ନୂଆଦିଲ୍ଲୀ : ଭାରତ ଓମାନ ଉପସାଗରରେ ଷ୍ଟିଲଥ୍ ଗାଇଡେଡ୍ ମିସାଇଲ୍ ବିଧ୍ୱଂସକ INS ସୁରତକୁ ମୁତୟନ କରିଛି। ଏହି ମୁତୟନ ଏପରି ସମୟରେ ହୋଇଛି ଯେତେବେଳେ ଭାରତ ମହାସାଗରରେ ଆମେରିକୀୟ ବୁଡ଼ାଜାହାଜ ଇରାନର ଡେନା ଯୁଦ୍ଧ ଜାହାଜକୁ ଟର୍ପେଡୋ କରି ଧ୍ୱଂସ କରି ଦେଇଥିଲା। ଏହା ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି,ଭାରତୀୟ ନୌସେନା ଓମାନ ଉପସାଗରରେ INS ସୁରତକୁ କାହିଁକି ମୁତୟନ କରିଛି,ତାହା ଭାବିବା ସ୍ୱାଭାବିକ। ଏହାର ଉପସ୍ଥିତି ଉତ୍ତେଜନା ସହ କେଉଁ ଭଳି ସମ୍ୱନ୍ଧ ରହିଛି ? ଏହାର କଣ ଉଦ୍ଦେଶ୍ୟ ରହିଛି ?
ପଶ୍ଚିମ ଏସିଆରେ ଆମେରିକା,ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ,ଭାରତ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହାର ନୌସେନା ଉପସ୍ଥିତିକୁ ମଜବୁତ କରିଛି। ଭାରତୀୟ ନୌସେନା ଅତ୍ୟାଧୁନିକ ଷ୍ଟିଲଥ ଗାଇଡେଡ୍ ମିସାଇଲ୍ ବିଧ୍ୱଂସକ INS ସୁରତକୁ ଓମାନ ଉପସାଗରରେ ମୁତୟନ କରିଛି। ଏହି ମୁତୟନ ସାମୁଦ୍ରିକ ବାଣିଜ୍ୟ ମାର୍ଗର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଏହି ଅଞ୍ଚଳରେ ବଢ଼ୁଥିବା ବିପଦ ମଧ୍ୟରେ ଆବଶ୍ୟକ ହେଲେ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ କରାଯାଇଛି ।
ନିକଟବର୍ତ୍ତୀ ଦିନରେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନୀର ନୌସେନା ଠିକଣା,ସାମରିକ ଆଡ୍ଡା ଏବଂ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣର ଖବର ପରେ ,ପଶ୍ଚିମ ଏସିଆରେ ଉତ୍ତେଜନା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସଂଘର୍ଷର ପ୍ରଭାବ ଆଉ ଯୁଦ୍ଧକ୍ଷେତ୍ର ପର୍ଯ୍ୟନ୍ତ ସୀମିତ ରହି ନାହିଁ, ଏହା ଅନ୍ତର୍ଜାତୀୟ ବିମାନ ସେବା ଏବଂ ପ୍ରମୁଖ ସମୁଦ୍ର ପଥ ଉପରେ ମଧ୍ୟ ପ୍ରଭାବ ପକାଉଛି। ଫଳସ୍ୱରୂପ,ଅନେକ ଦେଶ ଏହି ଅଞ୍ଚଳରେ ସେମାନଙ୍କର ସୁରକ୍ଷା ଏବଂ ପର୍ଯ୍ୟବେକ୍ଷଣ ବୃଦ୍ଧି କରିଛନ୍ତି। ଭାରତ ମଧ୍ୟ ପରିସ୍ଥିତି ଉପରେ କଡ଼ା ନଜର ରଖିଛି।
ଭାରତୀୟ ନୌସେନାର ଅତ୍ୟାଧୁନିକ ଯୁଦ୍ଧଜାହାଜ, INSସୁରତ (D69),ଜାନୁଆରୀ୨୦୨୫ରେ ନୌସେନାରେ ସାମିଲ ହୋଇଥିଲା। ଏହି ସ୍ୱଦେଶୀ ପ୍ରୋଜେକ୍ଟ-15B ଅଧୀନରେ ନିର୍ମିତ ଏକ ଗାଇଡେଡ୍ ମିସାଇଲ ଷ୍ଟିଲଥ୍ ଡିଷ୍ଟ୍ରୟର ଏବଂ ଏହାକୁ ଭାରତର ସବୁଠୁ ଆଧୁନିକ ଯୁଦ୍ଧ ଜାହାଜ ମଧ୍ୟରେ ବିବେଚନା କରାଯାଏ। ଏହାର ସବୁଠୁ ବଡ଼ ବୈଶିଷ୍ଟ୍ୟ ଏହା ଯେ, ଏହା ଭାରତ ପ୍ରଥମ ଏମିତି ଯୁଦ୍ଧ ଜାହାଜ, ଯାହାକୁ AI-ଚାଳିତ ସିଷ୍ଟମ ସହ ଡିଜାଇନ୍ କରାଯାଇଛି, ଯେଉଁଥିରେ ନିରୀକ୍ଷଣ, ଯୁଦ୍ଧ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କ୍ଷମତା ଖୁବ୍ ବୃଦ୍ଧି ପାଇଥାଏ। INS ସୁରତରେ ପ୍ରାୟ ୭୫ ପ୍ରତିଶତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଇଛି। ଏଥିରେ ସୁପରସୋନିକ୍ ବ୍ରହ୍ମୋସ୍, ବାରାକ-୮,ଏବଂ ଆକାଶ କ୍ଷେପଣାସ୍ତ୍ର, ଆଣ୍ଟି-ସବମେରିନ୍ ରକେଟ୍ ଲଞ୍ଚର୍ ଏବଂ ହେଭିୱେଟ୍ ଟର୍ପେଡୋ ଟ୍ୟୁବ୍ ଲଞ୍ଚର୍ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇଛି। ଏହି ଅସ୍ତ୍ରଶସ୍ତ୍ର ଏହାକୁ ସମୁଦ୍ର,ବାୟୁ ଏବଂ ପାଣି ତଳେ ବିପଦର ପ୍ରଭାବଶାଳୀ ମୁକାବିଲା କରିବାକୁ ସକ୍ଷମ କରିଥାଏ।