ତରଭୁଜ ଖାଇଲା, ମୋବାଇଲ ଲୁଟିଲା; ଲୁଟେରାକୁ ମାଡ଼ି ବସିଲା ପୁଲିସ

ଭୁବନେଶ୍ୱର,୨୩ ।୫: ଦୋକାନୀଙ୍କଠୁ ତରଭୁଜ ଖାଇଲା । ଟଙ୍କା ତ ଦେଲାନି, ଦୋକାନୀଙ୍କ ମୋବାଇଲ ଲୁଟି ଚମ୍ପଟ ମାରିଲା । ଚୋରା ମୋବାଇଲ ବିକିବା ବେଳେ ପୁଲିସ ମାଡ଼ି ବସିଲା । ଏଭଳି ଜଣେ ଧୂର୍ତ୍ତ ଚୋରକୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ତା’ ନାମ ଦିଲୁ ଓରଫ ଦିଲ୍ଲୀପ କୁମାର ମଲ୍ଲିକ । ଘର କଟକ ଜିଲ୍ଲା ବାଙ୍କୀ ତାଳବସ୍ତ । ପୁଲିସ ଦିଲୁ ନିକଟରୁ ଲୁଟ୍ ମୋବାଇଲ ଜବତ କରିଛି । ପୁଲିସ ସୂଚନା ଅନୁଯାୟୀ, ଗଣ୍ଡମୁଣ୍ଡା ଛକ ବିମଳାନନ୍ଦ ଟାୱାର ସମ୍ମୁଖରେ ସୁଶାନ୍ତ ନାୟକ ଏକ ସାଇକେଲ ମରାମତି ସହ ତରଭୁଜ ଦୋକାନ କରିଛନ୍ତି ।
ଗତକାଲି ମଧ୍ୟାହ୍ନରେ ଦିଲୁ ତାଙ୍କ ଦୋକାନରେ ପହଞ୍ଚି ତରଭୁଜା କିଣି ଖାଇଥିଲା । ସୁଶାନ୍ତ ଦିଲୁଙ୍କୁ ତରଭୁଜ ଖାଇବାକୁ ଦେଇ ସାଇକେଲ ମରାମତି କାମରେ ଲାଗିଥିଲେ । ଏହା ଦେଖି ଦିଲୁ ତରଭୁଜ ଟଙ୍କା ନ ଦେଇ ସେଠାରେ ଥୁଆ ହୋଇଥିବା ସୁଶାନ୍ତଙ୍କ ମୋବାଇଲ ନେଇ ଚମ୍ପଟ ମାରିଥିଲା । ଏନେଇ ସୁଶାନ୍ତ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଦିଲୁ ଉକ୍ତ ମୋବାଇଲ ଫୋନ୍କୁ ଆଜି ସକାଳେ ଜାଗମରା ଟ୍ରାଫିକ୍ ଛକରେ ଜଣକୁ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିଲା । ଖବରପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା । ଦିଲୁ ପୁଲିକୁ ଦେଖି ଦୌଡ଼ି ପଳାଉଥିବା ବେଳେ ପୁଲିସ ତାକୁ ମାଡ଼ି ବସିଥିଲା । ଦିଲୁକୁ ପୁଲିସ ଗିରଫ କିରବା ସହ ତା’ ନିକଟରୁ ସୁଶାନ୍ତଙ୍କ ମୋବାଇଲ ଜବତ କରିଥଲା । ଅପରାହ୍ଣରେ ଦିଲୁକୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।