ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ: ହାତଟଣା ରିକ୍ସାଚାଳକଙ୍କୁ ତାଙ୍କରି ରିକ୍ସାରେ ବସାଇ ବୁଲାଇଲେ

କୋଲକତା,୧୬/୨: ଭାଲେଣ୍ଟାଇନ୍ସ ଡେ’ ଉପଲକ୍ଷେ କଲିକତା ବିଶ୍ବବିଦ୍ୟାଳୟ ସହ ଜଡିତ ଥିବା କଲେଜର ଛାତ୍ରଛାତ୍ରୀମାନେ ମହନଗରର ହାତ ରିକ୍ସାଚାଳକଙ୍କୁ ସ୍ନେହ, ପ୍ରେମ ତଥା ସେମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ହାତ ରିକ୍ସାଚାଳକଙ୍କୁ ତାଙ୍କ ନିଜ ରିକ୍ସାରେ ବସାଇ ରିକ୍ସା ଚଲାଇଥିଲେ ଛାତ୍ରଛାତ୍ରୀମାନେ। ଏମିତି କି ସେହି ହାତ ରିକ୍ସାଚଳାକଙ୍କୁ ଖାଇବାକୁ ମଧ୍ୟ ଦେଇଥିଲେ।
ଛାତ୍ରୀ ପୂଜା ଗୁପ୍ତା କହିଛନ୍ତି, ଭାଲେଣ୍ଟାଇନ୍ସ ଡେ’ କେବଳ ପ୍ରେମୀଯୁଗଳଙ୍କ ପାଇଁ ବୋଲି ସମସ୍ତେ ଭାବନ୍ତି। ପ୍ରକୃତରେ ତାହା ନୁହେଁ। ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲପାଇବା ତଥା ସ୍ନେହ, ଶ୍ରଦ୍ଧା ଦରକାର ପଡ଼ିଥାଏ। ସେଥିମଧ୍ୟରୁ କୋଲକତା ରିକ୍ସାଚାଳକଙ୍କ ପରିଚୟ ଏକ ଭିନ୍ନ ପ୍ରକାର। ଖରା, ବର୍ଷା, ଶୀତରେ ସେମାନେ ନିଜ ସ୍ବପ୍ନକୁ ପୂରା କରିବାରେ ହିଁ ସେମାନଙ୍କ ସମୟ ବିତିଯାଇଥାଏ। ଏମିତି କି ଧୁ ଧୁ ଖରାରେ ବି ନିଜ ପ୍ରାଣ ଦେବାକୁ ପଛାଡ଼୍ତି ନାହିଁ। ସେମାନଙ୍କ ପାଇଁ ଯାତ୍ରୀ ହେଉଛନ୍ତି ଭଗବାନ।
ଗୋଟିଏ ଦିନ ହେଉ ପଛେ ସେମାନଙ୍କୁ ଟିକେ ସ୍ନେହ ଶ୍ରଦ୍ଧା ଦେବା ପାଇଁ ‘ହଂସୀମୁଖ’ ଦଳର ଛାତ୍ରଛାତ୍ରୀମାନେ ଏଭଳି ନିଆର ପ୍ରୟାସ ଆରମ୍ଭ କରିଥିଲେ। ବିଭିନ୍ନ କଲେଜର ଛାତ୍ରଛାତ୍ରୀ ରାଜା ରାମ ମୋହନ ସାରିରୀ ଠାରୁ ନେଇ କଲେଜ ଛକ ପର୍ଯ୍ୟନ୍ତ ହାତରିକ୍ସା ଚଳାଇ ରିକ୍ସା ଚାଳକଙ୍କୁ ବୁଲାଇଥିଲେ। ରିକ୍ସାଚାଳକଙ୍କୁ ଉପାହାର ସ୍ବରୁପ ସେମାନଙ୍କୁ ଗାମୁଛା ଓ ଚକୋଲେଟ୍ ଦେଇଥିଲେ। ଆଉ କିଛି ଛାତ୍ରଛାତ୍ରୀ ମିଳିତ ଭାବେ ଟଙ୍କା ସଞ୍ଚୟ କରି ସେମାନଙ୍କୁ ଦେଇଥିଲେ। ସେମାନଙ୍କ ମଧ୍ୟରେ ମିଟୁ ବିଶ୍ବାସ, ଚନ୍ଦନ ଦାସ, ଆଶିଷ ସାବଙ୍କ ସହି କୋଲକତା ବିଶ୍ବ ବିଦ୍ୟାଳୟର ପ୍ରାୟ ୨୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଛାତ୍ରଛାତ୍ରୀଙ୍କର ଏଭଳି ନୂଆ ପ୍ରୟାସ ରିକ୍ସାଚାଳକଙ୍କୁ ଢ଼େରସାରା ଭଲପାଇବା ଦେଇଥିଲା। ରିକ୍ସାଚାଳକଙ୍କ କହିବାନୁସାରେ, ସେମାନେ ଯାତ୍ରୀମାନଙ୍କୁ ସବୁବେଳେ ବସାଇଥାନ୍ତି। ଆଜି ସେମାନଙ୍କୁ ପିଲାମାନେ ବସାଇଥିବାରୁ ସେମାନେ ନିଜକୁ ଗର୍ବ ଅନୁଭବ କରୁଛନ୍ତି।