ଅନିଲ ଅମ୍ବାନି ଦୋଷୀ ସାବ୍ୟସ୍ତ: ୪୫୩ କୋଟି ଦିଅ, ନହେଲେ ୩ ମାସ ଜେଲ୍

ନୂଆଦିଲ୍ଲୀ,୨୧।୨: ଅଦାଳତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଆଜି ରିଲାଏନ୍ସ କମ୍ୟୁନିକେସନ୍ ମୁଖ୍ୟ ଅନିଲ ଅମ୍ବାନିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୪ ସପ୍ତାହ ଭିତରେ ୪୫୩ କୋଟି ଟଙ୍କା ନଦେଲେ ତାଙ୍କୁ ଜେଲ୍ ଯିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ଏରିକ୍ସନ୍ ଇଣ୍ଡିଆ ନାମକ ଏକ ବିଦେଶି କମ୍ପାନି ପକ୍ଷରୁ ଅନିଲଙ୍କ ବିରୋଧରେ ଅଦାଳତ ଅବମାନନା ମାମଲା ଦାୟର କରାଯାଇଥିଲା। ରିଲାଏନ୍ସ କମ୍ୟୁନିକେସନର ନେଟ୍ଓ୍ବାକର ଦେଖାଶୁଣା ଏହି କମ୍ପାନି କରୁଥିଲା। ସେ ବାବଦରେ ଏରିକ୍ସନ୍ ୫୫୦ କୋଟି ଟଙ୍କା ପାଇବାର ଥିଲା ଯାହା ଅନିଲ ଦେଉନାହାନ୍ତି। କମ୍ପାନି ଠାରୁ ନିଜ ପ୍ରାପ୍ୟ ପାଇବାରେ ବିଫଳ ହେବା ପରେ ଏରିକ୍ସନ୍ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ଏହାର ଶୁଣାଣି ବେଳେ ଅନିଲ ପ୍ରତିଶ୍ରୁତି ଦେଇଥିଲେ ଯେ ଏରିକ୍ସନର ସବୁ ଟଙ୍କା ଫେରାଇଦେବେ। କିନ୍ତୁ କୋର୍ଟରେ ଦେଇଥିବା ନିଜ ପ୍ରତିଶ୍ରୁତି ସେ ପାଳନ କରିବାରେ ବିଫଳ ହୋଇଥିଲେ। ଏହା ପରେ ଅନିଲଙ୍କ ବିରୋଧରେ ଏରିକ୍ସନ ପକ୍ଷରୁ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା।
ଆଜି ବିଚାରପତି ଆର ଏଫ୍ ନରିମାନ୍ ଏବଂ ଜଷ୍ଟିସ ବିନୀତି ସରନ୍ ମାମଲାର ଶୁଣାଣି କରିବା ବେଳେ କୋର୍ଟ ଆଦେଶକୁ ଅନିଲ ଜାଣିଶୁଣି ଉଲ୍ଲଂଘନ କରିଥିବା କହିଛନ୍ତି। ଏଥିପାଇଁ ଅନିଲ ରିଲାଏନ୍ସ ଟେଲିକମର ଅଧ୍ୟକ୍ଷ ଛାୟା ଭରି ରାନିଙ୍କୁ କୋର୍ଟ ଦୋଷୀ ସାବସ୍ତ୍ୟ କରିଛନ୍ତି।

ଆସନ୍ତା ୪ ସପ୍ତାହ ଭିତରେ ୧ କୋଟି ଟଙ୍କା ଲେଖାଁଏ କୋର୍ଟଙ୍କ ରେଜିଷ୍ଟ୍ରିରେ ଜମା କରିବାକୁ ରିଲାଏନ୍ସ ଟେଲିକମ୍ ଓ ରିଲାଇନ୍ସ ଇନଫ୍ରାଟେଲଙ୍କୁ ନିର୍ଦେଶ ଦିଆଯାଇଛି। ଯଦି ଏହି ଦୁଇ କମ୍ପାନି ଟଙ୍କା ଜମା କରିବାରେ ବିଫଳ ହେବେ ତେବେ ଅନିଲଙ୍କୁ ଆଉ ଗୋଟିଏ ମାସ ଜେଲରେ ରଖାଯିବ ବୋଲି କୋର୍ଟ କହିଛନ୍ତି।
ଯେଉଁ ୧୧୮ କୋଟି ଟଙ୍କା ଅନିଲଙ୍କ ରିଲାଏନ୍ସ ଗ୍ରୁପ ପକ୍ଷରୁ କୋର୍ଟଙ୍କ ରେଜିଷ୍ଟ୍ରରେ ପୂର୍ବରୁ ଜମା କରାଯାଇଥିଲା ତାହାକୁ ତୁରନ୍ତ ଏରିକ୍ସନକୁ ପ୍ରଦାନ କରିବାକୁ ଖଣ୍ଡପୀଠ ନିର୍ଦେଶ କରିଛନ୍ତି। ଅଦାଳତ ଅବମାନନା ମାମଲାରେ ରିଲାଏନ୍ସର ନିଃସର୍ତ୍ତ କ୍ଷମା ପ୍ରର୍ଥନାକୁ କୋର୍ଟ ଖାରଜ କରିଦେଇଥିଲା।