କୋଣାର୍କ,୨୬।୧୧(ଆପ୍ର) :  କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପକ୍ଷରୁ ପ୍ୟାକେଜ ଟୁର ବ୍ୟବସ୍ଥା କରାଯାଇଛି। ଆସନ୍ତା ଡ଼ିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ୩୫ତମ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ।

ମୁକ୍ତାକାଶ ରଙ୍ଗମଞ୍ଚରେ ଦେଶବିଦେଶର ଆନ୍ତର୍ଜାତିୟ ଖ୍ୟାତିସମ୍ପନ୍ନ କଳାକାରମାନଙ୍କ ଦ୍ବାରା ପ୍ରତ୍ୟହ ସନ୍ଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯିବ।  ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ବାଲୁକା କଳା ଉତ୍ସବ ପ୍ରତ୍ୟେହ ଦିବା ୧୦ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ଉତ୍ସବ ଉପଲକ୍ଷେ ପର୍ଯ୍ୟଟକଙ୍କ ପାଇଁ ପାଞ୍ଚ ଦିନ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସୋ ବନ୍ଦ ରହିବ।

 ଉତ୍ସବ ସମୟରେ ଦୈନିକ ଭୁବନେଶ୍ୱର ଓ ପୁରୀରୁ ସ୍ବତନ୍ତ୍ର ଏସି ବସ ଚାଲିବ। ଏହି ବସ୍ ଅପରାହ୍ନ ୨.୩୦ରୁ ବାହାରି ରାତି ୧୧ଟାରେ ଫେରିବ। ଦିନିକିଆ ଟୁରରେ ଭୁବନେଶ୍ୱରରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର , ଚନ୍ଦ୍ରଭାଗା ବେଳାଭୂମି ,ବାଲୁକା କଳା ଉତ୍ସବ, କୋଣାର୍କ ଉତ୍ସବ ନିମନ୍ତେ ଜଣକ ପିଛା ୧୭୭୦ଟଙ୍କା ରହିଛି। ପୁରୀରୁ କୋଣାର୍କ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର, ବାଲୁକା କଳା ଉତ୍ସବ, କୋଣାର୍କ ଉତ୍ସବ ନିମନ୍ତେ ଜଣକ ପ୍ରତି ୧୫୧୦ଟଙ୍କା ରହିଥିବା କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ସୂଚନା ଦେଇଛନ୍ତି ।