ରେଳଷ୍ଟେସନ କାର୍ଯ୍ୟର ତଦାରଖ କଲେ ସାଂସଦ

ନୀଳଗିରି,୩/୧୨(ଆ.ପ୍ର)ବାଲେଶ୍ଵର ଜିଲ୍ଲା ନୀଳଗିରି ଗୋପୀନାଥପୁର ଅଞ୍ଚଳରେ ନୂତନ ରେଳଷ୍ଟେସନ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଶନିବାର ସାଂସଦ ପ୍ରତାପ ଷଡ଼ଙ୍ଗୀ ଅଚାନକ ପରିଦର୍ଶନ କରିଛନ୍ତି। କିଛି କାର୍ଯ୍ୟକୁ ନେଇ ସେ ଠିକାଦାର ଓ ଯନ୍ତ୍ରୀଙ୍କୁ ତାଗିଦ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ ନୀଳଗିରି ଅଞ୍ଚଳକୁ ଏକ ପାସେଞ୍ଜର ଟ୍ରେନ ଚାଲିବା ନେଇ ଅଞ୍ଚଳବାସୀଙ୍କ ସ୍ୱପ୍ନକୁ ସାଂସଦ ପ୍ରତାପ ଷଡ଼ଙ୍ଗୀ ପୂରଣ କରିଥିଲେ।ବାରମ୍ବାର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଶେଷରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗ୍ରୀନ ସିଗନାଲ ଦେବା ପରେ ସେ ନିଜେ ଓ ସାଂସଦ ଶ୍ରୀ ଷଡ଼ଙ୍ଗୀ ଶିଳାନ୍ୟାସ କରିଥିଲେ। ଗୋପୀନାଥପୁର ଠାରେ ନୂତନ ରେଳଷ୍ଟେସନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ନୂତନ ଡିଆରଏମ ଯୋଗଦାନ ପରେ ସେ ସାଂସଦ ଙ୍କ ସହ ପୂର୍ବରୁ ଆସି କାର୍ଯ୍ୟ ଗୁଡିକ ଦେଖି ନିମ୍ନମାନର ହେଲେ ଭାଙ୍ଗି ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ହେଲେ ଯଥା ପୁର୍ବଂ ତଥା ପରଙ୍ଗ ଭଳି ସେହି ସମାନ ଅବସ୍ଥା ହୋଇଥିଲା। ରେଳ ପ୍ଲାଟଫର୍ମ ରେ ଫାଟ ପଡିବା ସହ ସିମେଣ୍ଟ କାର୍ଯ୍ୟରେ ପାଣି ଦିଆ ଯାଉନଥିବାରୁ ଅଞ୍ଚଳବାସୀ ସାଂସଦଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଶ୍ରୀ ଷଡ଼ଙ୍ଗୀ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ସହ ରେଳଷ୍ଟେସନ ଯାଇ କାର୍ଯ୍ୟର ତଦାରଖ କରିଥିଲେ। ତାଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଙ୍କ ସମେତ ଅଞ୍ଚଳବାସୀ,ଠିକାଦାର ଉପସ୍ଥିତ ଥିଲେ। କିଛି ରାସ୍ତା ଆଗକୁ ସମ୍ପ୍ରସାରଣ ପାଇଁ କହିଥିବା ବେଳେ କାର୍ଯ୍ୟରେ ପାଣି ଦିଆଯାଉନଥିବାରୁ ଗଭୀର ଉଦବେଗ ପ୍ରକାଶ କରିଥିଲେ। ନିର୍ମାଣ ଚାଲୁଥିବା ପ୍ଲାଟଫର୍ମରେ ଫାଟ ପଡ଼ୁଥିବାରୁ ଠିକାଦାର ଓ ଯନ୍ତ୍ରୀଙ୍କୁ ତାଗିଦ କରିଥିଲେ । ସଠିକ କାର୍ଯ୍ୟ ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚରମ ଚେତାବନୀ ଦେଇଛନ୍ତି।