ବସିବା ଓ ୫ ଦିନ ପରେ ଥାନାରେ ମାମଲା ରୁଜୁ ହେବା ଘଟଣାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଆଜି ଅପରାହ୍ନରେ ବିଜେପି ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ସୁମତି ରାଣୀ ଦେ, ଜିଲ୍ଲା ସାଧାରଣ ସମ୍ପାଦକ ସୁମତି ରଣା, ନଗର ସଭାନେତ୍ରୀ ଦେବଜାନୀ ଅଣ୍ଡିଆ, ଜିଲ୍ଲା ଉପସଭାପତି ସାବିତ୍ରୀ ଜେନା, ରଶ୍ମୀ ରେଖା ଜେନା, ଚନ୍ଦନା ଦାସ,ପଦ୍ମାବତୀ ବେହେରା, ସାରେଶ୍ୱରୀ ମାରାଣ୍ଡି, ମାଳତୀ ଲତା ଦତ୍ତ ପ୍ରମୁଖ ଯୋଗଦେଇ ଥାନା ଆଇଆଇସି ନିଜେ ଜଣେ ମହିଳା ହୋଇ ଅନ୍ୟ ଜଣେ ମହିଳାଙ୍କୁ ନ୍ୟାୟ ଦେବା ପରିବର୍ତେ ବିଳମ୍ବରେ ଅଭିଯୁକ୍ତ ସ୍ୱାମୀ ଧିରେନ ଅଣ୍ଡିଆ, ଶଶୁର ଓ ଶାଶୁଙ୍କ ବିରୋଧରେ ମାମଲା ରୁଜୁ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଥିଲେ।
ସୂଚନା ଅନୁଯାୟୀ ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡ଼ପିମ୍ପଳ ଗ୍ରାମର ରାଜକିଶୋର ଅଣ୍ଡିଆଙ୍କ ପୁଅ ଧିରେନ ଅଣ୍ଡିଆ ଦୀର୍ଘଦିନ ଧରି ରାୟଗଡା ଜିଲ୍ଲାରେ ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ।କାମ କରୁଥିବା ସମୟରେ ତାଙ୍କର ଡ଼ଙ୍ଗରମା ଗ୍ରାମର ଏକ ଯୁବତୀ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଧିରେନ ବିବାହର ପ୍ରତିଶ୍ରୁତି ଦେଇ ତା ସହିତ ଦୈହିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।ଦେହ ଭଲ ନାହିଁ ଓ ଆଉ ୬ମାସ ପରେ ବିବାହ କରିବେ ବୋଲି କହି ଧୀରେନ ଗାଁକୁ ଚାଲିଆସିଥିଲେ। ଗାଁକୁ ଆସି ସେ ସେହି ଗ୍ରାମର ଅନ୍ୟ ଏକ ଝିଅକୁ ବିବାହ କରି ଥିଲା ବେଳେ ଆଉ ରାୟଗଡା ଯାଇ ନ ଥିଲେ ।ଏହି ଖବର ପାଇବା ପରେ ପ୍ରେମିକା ଜଣକ ଗତ ୧୩ତାରିଖରେ ଝାଡ଼ପିମ୍ପଳ ଗ୍ରାମରେ ପହଂଚି ଧିରେନ ଘରେ ରାତିରେ ରହିଥିଲେ। ମାତ୍ର ଗତକାଲି ସକାଳୁ ଧିରେନ ନିଜର ଶଶୁରଙ୍କ ଘରକୁ ଉକ୍ତ ଯୁବତୀଙ୍କୁ କିଛି ନ କହି ଚାଲି ଯାଇଥିଲେ।ଫଳରେ ବାଧ୍ୟ ହୋଇ ନ୍ୟାୟ ପାଇବା ଆଶାରେ ସେହି ଯୁବତୀ ଜଣକ ପ୍ରେମିକ ଘର ଆଗରେ ଧାରଣାରେ ଗତକାଲି ଓ ଆଜି ଦୁଇ ଦିନ ଧରି ବସିଥିଲା।ମାତ୍ର ୧୫ ତାରିଖରେ ସମ୍ପୃକ୍ତ ଯୁବତୀ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତ ସ୍ୱାମୀର ପିତା ଜଣେ ଗ୍ରାମରକ୍ଷୀ ହୋଇଥିବାରୁ ପୋଲିସ ଘଟଣାର ସମାଧନ କରିବା ପାଇଁ ଉଦ୍ୟମ କରିଥିଲେ।ଏପରିକି ମାମଲା ରୁଜୁ କରିବା ବଦଳରେ ଗତ ୧୯ ତାରିଖରେ ଜଣେ ପୁରୁଷ କନେଷ୍ଟବଳ ସହିତ ଉକ୍ତ ଯୁବତୀଙ୍କୁ ରାତି ୧୨ ଟା ସମୟରେ ଜଳେଶ୍ୱର ଷ୍ଟେସନରେ ଛାଡ଼ିବା ପାଇଁ ପଠାଇଥିଲେ।ଏହି ଘଟଣା ପାଇଁ ମହିଳା ମୋର୍ଚ୍ଚା ପକ୍ଷରୁ ଆଗାମୀ ଦିନରେ ସେମାନେ ଥାନା ଘେରାଓ କରାଯିବ ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି।