ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୯/୦୧: ଫେବ୍ରୁଆରୀ ୧୦ ତାରିଖରେ ପୁଣି ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ସମୟରେ ରାଷ୍ଟ୍ରପତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏ ନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନୂଆ ବୋହୁ ଭଳି ସଜେଇ ହେଉଛି ।
ଦେଶର ପ୍ରଥମ ନାଗରିକଙ୍କୁ ତାଙ୍କର ନିଜ ଶିକ୍ଷାନୁଷ୍ଠାନରେ ସ୍ୱାଗତ କରିବା ପାଇଁ ସାରା ବିଶ୍ୱବିଦ୍ୟାଳୟ ଚକାଚକ୍ ପାଲଟିବାରେ ଲାଗିଛି । ୩୦ ଲକ୍ଷ ୭୨ ହଜାର ଟଙ୍କା ବ୍ୟୟରେ ବିଶ୍ୱବିଦ୍ୟାଳୟର ଉତ୍ତର ଓ ପଶ୍ଚିମ ପାଶ୍ୱର୍ରେ ଦୁଇଟି ବିଶାଳ ଫାଟକ ନିର୍ମାଣ ଚାଲିଛି । କେବଳ ଫାଟକ ନୁହଁ, କ୍ୟାମ୍ପସ୍ରେ ଥିବା ବଗିଚାଗୁଡିକରେ ନୂଆ ନୂଆ ଫୁଲ ଗଛରେ ଭରି ଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କ୍ୟାମ୍ପସରେ ଥିବା ଏକାଡେମିକ୍ ବିଲ୍ଡିଂ, ଆଡମିନିଷ୍ଟ୍ରେଟିଭ୍ ବିଲ୍ଡିଂ ଗୁଡିକ ନୂଆ ରଙ୍ଗ ଦିଆଯାଇଛି । ପରୀକ୍ଷା ହଲ୍ଠୁ ଆରମ୍ଭ କରି ମୂଲ୍ୟାୟନ ଜୋନକୁ ବାତାନୁକୂଳିତ କରିବା ପାଇଁ ବି ପଦକ୍ଷେପ ନିଆଯାଇଛି । ଏ ବାବଦରେ ୭୯ ଲକ୍ଷରୁ ଅଧିକ ଟଙ୍କା ଅନୁମୋଦନ କରାଯାଇଛି । ଅପରପକ୍ଷେ ସାଇକେଲ୍ ଓ ମୋଟରସାଇକେଲ୍ ରଖିବା ପାଇଁ ତିଆରି ହେଉଥିବା ସେଡ୍ କାମ ଶେଷ କରିବା ପାଇଁ ୧୩ ଲକ୍ଷ ୪୫ ହଜାର ଟଙ୍କା ଦିଆଯାଇଛି । ମୁକ୍ତାକାଶ ମଞ୍ଚର ମରାମତି ପାଇଁ ୪ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗ୍ରିଲ୍ ଗେଟ୍ ପାଇଁ ୧୨ ଲକ୍ଷ ଟଙ୍କା ବ୍ୟୟ ବରାଦ ରହିଛି । ତେବେ ଫେବ୍ରୁଆରୀ ୧୦ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ । ନିରାପତ୍ତା ଦୃଷ୍ଟିରୁ ବହୁ ପୂର୍ବରୁ ସୂଚନା ନ ଦେଇ ଗସ୍ତର ୪-୫ଦିନ ପୂର୍ବରୁ ତାହା ଜଣାପଡିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
୨୦୨୨ ନଭେମ୍ବର ୧୦ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିଥିଲେ । ସେତେବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ତଥା ଆଲୁମ୍ନିର ସଭାପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ସମେତ ଉପସଭାପତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁରମା ପାଢି, ସମ୍ପାଦିକା ଅଧ୍ୟାପିକା ସ୍ନେହଲତା ଦାସ ପ୍ରମୁଖ ରାଷ୍ଟ୍ରପତିଙ୍କୁ ଭେଟିବା ସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ(ଡିସେମ୍ବର ୩) ଆସିବା ପାଇଁ ଅନୁରୋଧ କରିଥିଲେ । ତେବେ ଡିସେମ୍ବର ୩ରେ ନଆସିଲେ ଭବିଷ୍ୟତରେ ଆସିବାକୁ ବିଶ୍ୱବିଦ୍ୟାଳୟର ପ୍ରତିିନିଧିମାନଙ୍କୁ ଭରସା ଦେଇଥିଲେ ରାଷ୍ଟ୍ରପତି । ତେଣୁ ଏବେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଆସିବା ନେଇ ସମସ୍ତ ଛାତ୍ରୀଙ୍କ ସମେତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଶା ବାନ୍ଧି ବସିଛନ୍ତି ।