ଯେଉଁ ପଣ୍ଡିତ କରାଇଥିଲେ ବିବାହ,୧୫ ଦିନ ପରେ ତାଙ୍କ ସହ ଫେରାର ହେଲା ନବବଧୂ

ଭୋପାଳ,୨୭।୫: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ୨୩ ମଇରେ ଯେତେବେଳେ ସମସ୍ତଙ୍କ ନଜର ଲୋକସଭା ନିର୍ବାଚନର ପରିଣାମ ଉପରେ ରହିଥିଲା। ସେତେବେଳେ ଜିଲ୍ଲାର ସରୋଜ ସହରର ଟୋରି ବାଗରୋଦରେ ଜଣେ ନବବଧୂ ତାଙ୍କର ବିବାହ କରାଇଥିବା ପଣ୍ଡିତ ସହିତ ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ବାହାଘର ପରେ ନବବଧୂ ଜଣକ ନିଜର ଘରକୁ ପ୍ରଥମ ଥର ପାଇଁ ଆସିଥିଲେ। କିନ୍ତୁ ଏହି ସମୟରେ ସେ ତାଙ୍କୁ ବିବାହ କରାଇଥିବା ପଣ୍ଡିତ ସହିତ ଫେରାର ହୋଇଯାଇଥିଲେ। ସିରୋଜ ଯୋରି ବାଗରୋଦରେ ରହୁଥିବା ୨୧ ବର୍ଷୀୟ ଯୁବତୀ ଜଣକ ତାଙ୍କ ଗାଁରେ ରହୁଥିବା ପଣ୍ଡିତ ଜଣକୁ ଆଗରୁ ପ୍ରେମ କରୁଥିଲେ।ଯୁବତୀ ଜଣକର ବିବାହ ବାସୋଦର ଆସଠ ଗାଁରେ ରହୁଥିବା ଜଣେ ଯୁବକ ସହିତ ହୋଇଛି। ତେବେ ତାଙ୍କର ବିବାହରେ ମନ୍ତ୍ର ପଢି ସବୁ କର୍ମ କରିଥିବା ପଣ୍ଡିତଙ୍କୁ ଯୁବତୀ ଜଣକ ଦୀର୍ଘ ୨ ବର୍ଷ ହେବ ପ୍ରେମ କରୁଥିଲେ। ଏକଥା ଗାଁର ଲୋକମାନେ କହିଛନ୍ତି। ଏପରିକି ପଣ୍ଡିତ ଜଣକ ମଧ୍ୟ ପୂର୍ବରୁ ବିବାହିତ ଏବଂ ୨ଟି ସନ୍ତାନ ମଧ୍ୟ ଅଛନ୍ତି।
୨୩ ତାରିଖରେ ପଣ୍ଡିତ ସହିତ ଫେରାର ହୋଇଯାଇଥିବା ନବ ବିବାହିତା ଯୁବତୀ ଜଣଙ୍କର ସନ୍ଧାନରେ ପୋଲିସ ରହିଥିଲା। ୨୪ ତାରିଖରେ କିଛି ଖବର ନମିଳିବା ପରେ ଯୁବତୀଙ୍କ ପରିବାର ଲୋକ ଓ ଗାଁର ସରପଞ୍ଚ ରାଜେଶ ସାହୁ ଥାନାରେ ପହଁଞ୍ଚିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନବବଧୁଙ୍କ ପରିବାର ଲୋକ ପଣ୍ଡିତ ବିନୋଦଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ନବବଧୂ ଜଣକ ଘରୁ ଦେଢଲକ୍ଷ ଟଙ୍କାର ଜୁଏଲାରୀ ଓ ୩୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।