ରାଉରକେଲା,୩୦/୧୧: ସୁନ୍ଦରଗଡ଼ ସହରରେ ଦ୍ଵିତୀୟ ବିହାବାଏଲ ଉତ୍ସବ ପାଇଁ ଜନସାଧାରଣରେ ବେଶ ତତ୍ପରତା ସୃଷ୍ଟି ହୋଇଛି । ଚଳିତ ବର୍ଷ ୨୧ ରୁ ୨୭ ଡିସେମ୍ବର ଯାଏଁ ଏହି ଉତ୍ସବ ଅନୁଷ୍ଠିତ ହେବ । ଗତବର୍ଷରୁ ଆରମ୍ଭ ହୋଇଥିବା ଏହି ଉତ୍ସବ କଟକର ପାରମ୍ପରିକ ବାଲିଯାତ୍ରା ଶୈଳୀରେ ପ୍ରାୟ ସମସ୍ତ ବ୍ୟବସ୍ଥା ସହିତ ଆୟୋଜନ କରାଯାଇଥାଏ। ଇବ ନଦୀକୂଳରେ ଥିବା ମହାଦେବ ପଡ଼ା ନଦିଘାଟରେ ଅର୍ଥାତ ଇବ ନଈ ପଠାରେ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି ।
କିମ୍ବଦନ୍ତୀ ଅନୁସାରେ, ଏଠାର ବାଲିକୁ ପବିତ୍ର ବୋଲି ଧରାଯାଏ। ଅତୀତରେ ଏହି ଅଂଶରେ ସୁଉଚ୍ଚ ବାଲି ପଠା ଏକ ଟାପୁ ସଦୃଶ ରହିଥିଲା । ଶୀତଦିନେ ଏଠାରେ ବିଭିନ୍ନ ପଡ଼ା ସାହିର ପିଲାମାନେ ଆସି ବିଭିନ୍ନ ଖେଳ ଖେଳିବା, ବ୍ୟାୟାମ କରିବା, ଗୁଡ଼ି ଉଡ଼େଇବାକୁ ପସନ୍ଦ ଓ ଭିଡ଼ କରୁଥିଲେ। ଡିସେମ୍ବର ୨୧ରୁ ୨୭ ଏଠାରେ ଉତ୍ସବ ଆୟୋଜନ ହେବ ଯେଉଁଥିରେ ମେଳା, ଖାଦ୍ୟପେୟ, ବୌଦ୍ଧିକ ଆଲୋଚନା ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ହେବ । ଏଥିପାଇଁ ଏକ ସଚେତନତା ଶୋଭାଯାତ୍ରା ସମସ୍ତ ଅଞ୍ଚଳର ବାସିନ୍ଦାଙ୍କୁ ନେଇ ବେଶ ଉତ୍ସାହ ଉଦ୍ଦୀପନା ଓ ଧୂମଧାମ ସହିତ ସହର ପରିକ୍ରମା କରୁଥିବା ଖବର ମିଳିଛି ।