ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ ଲେଖିଥିବା ବ୍ୟକ୍ତିଙ୍କୁ ହତ୍ୟା , ଉଦୟପୁରରେ ଉତ୍ତେଜନା

ଉଦୟପୁର : ରାଜସ୍ଥାନର ଉଦୟପୁରରେ ଏକ ଭୟଙ୍କର ଘଟଣା ଘଟିଛି । ନୂପୁର ଶର୍ମାଙ୍କର ସମର୍ଥନ କରୁଥିବା ଜଣେ ବ୍ୟକ୍ତିଙ୍କର ଗଳା କାଟି ହତ୍ୟା କରାଯାଇଛି। କୁହାଯାଉଛି ଏହି ବ୍ୟକ୍ତି ୧୦ଦିନ ପୂର୍ବେ ନୂପୁର ଶର୍ମାଙ୍କର ସମର୍ଥନରେ ଫେସବୁକ୍ରେ ପୋଷ୍ଟ ଲେଖିଥିଲେ। ଏହି ଭିତରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଧାରୁଆ ଅସ୍ତ୍ର ନେଇ ନିଜର ଅପରାଧକୁ ସ୍ୱୀକାର କରିଥିବା ଦେଖିବାକୁ ମିଳୁଛି।
ଉଦୟପୁରରେ ଟେଲର କହ୍ନେୟାଲାଲ ୧୦ ଦିନ ପୂର୍ବେ ନୂପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ କରିଥିଲେ। ତାଙ୍କୁ ସେହି ଦିନରୁ ଧମକ ମିଳୁଥିଲା। ସୂଚନା ଆଧାରରେ , ଉକ୍ତ ଘଟଣାଟି ଉଦୟପୁରର ମାଲଦାସ ଷ୍ଟ୍ରୀଟ୍ରେ ଭୂତମହଲ ନିକଟରେ ଘଟିଛି। ଏହାପରେ ସହରରେ ଅଶାନ୍ତକର ବାତାବରଣ ସୃଷ୍ଟି ହୋଇଛି। ଉତ୍ତେଜିତ ଲୋକେ ଦୋକାନ ବନ୍ଦ କରି ଦେଇଛନ୍ତି। କଲେକ୍ଟ୍ରି ପାଖରେ ଦେହଲିଗେଟ୍ରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ସେପଟେ ହତ୍ୟା କରିଥିବା ୨ ଦୁର୍ବୃତ୍ତଙ୍କୁ ଧରିଲା ପୁଲିସ୍ । ସେମାନେ ହତ୍ୟା ପାଇଁ ନିଜକୁ ଦାୟୀ କରିଛନ୍ତି। ପୁଲିସ୍ଙ୍କର କହିବା ମୁତାବକ, ସେ ସବୁ ଦିଗରୁ ଯାଞ୍ଚ ଚଳେଇଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବିକ , ଏହି ମାମଲା ପ୍ରଥମେ ବି ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ପୁଲିସ୍ ଦୁହିଁଙ୍କ ମଧ୍ୟରେ ବୁଝାମଣା କରି ଦେଇ ଥିଲେ। ହେଲେ ହିଂସୁକ ପ୍ରବୃତ୍ତିର ଏହି ଅଭିଯୁକ୍ତ ଯୁବକଙ୍କର ବେକକୁ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରି ଦେଇଥିଲେ । ଅଭିଯୁକ୍ତମାନେ ତାଙ୍କୁ ଅନେକ ଦିନରୁ ଧମକ ବି ଦେଉଥିଲେ। ହତ୍ୟା ପରେ ପୁଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ଲାଗି ପଡ଼ିଥିଲା ।