ନୂଆଦିଲ୍ଲୀ,୨୦/୧୧ : ଅଷ୍ଟ୍ରିଆର ପ୍ରସିଦ୍ଧ ଚିତ୍ରକର ଗୁସ୍ତଭ କ୍ଲିମ୍ଟଙ୍କର ଏକ ରହସ୍ୟମୟ ଓ ଅଜଣା ଚିତ୍ରକଳା ଅଦ୍ୟାବଧି ନିଲାମ ହୋଇଥିବା ବିଶ୍ୱର ସବୁଠୁ ମହଙ୍ଗା ଆଧୁନିକ କଳାକୃତିର ମାନ୍ୟତା ପାଇଛି । ସେତିକି ନୁହେଁ, ସୋଥବାଇଜ୍ ଦ୍ୱାରା ନିଲାମ ହୋଇଥିବା ସବୁଠୁ ମହଙ୍ଗା ଚିତ୍ରକଳା ମଧ୍ୟ ହୋଇଛି । ଏକ ଜଟିଳ କାନ୍ଭାସ୍ ଉପରେ କ୍ଲିମ୍ଟ ଏଲିଜାବେଥ୍ ଲେଡରର୍ଙ୍କ ପୂର୍ଣ୍ଣାଙ୍ଗ ଛବିକୁ ଅତି ନିଖୁଣ ଭାବେ ଆଙ୍କିଛନ୍ତି । ଲେଡେରର୍ କ୍ଲିମ୍ଟଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତିଙ୍କ ଝିଅ ଥିଲେ ।
ଗତ ମଙ୍ଗଳବାର ନ୍ୟୁୟର୍କର ସୋଥ୍ବାଇଜ୍ ନିଲାମଗୃହରେ କଳାକୃତିଟି ୨୩୬.୪ ମିଲିଅନ ଡଲାର ଅର୍ଥାତ୍ ୨୦୮୯ କୋଟିରେ ବିକ୍ରି ହୋଇଛି । ୨୦ ମିନିଟ୍ରେ ବୋଲୀର ଜଣେ କ୍ରେତା ଏହାକୁ କିଣିଛନ୍ତି । କ୍ଲିମ୍ଟଙ୍କ ୧୯୧୭-୧୮ ମସିହାର ଲେଡି ୱିଥ୍ ଏ ଫ୍ୟାନ୍ ନାମକ କଳାକୃତି ୨୦୨୩ରେ ଲଣ୍ଡନଠାରେ ୧୦.୮ କୋଟି ଡଲାରରେ ନିଲାମ ହୋଇଥିଲା । ଯାହା ୟୁରୋପରେ ନିଲାମ ହୋଇଥିବା ସବୁଠୁ ମହଙ୍ଗା ଚିତ୍ରକଳାର ମାନ୍ୟତା ପାଇଥିଲା । ଏବେ ଏଲିଜାବେଥ୍ ଲେଡରର୍ଙ୍କ ଚିତ୍ରକଳା ସେହି ରେକର୍ଡକୁ ଭାଙ୍ଗିଛି । ଏହାର ବିକ୍ରୟ ମୂଲ୍ୟ ୨୦୨୨ରେ ରେକର୍ଡ ୧୯.୫ କୋଟି ଡଲାରରେ ନିଲାମ ହୋଇଥିବା ଆଣ୍ଡି ୱାର୍ହୋଲଙ୍କ ବିଂଶ ଶତାବ୍ଦୀର ‘ଶଟ୍ ସେଜ୍ ବ୍ଲୁ ମାରିଲିନ୍’ ଶୀର୍ଷକ ମାରିଲିନ ମୁନ୍ରୋଙ୍କ ଚିତ୍ରକଳାକୁ ପଛରେ ପକାଇଛି ।
ସୂଚନାଯୋଗ୍ୟ, ନିଲାମରେ ଅଦ୍ୟାବଧି ବିକ୍ରି ହୋଇଥିବା ସବୁଠୁ ମହଙ୍ଗା ଚିତ୍ରକଳା ହେଉଛି ଲିଓନାର୍ଡୋ ଡା ଭିନ୍ଚିଙ୍କ ‘ସାଲ୍ଭାଟର ମୁଣ୍ଡି’ । ଖ୍ରିଷ୍ଟୀ ନିଲାମଗୃହର ୱେବ୍ସାଇଟ୍ ଅନୁସାରେ, ଏଇଟି ୨୦୧୭ରେ ୪୫ କୋଟି ଡଲାରରେ ବିକ୍ରି ହୋଇଥିଲା । ସୋଥ୍ବାଇଜ୍ ନିଜର ଔପଚାରିକ ଏକ୍ସ ପ୍ଲାଟ୍ଫର୍ମରେ କ୍ଲିମ୍ଟଙ୍କ ଚିତ୍ରକଳାର ନିଲାମ ମୂଲ୍ୟକୁ ଆଶ୍ଚର୍ଯ୍ୟଜନକ ବୋଲି ଉଲ୍ଲେଖ କରିଛି । ଚିତ୍ରକଳାକୁ କ୍ଲିମ୍ଟ ୧୯୧୪- ୧୯୧୬ ମସିହା ମଧ୍ୟରେ ଆଙ୍କିଥିଲେ । ପୂର୍ବ ଏସୀୟ ସମ୍ରାଟଙ୍କ କୋଟ୍ ପିନ୍ଧିଥିବା ଭିଏନାର ଅନ୍ୟତମ ସବୁଠୁ ଧନୀ ପରିବାରର ଝିଅଙ୍କ ଚିତ୍ର ଏଥିରେ ସ୍ଥାନ ପାଇଛି । ୬ ଫୁଟର ଏହି ରଙ୍ଗୀନ୍ ଚିତ୍ରକଳା ୧୯୧୬ ମସିହାରେ ଶେଷ ହୋଇଥିଲା । ୧୯୩୮ରେ ନାଜିଙ୍କ ଦ୍ୱାରା ଅଷ୍ଟ୍ରିଆକୁ କବ୍ଜା କରିବା ପୂର୍ବରୁ ଲେଡେରର୍ ପରିବାରର ବିଳାସପୂର୍ଣ୍ଣ ଜୀବନକୁ ଏହା ଦର୍ଶାଇଛି । ଅଷ୍ଟ୍ରିଆର ଏକ ମହଲରେ ନିଆଁ ଲାଗି ଜଳିଯାଇଥିବା କ୍ଲିମ୍ଟଙ୍କ ଚିତ୍ରକଳାଗୁଡ଼ିକଠୁ ଏହାକୁ ଅଲଗା ରଖାଯାଇଥିଲା । ଲେଡରର୍ କଳା ସଂଗ୍ରହକୁ ଲୁଟି ନେଇଥିବା ନାଜିଙ୍କ ନଜର ଆଢୁଆଳରେ ଏହା ରହିଯାଇଥିଲା । କାନାଡା ନ୍ୟାସନାଲ ଗ୍ୟାଲେରି ଅନୁସାରେ, ସେମାନେ ଏହାକୁ ମାମୂଲି ମନେକରି ଛାଡ଼ିଦେଇଥିଲେ । କେବଳ ପାରିବାରିକ ଚିତ୍ରକଳାଗୁଡ଼ିକୁ ଛାଡ଼ି ଅନ୍ୟସବୁ ଲୁଟି ନେଇଥିଲେ ।