ବୁଢ଼ୀଖମାରୀକୁ ଆମେରିକୀୟ ମାନବ ବିଜ୍ଞାନୀ, ନୀତି ଗବେଷକ ମାର୍କ ପୋଫେନବର୍ଗର ତାଙ୍କର ଦକ୍ଷିଣ ଏସିଆର ସଫଳ ଜଙ୍ଗଲ ପରିଚାଳନାର ବିଶିଷ୍ଟ ମାମଲାର ବିସ୍ତୃତ ଅଧ୍ୟୟନରେ ମଧ୍ୟ ସାମିଲ କରିଛନ୍ତି । ଏଥିସହ ଆହୁରି ଅନେକ ଗବେଷକ ମଧ୍ୟ ଏଠାକୁ ଯାଇ ବିଭିନ୍ନ ଦୃଷ୍ଟିକୋଣରେ ଅନୁଧ୍ୟାନ କରିଛନ୍ତି, ତନ୍ମଧ୍ୟରେ ଏହି ଲେଖକ ଅନ୍ୟତମ ।

ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ, ଯେତେବେଳେ ଜାଣିବେ ଯେ ଆମ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ବାରିପଦା ନିକଟସ୍ଥ ବୁଢ଼ୀଖମାରୀ ଗ୍ରାମ କେବଳ ଭାରତରେ ନୁହଁ, ଦକ୍ଷିଣ-ପୂର୍ବ ଏସିଆରେ ଏକ ସୁସ୍ଥ ଜଙ୍ଗଲ ପରିଚାଳନାର ଉଦାହରଣ ଏବଂ ଆମ ଦେଶର ଆଜିର ଜଙ୍ଗଲ ପରିଚାଳନା ନୀତିର ଆତ୍ମା ମଧ୍ୟ । ଏହା ଅବିଶ୍ୱାସ୍ୟ ହେଲେ ବି ସତ୍ୟ । ବୁଢ଼ୀଖମାରୀକୁ ଆମେରିକୀୟ ମାନବ ବିଜ୍ଞାନୀ, ନୀତି ଗବେଷକ ମାର୍କ ପୋଫେନବର୍ଗର ତାଙ୍କର ଦକ୍ଷିଣ ଏସିଆର ସଫଳ ଜଙ୍ଗଲ ପରିଚାଳନାର ବିଶିଷ୍ଟ ମାମଲାର ବିସ୍ତୃତ ଅଧ୍ୟୟନରେ ମଧ୍ୟ ସାମିଲ କରିଛନ୍ତି । ଏଥିସହ ଆହୁରି ଅନେକ ଗବେଷକ ମଧ୍ୟ ଏଠାକୁ ଯାଇ ବିଭିନ୍ନ ଦୃଷ୍ଟିକୋଣରେ ଅନୁଧ୍ୟାନ କରିଛନ୍ତି, ତନ୍ମଧ୍ୟରେ ଏହି ଲେଖକ ଅନ୍ୟତମ ।

ମୟୂରଭଞ୍ଜରେ ଗଡ଼ଜାତ ସମୟରେ ସ୍ଥାନୀୟ ପାରମ୍ପରିକ ନିୟମ ଅନୁଯାୟୀ ବିକେନ୍ଦ୍ରୀଭୂତ ଭାବରେ ଜଙ୍ଗଲର ପରିଚାଳନା ହେଉଥିଲା । ପରେ ବ୍ରିଟିଶର କେନ୍ଦ୍ରୀଭୂତ ନିୟମ ସହ ସ୍ୱାଧୀନ ଭାରତରେ ମଧ୍ୟ ବ୍ରିଟିଶରଙ୍କ ପଦ୍ଧତି ଅନୁସୃତ ହେଲା । ବ୍ରିଟିଶ ସମୟରେ ମୟୂରଭଞ୍ଜର ତାଳବନ୍ଧରୁ ବାରିପଦା ଦେଇ ରୁପ୍‌ସା ରୋଡ୍‌ ପର୍ଯ୍ୟନ୍ତ ୧୯୨୧ ମସିହା ସୁଦ୍ଧା ରେଳଲାଇନ ନିର୍ମାଣ ସାରିବା ନିମନ୍ତେ ପାଖ ଶାଳ ଜଙ୍ଗଲ କାଟିବାକୁ ହେଲା । ପରେ ବାରିପଦା ସହରର ଅଭିବୃଦ୍ଧି ନିମନ୍ତେ କାଠ କାରଖାନାଗୁଡ଼ିକର ସ୍ଥାପନା, ସେଥିପାଇଁ ବେଆଇନ କାଠକଟା ତଥା ଚୋରାଚାଲାଣ ସ୍ଥାନୀୟ ଜଙ୍ଗଲ ଉପରେ ଅଜସ୍ର ଚାପ ପକେଇଲା ଏବଂ ତନ୍ମଧ୍ୟରୁ ବୁଢ଼ୀଖମାରୀ ଜଙ୍ଗଲ ଅନ୍ୟତମ । ତା' ସହ ମାଟି ଟାଇଲ କାରଖାନା, କୁମ୍ଭାରଙ୍କ ମାଟିକାମ, ମଦଭାଟି ମଧ୍ୟ ଏହା ସହ ଯୋଡ଼ି ହୋଇଗଲେ । ପରିଣାମସ୍ୱରୂପ, ପରମ୍ପରାରେ ସୁରକ୍ଷିତ ଦେବତୁଲ୍ୟ ଜଙ୍ଗଲ ସମୟକ୍ରମେ ବସ୍ତୁବାଦ ଢାଞ୍ଚାରେ ପଡ଼ି ଛାରଖାର ହେଇଗଲା । ଫଳରେ କାଠ, ଜାଳେଣି, ଗୋ-ଚାରଣ, ଲଘୁ ବନଜାତ ଦ୍ରବ୍ୟ, ଜଳ ଆଦିର ଅଭାବ ଏବଂ ପରିଶେଷରେ ଜଙ୍ଗଲ ସମ୍ବନ୍ଧୀୟ ବିଭିନ୍ନ ଦ୍ୱନ୍ଦ୍ୱ ମଧ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟା ୧୯୫୨ ମସିହାରୁ ୧୯୭୨ ପର୍ଯ୍ୟନ୍ତ ଚରମ ସୀମାରେ ଥିଲା । ସ୍ଥାନୀୟ ଅଧିବାସୀଙ୍କ ଏଥିନିମନ୍ତେ ବିଭିନ୍ନ ଅଧିକାରୀଙ୍କ ନିକଟରେ କାକୁତି ମିନତି ନିଷ୍ଫଳ ହୋଇଥିଲା ।

ଫଳସ୍ୱରୂପ, ଗାଁ ଲୋକମାନେ ନିଜେ ପାରମ୍ପରିକ ନୀତିରେ ଜଙ୍ଗଲ ସୁରକ୍ଷା ୧୯୬୨ ମସିହାରୁ ଆରମ୍ଭ କଲେ । ପ୍ରଥମେ ବଡ଼ଶାଳ ଗାଁର ଲୋକେ ନିଜ ଘରପାଖରେ ଥିବା ଶାଳ ଆଉ ମହୁଲ ଗଛକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ସୁରକ୍ଷା ଦେଲେ । ଏହି ପ୍ରକ୍ରିୟା ଅନ୍ୟ ଗାଁକୁ ମଧ୍ୟ ବ୍ୟାପିଥିଲା । ୧୯୮୩ ମସିହା ପର୍ଯ୍ୟନ୍ତ ୫ଖଣ୍ଡ ଗାଁ ଅବୈତନିକ ଠେଙ୍ଗାପାଳି ମାଧ୍ୟମରେ ଜଙ୍ଗଲ ଜଗିଥିଲେ । କାଠଚୋରମାନେ ଗୋଟିଏ ଗାଁର ପ୍ରତିରୋଧରେ ଅନ୍ୟ ଗାଁରେ ଯାଇ ପହଞ୍ଚିଲେ । ଗାଁ ଲୋକଙ୍କ ସହ କାଠଚୋରଙ୍କ ଗଣ୍ଡଗୋଳ ମକଦ୍ଦମା ପର୍ଯ୍ୟନ୍ତ ଯାଇଥିଲା । ତେଣୁ ଏକ ସୁଚାରୁ ଜଙ୍ଗଲ ପରିଚାଳନା ନିମନ୍ତେ ୫ଖଣ୍ଡ ଗାଁକୁ ମିଳିତ ଉଦ୍ୟମରେ ଏକାଠି ଜଙ୍ଗଲ ଜଗିବାକୁ ପଡ଼ିଲା, ତଥା ୧୯୮୬ ମସିହାରେ ଏକ ଯୁଗ୍ମ କମିଟି ଆରମ୍ଭ ହେଲା ଏବଂ ୧୯୮୮ ମସିହାରେ ମଞ୍ଚାବନ୍ଧା ଓ ବୁଢ଼ୀଖମାରୀ ଗ୍ରାମ ସହ ସମୁଦାୟ ୨୦ଟି ଗ୍ରାମ ମଧ୍ୟ ଏଥିରେ ସାମିଲ ହେଲେ । ସେହି ବର୍ଷରେ ଜଙ୍ଗଲ ସୁରକ୍ଷା ସଚେତନତା ୧୦୦ଜଣ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବୁଢ଼ୀଖମାରୀର ସ୍ୱର୍ଗତ ଗୋରାଚାନ୍ଦ ମହାନ୍ତଙ୍କ ନେତୃତ୍ୱରେ ଆରମ୍ଭ ହେଲା । ତଥାପି କାଠଚୋରଙ୍କ ସହ ଦ୍ୱନ୍ଦ୍ୱର ସମାପ୍ତି ହେଇନଥିଲା ଏବଂ ବନ ବିଭାଗ ପାଖକୁ କଥା ଯାଆନ୍ତେ, ୧୯୯୧ ମସିହାରେ ବନ ବିଭାଗ ନିଜ ସମ୍ପୂର୍ଣ୍ଣ ସହାୟତା ସ୍ୱରୂପ ମହିଳାଙ୍କ ସାମିଲ ସହ ୩୦୦ ପରିଚୟପତ୍ର ତତ୍କାଳୀନ ବାରିପଦା ବନଖଣ୍ଡ ଅଧିକାରୀ ଡ. ଦେବବ୍ରତ ସ୍ୱାଇଁଙ୍କ ଦ୍ୱାରା ବିଭାଗୀୟ ପ୍ରତିନିଧି ହିସାବରେ ପ୍ରଦାନ କରାଯାଇଥିଲା ଏବଂ ଏହା ଜଙ୍ଗଲ ସୁରକ୍ଷାରେ ଅନେକ ସଫଳତା ଆଣିଦେଇଥିଲା ।

ଗ୍ରାମ ସ୍ତରରେ ତତ୍କାଳୀନ ପିଠାବଟା ବନ ରେଞ୍ଜର ସ୍ୱର୍ଗତ କେ. ସି. ମିଶ୍ର ଲୋକଙ୍କୁ ଜଙ୍ଗଲର ସୁରକ୍ଷା ପାଇଁ ଏକାଠି କରିବା ଦାୟିତ୍ୱ ବହୁଳ ଭାବରେ ନିଭେଇଥିଲେ । ଏହା ଭାରତର ଗୋଟିଏ ସଫଳ ଯୁଗ୍ମ ଜଙ୍ଗଲ ପରିଚାଳନା ରୂପେ ଫଳପ୍ରସୂ ଢାଞ୍ଚା ହୋଇପାରିଥିଲା । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ରାଜ୍ୟର ଦକ୍ଷିଣ ମେଦିନୀପୁର ବନଖଣ୍ଡରେ ବୋଧହୁଏ ଓଡ଼ିଶାର ବଡ଼ଶାଳ ଗ୍ରାମବାସୀଙ୍କ ଦ୍ୱାରା ୧୯୬୨ ମସିହାର ସଫଳ ଜଙ୍ଗଲ ସୁରକ୍ଷାକୁ ଅନୁଭବ କରି ୧୯୭୧-୭୨ ମସିହାରେ ତତ୍କାଳୀନ ବନଖଣ୍ଡ ଅଧିକାରୀ ଅଜିତ କୁମାର ବାନାର୍ଜୀ ମଧ୍ୟ ଆରାବାଡ଼ି ଜଙ୍ଗଲରେ ଗୋଟିଏ ପରୀକ୍ଷଣ ଆରମ୍ଭ କରିଥିଲେ । ଓଡ଼ିଶା ବନ ବିଭାଗ ପ୍ରଥମେ ପ୍ରତିପାଦନ କରିଥିଲେ ଯେ, ସଫଳ ଜଙ୍ଗଲ ପରିଚାଳନା ପାଇଁ ଗ୍ରାମବାସୀଙ୍କ ସହାୟତା ଏକାନ୍ତ ଆବଶ୍ୟକ । ଏହା ତତ୍କାଳୀନ ଜଙ୍ଗଲ ସୁରକ୍ଷା ବିଷୟରେ ବିଭିନ୍ନ ବୈଠକରେ ଗୁରୁତର ସହ ଆଲୋଚନା ହାଇଥିଲା ଏବଂ ‘ଜାତୀୟ ବନ ନୀତି ୧୯୮୮’ରେ ଏହାକୁ ଗ୍ରହଣ ମଧ୍ୟ କରାଗଲା । ପରିଣାମରେ, ଜାତୀୟ ସ୍ତରର ଯୁଗ୍ମ ଜଙ୍ଗଲ ପରିଚାଳନା ପ୍ରସ୍ତାବ- ୧୯୯୦ ଜାରି ହେଲା, ଯଦ୍ଦ୍ୱାରା ଆଜି ବି ଯୁଗ୍ମଭାବେ ଅର୍ଥାତ୍‌ ବନ ବିଭାଗ ଓ ଗ୍ରାମଗୋଷ୍ଠୀମାନଙ୍କ ଦ୍ୱାରା ଦେଶରେ ବନ ପରିଚାଳନା କରାହେଉଅଛି ।

ଏଠାରେ ଏହା ମଧ୍ୟ ସୂଚନାଯୋଗ୍ୟ, ବୁଢ଼ୀଖମାରୀର ଜଙ୍ଗଲ ସୁରକ୍ଷାର ପରୀକ୍ଷଣ ଏବଂ ଆରାବାଡ଼ିର ପରୀକ୍ଷଣ ମଧ୍ୟ ଅନେକ ପ୍ରଭେଦ ରହିଛି ଏବଂ ବୁଢ଼ୀଖମାରୀକୁ ଆଜିବି ଗ୍ରାମବାସୀଙ୍କ ଅବଦାନ ସ୍ୱରୂପ ବେଶି ସଫଳତାର ଶ୍ରେୟ ଦିଆଯାଏ । ୧୯୯୦ ମସିହାରେ ବୁଢ଼ୀଖମାରୀରେ ଏକ ଯୁଗ୍ମ କମିଟି ଗଠନ କରାଯାଇଥିଲା ଏବଂ ଗ୍ରାମ ଠାକୁରାଣୀ ବୁଢ଼ୀଖମାରୀଙ୍କୁ ସାକ୍ଷୀ ରଖି ନାମକରଣ କରାଗଲା । ପ୍ରତ୍ୟେକ ଗ୍ରାମରେ ମଧ୍ୟ ଜଙ୍ଗଲ ସୁରକ୍ଷା ନିମନ୍ତେ କମିଟି ଗଠନ କରାଗଲା । ପ୍ରତ୍ୟେକ କମିଟି ନିଜ ପରମ୍ପରା ଅନୁଯାୟୀ ନିୟମ ପାଳନ କଲେ । ୧୯୯୦ ଦଶକରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୟୂରଭଞ୍ଜ ସ୍ୱେଚ୍ଛାସେବୀ ସାମ୍ମୁଖ୍ୟ ଏଥିରେ ସହାୟତା ମଧ୍ୟ କରିଲା । ୧୯୯୮ ମସିହା ସୁଦ୍ଧା ଏହି ଯୁଗ୍ମ କମିଟି ୯୫ଟି ଗାଁରେ ସମୁଦାୟ ୩,୧୪୭ ହେକ୍ଟର ଜଙ୍ଗଲ ଜଗାରଖା କରୁଥିଲା । ୨୦୦୭ରୁ ୨୦୧୦ ମସିହାରେ ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମର ପରିବେଶ ସମ୍ବନ୍ଧରେ ଏକ ପ୍ରକଳ୍ପରେ ଏଠାରେ ଜଙ୍ଗଲର ଉନ୍ନତି ଉପରେ ବୁଢ଼ୀଖମାରୀ ଯୁଗ୍ମ କମିଟିର ୮ଟି ଜଙ୍ଗଲରେ ସର୍ବେକ୍ଷଣ ହୋଇଥିଲା, ଯେଉଁଥିରେ ମୁଁ ମଧ୍ୟ ଥିଲି । ସର୍ବେକ୍ଷଣ ଅନୁଯାୟୀ ୫ଟି ଜଙ୍ଗଲରେ ବୈଜ୍ଞାନିକ ପରିଚାଳନା ଠାରୁ ହେକ୍ଟର ପିଛା ଅଧିକ ଗଛ ସଂଖ୍ୟା ସହ, କାଠ ହିସାବରେ ଭଲ ଜଙ୍ଗଲ ସୃଷ୍ଟି ହୋଇପାରିଥିଲା । ସେହିପରି ପ୍ରତ୍ୟେକ ଗଛର ଚାରା ଗଛ ମଧ୍ୟ ଉଚିତ ପରିମାଣରେ ବଢ଼ି ଜଙ୍ଗଲର ଚିରନ୍ତନତାକୁ ଦର୍ଶେଇଥିଲା । ପୂର୍ବରୁ ଯେତେବେଳେ ଜଙ୍ଗଲ ନଷ୍ଟ ହେଇଯାଇଥିଲା ସେତେବେଳେ କେବଳ ଗୋଟିଏ କି ଦୁଇ ପ୍ରକାର ଗଛ ଦେଖାଯାଉଥିଲା, କିନ୍ତୁ ଜଙ୍ଗଲ ସୁରକ୍ଷା ପରେ ୩୧ ପ୍ରକାର ବୃକ୍ଷ ଦେଖାଗଲା । ଜଙ୍ଗଲର ଭୂଇଁରେ ବହୁତ ପରିମାଣର ଶାଳବୁଦା ସବୁ ସୃଷ୍ଟି ହୋଇଥିଲା, ଯାହାର ପତ୍ରରେ ଶାଳପତ୍ର ଖଲି, ଦାନା ଆଦି ସ୍ଥାନୀୟ ବାସିନ୍ଦାଙ୍କ ଲଘୁ ଉଦ୍ୟୋଗକୁ ଅନେକ ପରିମାଣରେ ସହାୟକ ହୋଇଥିଲା ।

ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବୁଢ଼ୀଖମାରୀର ସମୂହ ଜଙ୍ଗଲ ସେତେବେଳକୁ ସମୁଦାୟ ହେକ୍ଟର ପିଛା ୧୭୦ରୁ ୧୮୦ ଟନ୍‌ ଅଙ୍ଗାରକାମ୍ଳ ଅବଶୋଷଣ କରି ୪୬-୫୦ ଟନ୍‌ କାର୍ବନ ସଂଗ୍ରହ କରି ରଖିଥିଲା, ଯାହା ବୈଜ୍ଞାନିକ ପଦ୍ଧତିରେ ପରିଚାଳିତ ସେହି ବୟସର ଶାଳ ଜଙ୍ଗଲ ୧୪୭-୧୫୪ ଟନ୍‌ ଅଙ୍ଗାରକାମ୍ଳ ଅବଶୋଷଣ କରି ୪୦ରୁ ୪୨ ଟନ୍‌ କାର୍ବନ ସଂଗ୍ରହ କରିପାରିଥାନ୍ତା । ସେହିପରି ମିଥେନ ଗ୍ୟାସ ପରିପ୍ରେକ୍ଷୀରେ ହେକ୍ଟର ପିଛା ବାର୍ଷିକ ୨ କି.ଗ୍ରା. ପର୍ଯ୍ୟନ୍ତ ଅବଶୋଷଣ କରୁଥିଲା, କିନ୍ତୁ ବୈଜ୍ଞାନିକ ପଦ୍ଧତିରେ ପରିଚାଳିତ ସେହି ବୟସର ଶାଳ ଜଙ୍ଗଲରେ ହୁଏତ ହେକ୍ଟର ପିଛା ବାର୍ଷିକ ୧ କି.ଗ୍ରା. ପର୍ଯ୍ୟନ୍ତ ନିର୍ଗମନ କରିଥାନ୍ତା । ବୁଢ଼ୀଖମାରୀ ପ୍ରୟାସ ଆଜି ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ମୟୂରଭଞ୍ଜ ଜିଲ୍ଲାରେ ୨୧ଟି ବ୍ଲକର ୭୦୫ଟି ଜଙ୍ଗଲ ଗ୍ରାମରେ "ମୟୂରଭଞ୍ଜ ଜଙ୍ଗଲ ମହାସଂଘ' ନାମରେ ବଢ଼ିସାରିଛି, ଯେଉଁଠି ଏହାର ମୂଳ ନାମ କେଉଁଠି ପୋତି ହୋଇଯାଇଛି । ବୁଢ଼ୀଖମାରୀ ଯୁଗ୍ମ କମିଟିର ଅଫିସ୍‌ ଘର ଜାତୀୟ ରାଜପଥ ସମ୍ପ୍ରସାରଣ ନାଁରେ ଭାଙ୍ଗି ଦିଆଯାଇଛି ।

ସୁତରାଂ, ଯେଉଁ ବୁଢ଼ୀଖମାରୀ ଭାରତର ଆଜିର ଜଙ୍ଗଲ ନୀତିର ଆତ୍ମାସ୍ୱରୂପ ତା'ର ଉପଯୁକ୍ତ ପରିଚୟ ସହ ଅନେକ ପ୍ରାପ୍ୟ ବାକି ଅଛି । ଯେମିତି ଐତିହ୍ୟବାହୀ ଗ୍ରାମଗୋଷ୍ଠୀ ଆଧାରିତ ବନ ପରିଚାଳନା ଢାଞ୍ଚାର ମାନ୍ୟତା, ପାରମ୍ପରିକ ବନ ପରିଚାଳନାର ଲିପିବଦ୍ଧକରଣ, ଓଡ଼ିଶା ବନ ନୀତି ଆଦିରେ ସ୍ଥାନ, ଜାତୀୟ ବନ ବିଦ୍ୟା ପାଠ୍ୟକ୍ରମ/ ଯୁଗ୍ମ ବନ ପରିଚାଳନା ପ୍ରଶିକ୍ଷଣ ପୁସ୍ତିକାଗୁଡ଼ିକରେ ବୁଢ଼ୀଖମାରୀ ନାମ ଓ ପରିଚାଳନାର ଉଲ୍ଲେଖ, ରାଜ୍ୟ ଓ ଜାତୀୟ ପୁରସ୍କାର ଆଦି ଅନ୍ତତଃ ହେବା ଉଚିତ । ଅପରପକ୍ଷରେ ନେପାଳ, ମେକ୍ସିକୋ ଓ ବ୍ରାଜିଲର ଗ୍ରାମଗୋଷ୍ଠୀ ଆଧାରିତ ବନ ପରିଚାଳନା ଢଞ୍ଚା ଆଇନଗତ ସ୍ୱୀକୃତି ଓ ସଂସ୍ଥାଗତକରଣ ମାଧ୍ୟମରେ ସୁରକ୍ଷିତ ହୋଇପାରିଛି ଏବଂ ବୁଢ଼ୀଖମାରୀ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ନିଶ୍ଚୟ । ଆମ ମାଟି ପାଇଁ ଜାତୀୟ ସ୍ତରରେ ଜଙ୍ଗଲ ସୁରକ୍ଷାରେ ଗର୍ବ ଆଉ ଗୌରବ ଆଣିଥିବା ବୁଢ଼ୀଖମାରୀ ପାଇଁ ଯଦି ଅନ୍ତତଃ ଏତିକି କରାନଯାଏ, ତେବେ ଅନେକ ଅନାମଧ୍ୟେୟ "ତେଲରେ ସୋରିଷଟିଏ ବି ନଫୁଟେଇ ବୋମା ଫୁଟେଇଦେଲେ' ବୋଲି ଦାବି କରିବେ, ଆଉ ଆମେ ଜଳକା ହୋଇ ଚାହିଁ ରହିଥିବା କେବଳ । 

​​​​​​​