ଇରାନ : ଇରାନ ସହ ଚାଲି ଥିବା ଯୁଦ୍ଧରେ ଦୁଇ ସପ୍ତାହର ଯୁଦ୍ଧବିରାମ ବୁଧବାର ସମାପ୍ତ ହେବାକୁ ଯାଉଛି, କିନ୍ତୁ ନୂଆ ଆଲୋଚନାର ପ୍ରସ୍ତୁତି ସତ୍ତ୍ୱେ, ସଦ୍ୟ ଘଟଣାକ୍ରମ ଗୁଡ଼ିକ ସ୍ଥିତିକୁ ଆହୁରି ଜଟିଳ କରି ଦେଇଛି। କହି ରଖୁଛୁ କି, ଯୁଦ୍ଧ ବିରତି ୮ ଏପ୍ରିଲରେ ଆରମ୍ଭ ହୋଇଥିଲା , ଯାହାପରେ ମଧ୍ୟ କିଛି ଆକ୍ରମଣ ଜାରି ରହିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅନେକ ଥର ସମୟସୀମା ସ୍ଥିର କରିବା ପରେ ଏହି ଚୁକ୍ତି ହୋଇଛି, ଯେଉଁଥିରେ ଗୋଟେ ସମୟରେ ଇରାନର ସଭ୍ୟତାକୁ ବିପଦରେ ପକାଇବାର ଚେତାବନୀ ମଧ୍ୟ ଦିଆ ଯାଇ ଥିଲା।

ଯୁଦ୍ଧ ବିରତିର ସମୟସୀମା ୨୨ ଏପ୍ରିଲ (ବୁଧବାର)୦୦୦ଜିଏମଟି ( ମଙ୍ଗଳବାର ରାତି ୮ଟା ET)ରେ ସରୁଛି। କୁହାଯାଉଛି ଯେ, ଯଦି ଉଭୟ ପକ୍ଷଙ୍କ ମଧ୍ୟରେ କୌଣସି ସହମତି ନହୁଏ, ତ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇପାରେ। ଏହି ମଧ୍ୟରେ ଇରାନ ଦାବି କରିଛି ଯେ, ତାକୁ ବିଶ୍ୱସନୀୟ ଗୁଇନ୍ଦା ସୂଚନା ମିଳିଛି, ଯେଉଁଥିରେ ସଙ୍କେତ ଯେ, ଆମେରିକା ଓ ଇସ୍ରାଏଲ ଇରାନ ଉପରେ ହଠାତ୍ ଆକ୍ରମଣର ପ୍ରସ୍ତୁତି କରୁଛନ୍ତି। ଏହି ଦାବି ଏମିତି ସମୟରେ ଆସିଛି, ଯେବେ ମଧ୍ୟ-ପ୍ରାଚ୍ୟ ପୂର୍ବରୁ ହିଁ ଉତ୍ତେଜନାପୂର୍ଣ୍ଣ ସ୍ଥିତି ପାଲଟିଛି।

ଆହୁରି ମଧ୍ୟ ପଢନ୍ତୁ : ଇରାନରେ ‘ସୁପର ପାୱର’ ହେଲେ ମେଜର ଜେନେରାଲ ୱାହିଦୀ ! ଏବେ IRGC ନେବ ସବୁ ନିଷ୍ପତ୍ତି

ପାରସ୍ୟ ଉପସାଗରର ସଂକୀର୍ଣ୍ଣ ମୁହାଣ ହର୍ମୁଜ ପ୍ରଣାଳୀ , ଯେଉଁଥିରେ ଦୁନିଆର ପାଖାପାଖି ୨୦ ପ୍ରତିଶତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ପରିବହନ ହୋଇଥାଏ, ଇରାନୀ ଆକ୍ରମଣ କାରଣରୁ ପାଖାପାଖି ବନ୍ଦ ପଡ଼ିଛି। ଇରାନ ରବିବାର ହର୍ମୁଜରେ ଜାହାଜ ଗୁଡ଼ିକୁ ଟାର୍ଗେଟ୍ କରିଥିଲା। ଆମେରିକା ମଧ୍ୟ ଗୋଟିଏ ଇରାନୀ ମାଲବାହୀ ଜାହାଜ ଉପରେ ଆକ୍ରମଣ କରି ତାକୁ ନିଜ କବଜାକୁ ନେଇଥିଲା, ଯାହାକି ଆମେରିକୀୟ ନୌସୈନିକ ଅବରୋଧ ଭାଙ୍ଗିବାକୁ ଚେଷ୍ଟା କରୁଥିଲା। ଏହି ଘଟଣାରେ ସ୍ଥିତିର ଅସ୍ଥିରତା ସ୍ପଷ୍ଟ ଝଲସୁଛି ଏବଂ ଯୁଦ୍ଧ ପୁନର୍ବାର ହେବାର ଆଶଙ୍କା କରାଯାଉଛି। ଅନ୍ୟପଟେ ଇରାନର ଦାବି ଯେ,ଯେପର୍ଯ୍ୟନ୍ତ ଆମେରିକା ନିଜର ନାକାବନ୍ଦୀ ହଟେଇ ନାହିଁ, ହର୍ମୁଜ ମାର୍ଗ ଖୋଲା ଯିବ ନାହିଁ।

ଇରାନ ଓ ଆମେରିକା ମଧ୍ୟରେ ଆଲୋଚନାର ପ୍ରଥମ ରାଉଣ୍ଡ ୧୧ ଏପ୍ରିଲରେ ଇସଲାମାବାଦରେ ହୋଇଥିଲା, ଯେଉଁଥିରେ ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାଗ ନେଇଥିଲେ। ୨୧ ଘଣ୍ଟା ଚାଲି ଥିବା ଏହି ମାରାଥନ ବୈଠକ ବିନା କୌଣସି ଚୁକ୍ତିରେ ଶେଷ ହୋଇଥିଲା। ପୁଣି ଥରେ ଇସଲାମାବାଦରେ ୨ୟ ରାଉଣ୍ଡ ବୈଠକ ଆରମ୍ଭ ହେବାର ପ୍ରସ୍ତୁତି ଚାଲିଛି। ହ୍ୱାଇଟ୍ ହାଉସ୍ କହିଛି, ଡେଜି ଭାନ୍ସ , ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକାଫ ଓ ଜେରେଡ କୁଶନର ଆଗାମୀ ଦିନରେ ଇସଲାମାବାଦରେ ପହଞ୍ଚିବେ। ହେଲେ ଏବେସୁଦ୍ଧା ଇରାନ କି ଆମେରିକା ପକ୍ଷରୁ କୌଣସି ପ୍ରତିନିଧିମଣ୍ଡ ପଠାଯିବାର ସ୍ପଷ୍ଟ ହୋଇ ନାହିଁ। ହର୍ମୁଜ ପ୍ରଣାଳୀ , ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ଅନ୍ୟ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ମଧ୍ୟରେ ଗଭୀର ଫାଟ ସୃଷ୍ଟି ହୋଇଛି।