ସୁଦର୍ଶନପୁରରେ ବଢୁଛି କିଡ଼ନୀ ରୋଗୀଙ୍କ ସଂଖ୍ୟା

ତିଗିରିଆ – କଟକ ଜିଲ୍ଲା ତିଗିରିଆ ବ୍ଳକ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମରେ ବଂଶାନୁକ୍ରମେ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମରେ ଗତ ୨୦୧୨ ମସିହା ପର ଠାରୁ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କର କିଡନୀ ରୋଗରେ ମୃତ୍ୟୁ ହୋଇଥିବା ବେଳେ ଏବେ ଆହୁରି ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ସ୍ଥାନୀୟ ଜନସାଧାରଣଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।
ଗ୍ରାମଟି ସୋରିଷପାଳ ଜଙ୍ଗଲର ଏକ ପାହାଡ଼ ଶଯ୍ୟାରେ ରହିଥିବା ବେଳେ ଏହାର ଲୋକ ସଂଖ୍ୟା ପ୍ରାୟ ୫ଶହରୁ ଉର୍ଦ୍ଧ୍ବ ହେବ । ଗ୍ରାମର ୯୦ ଭାଗ ଲୋକ ଚାଷୀ କାମ ଚଳନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ପ୍ରାୟ ୩୫ରୁ ୪୫ ବର୍ଷ ପରର ଲୋକେ ଏହି କିଡନୀ ରୋଗରେ ବିଶେଷ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗ୍ରାମରେ ପାନୀୟ ଜଳ ପାଇଁ ରହିଥିବା ବସୁଧା ଜଳ ପ୍ରକଳ୍ପ ହେଉ କି ନଳକୂପ ସବୁଥିରେ ଅତ୍ୟଧିକ ମାତ୍ରାରେ ଲୌହ ଯୁକ୍ତ ଜଳ ମିଳୁଛି l ଏହାକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରି ଆସୁଛନ୍ତି ।

ତେବେ ଏହି ରୋଗ କାରଣରୁ କେବଳ ଜଳ ନା ଅନ୍ୟ କିଛି କାରଣ ରହିଛି ତାହାକୁ ନେଇ ଲୋକେ ସନ୍ଦିହାନ ଅବସ୍ଥାରେ ରହିଛନ୍ତି । ଏବେ ଗରିବ ଚାଷୀ ବର୍ଗର ଏଠାକାର ଅଧିବାସୀ ଏହି ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ବାବଦରେ ଦୀର୍ଘ ମିଆଦରେ ଅର୍ଥ ଶ୍ରାଦ୍ଧ କରି ଆର୍ଥିକ ଦୁଃପରିସ୍ଥିତିରେ ପଡ଼ି ଚାଲିଛନ୍ତି । ଅନେକ ଶେଷରେ ପ୍ରାଣ ହାରୁଛନ୍ତି । ଗତ ପ୍ରାୟ ଦୁଇ ବର୍ଷ ତଳେ ଆଇସିଏମଆର ପକ୍ଷରୁ ଏକ ଦଳ ଗ୍ରାମକୁ ଆସି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ ମଧ୍ୟ ତାହାର କୌଣସି ନିଷ୍କର୍ଷ ସ୍ଥାନୀୟ ଲୋକେ ପାଇନଥିବା ଲୋକେ କହିଛନ୍ତି ।
କେବଳ ସୁଦର୍ଶନପୁର ନୁହେଁ ଉକ୍ତ ପାଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ଶେଷଗାଁ ଏଵଂ ତେନ୍ତୁଳିରଗଡ଼ିରେ ମଧ୍ଯ ଅନେକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିବା ଅଭିଯୋଗ ହେଉଛି । ତେବେ ଏହି ରୋଗରେ ସଂଖ୍ୟାଧିକ ଭାବେ ଲୋକେ ଆକ୍ରାନ୍ତ ହେବାର କାରଣ ଖୋଜିବା ସହିତ ଏହାର ନିରାକରଣ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ସ୍ଥାନୀୟ ଜନ ସାଧାରଣ ଓ ନେତୃ ସ୍ଥାନୀୟ ବ୍ୟକ୍ତିବିଶେଷ ଦାବି କରିଛନ୍ତି । ତିଗିରିଆ ବ୍ଲକରେ କାର୍ଯ୍ୟକ୍ଷମ ଥିବା ଗ୍ରାମୀଣ ଆଦର୍ଶ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର ମଧ୍ୟ ଏ ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନ ପ୍ରତିନିଧିମାନେ ମତ ପ୍ରକାଶ କରିଛନ୍ତି ।

ତିଗିରିଆ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏତେ କମ ଜନସଂଖ୍ୟା ବିଶିଷ୍ଟ ସୁଦର୍ଶନପୁର ଗ୍ରାମରେ ତୁଳନାତ୍ମକ ଭାବେ କିଡ଼ନୀ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ଏବଂ ଏବେ ବିଭାଗ ପକ୍ଷରୁ ରୋଗୀ ଚିହ୍ନଟ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଛି । ଏହା ପରେ ରୋଗକୁ ନେଇ ଏହାର କାରଣ ଓ ପ୍ରତିକାର ଦିଗରେ ଅନୁସନ୍ଧାନ କରାଯିବ ବୋଲି ଜଣାପଡିଛି ।