ଭୁବନେଶ୍ୱର,୦୧/୦୫; କାହାର ଦୁଇଟିଯାକ ଗୋଡ଼ ନାହିଁ ତ କାହାର ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇଛି । ତ କିଏ କେବଳ ଗୋଟିଏ ଗୋଡ଼ ଆଉ ଗୋଟିଏ ହାତରେ ବଞ୍ଚୁଛନ୍ତି । କିନ୍ତୁ ଦେହର ନାନା ପୀଡ଼ା ଓ ଅକ୍ଷମତା ସତ୍ତେ୍ୱ ଟ୍ରାଇସାଇକେଲ ଚଲେଇ ରାଜଧାନୀରେ ଲୋକଙ୍କ ଘରେ ଘରେ ଖାଦ୍ୟ ପହଞ୍ଚାଉଛନ୍ତି । ଏମାନେ ହେଉଛନ୍ତି ବିଭିନ୍ନ ସଂସ୍ଥାରେ ଫୁଡ ଡେଲିଭରି ବୟ ଭାବେ କାମ କରୁଥିବା ଦିବ୍ୟାଙ୍ଗଙ୍କ କଥା । ଯେଉଁମାନେ ଗିଗ୍ ୱାର୍କର ଶ୍ରେଣୀରେ ଆସୁଛନ୍ତି । ହେଲେ ଅନ୍ୟ ଶ୍ରମିକମାନଙ୍କ ଭଳି ଏମାନଙ୍କ ନାମ କୌଣସି ଯୋଜନାରେ ପଞ୍ଜିକୃତ ହୁଏନି କି ଶ୍ରମିକ ଦିବସରେ ଛୁଟି ମିଳେନି । କାମ ନକଲେ ରୋଜଗାର ନାହିଁ । ଭଲ ଲୋକ ତ ଏହାକୁ ବୃତ୍ତି କରୁଛନ୍ତି, ହେଲେ ଅନେକ ସଂଖ୍ୟାର ଦିବ୍ୟାଙ୍ଗ ଏହାକୁ ପେଟପାଟଣା କରିଛନ୍ତି । ସେମାନେ କହନ୍ତି, ଦୁର୍ଘଟଣା ଓ ରୋଗ କାରଣରୁ ଆମେ ଅଧାଗଢିହେଲାପରି ଦେଖାଯାଉଥିଲେ ମଧ୍ୟ ଆମେ ଶ୍ରମିକ । କିନ୍ତୁ ଆମକୁ କେବେ ଶ୍ରମିକ ଭାବେ ଗଣା ଯାଏନି.... ।

ପିଲାଙ୍କ ମୁହଁକୁ ଚାହିଁ ଖଟିବା କଥା... ୨୦୧୦ ମସିହା । ଟ୍ରେନରେ ଘରୁକୁ ଫେରୁଥାନ୍ତି । ଷ୍ଟେସନ୍‌ରେ ଓହ୍ଲେଇବା ସମୟରେ ପଡ଼ିଯାଇଥିଲେ । ଆଉ କଟିଯାଇଥିଲା ତାଙ୍କର ୨ଟି ଗୋଡ଼ । ଗୋଡ଼ ସିନା ହରାଇଲେ କିନ୍ତୁ ମନୋବଳ ସେମିତି ଦୃଢଥିଲା । ଏଭଳି ଜଣେ ଦୃଢମନା ବ୍ୟକ୍ତିହେଉଛନ୍ତି ବିଷ୍ଣୁ ପ୍ରସାଦ ମହାକୁଡ଼ । ବର୍ତ୍ତମାନ ସେ ଏକ ସଂସ୍ଥାରେ ଫୁଡ ଡେଲିଭରି ବୟଭାବେ କାର୍ଯ୍ୟ କରୁଛନ୍ତି । ଖରାରେ ଘରଘର ବୁଲି ଖାଦ୍ୟ ପହଞ୍ଚାଇବା କଷ୍ଟ ହୋଇଥିଲେ ମଧ୍ୟ ପାଠ ପଢୁଥିବା ଦୁଇଟି ସନ୍ତାନ ଓ ସ୍ତ୍ରୀ କଥା ଭାବି କାମରୁ କେବେ ମୁହଁ ଫେରାଇ ନାହାନ୍ତି । ବିଷ୍ଣୁ ପ୍ରସାଦଙ୍କୁ ତାଙ୍କ କାମ କଥା ପଚାରିଲେ ଛଳଛଳ ଆଖିରେ କୁହନ୍ତି, ଘରୁ ନ ବାହାରିଲେ ଘର ଚଳିବ କେମିତି । ଛୁଆ ପାଠ ପଢୁଛନ୍ତି । ସେମାନଙ୍କ ମୁହଁକୁ ଚାହିଁ ଖଟିବା କଥା ।

ଖରା କାରଣରୁ ଭାରି କଷ୍ଟ ହେଉଛି... ସାଧାରଣ ଲୋକଙ୍କ ଭଳି ଆମେ ଯାଇକି ଛାଇରେ ଛିଡ଼ା ହୋଇପାରିବୁନି । ଖରା ହେଉଥିଲେ ମଧ୍ୟ ରେସ୍ତୋରାଁ ସାମ୍ନାରେ ଅନେକ ସମୟ ଗାଡ଼ିରେ ବସି ଅପେକ୍ଷା କରିବାକୁ ପଡ଼େ । ଭାରି କଷ୍ଟ ହୁଏ । କୋହଭରା କଣ୍ଠରେ କହନ୍ତି ଫୁଡ ଡେଲିଭରି ବୟ ଭାବେ ୨ ବର୍ଷ ହେବ କାମ କରୁଥିବା ୩୬ ବର୍ଷୀୟ ବିଜୟ ମଲ୍ଲିକ । ଘର ଯାଜପୁରରେ । ବର୍ତ୍ତମାନ ସେ ଭରତପୁର ଅଞ୍ଚଳରେ ରହୁଛନ୍ତି । ସେ ମସ୍କୁଲାର ଡିସ୍ଟ୍ରୋଫି ରୋଗରେ ଆକ୍ରାନ୍ତ । ଫଳରେ ତାଙ୍କ ହାତ, ଗୋଡ଼ ଓ ଅଣ୍ଟାର ମାଂଶପେଶୀ ସାଧାରଣ ଲୋକଙ୍କ ଭଳି କାମ କରେନି । ସେ ଠିକ୍ ଭାବେ ଚାଲିପାରନ୍ତିନି କି କୌଣସି ଜିନିଷକୁ ସହଜରେ ଉଠେଇ ପାରନ୍ତିନି ।

ଏହା ବି ପଢନ୍ତୁ...ୟୁଜିସି-ନେଟ୍ ପରୀକ୍ଷାରେ ସାମିଲ ହେଲା ପରିସଂଖ୍ୟାନ ଓ ବନବିଜ୍ଞାନ

କ’ଣ କରିବା, ପେଟ ପାଇଁ ସବୁ ନାଟ... ୨୦୧୭ ମସିହା । ବାଇକ୍ରେ ଯାଉଥିବାବେଳେ ଦୁର୍ଘଟଣା ହେଲା । ଯେଉଁଥିଲେ ତାଙ୍କର ଦୁଇଟି ଗୋଡ଼ ଅଚଳ ହୋଇଗଲା । ଆଉ ତାଙ୍କର ସାଥୀ ପାଲଟିଗଲା ହୁଇଲ୍‌ଚେୟାର । ହେଲେ ସେ ଜୀବନ ଯୁଦ୍ଧରେ ହାରିଲେନି ବରଂ ଲଢିଲେ । ଏଭଳି ଜଣେ ଆତ୍ମବିଶ୍ୱାସୀ ବ୍ୟକ୍ତି ହେଉଛନ୍ତି ଫୁଡ ଡେଲିଭରି ବୟ ଯତୀନ ଖଟୁଆ । ସେ ମୁଖ୍ୟତଃ ଟ୍ରାଇସାଇକେଲ ଚଲେଇ ଗ୍ରାହକଙ୍କ ପାଖରେ ଖାଦ୍ୟ ପହଞ୍ଚାଇଥାନ୍ତି । ଖରା ହେଉକି ବର୍ଷା ସବୁ ପରିସ୍ଥିରେ ପ୍ରତିଦିନ କାମକୁ ବାହାରନ୍ତି । ଯତୀନ କୁହନ୍ତି, କ’ଣ କରିବା । ପେଟ ପାଇଁ ସବୁ ନାଟ । ରୋଜଗାର କଲେ ସିନା ଚଳିବୁ । ଟ୍ରାଇସାଇକେଲରେ ୮ରୁ ୧୦ ଘଣ୍ଟା ବିତେଇବାକୁ ପଡ଼େ ।