‘RRR’ ର ଟିମ୍କୁ ଓସ୍କାରରେ କିଣିବାକୁ ପଡିଥିଲା ସିଟ୍, ଗୋଟିଏ ଟିକେଟ୍ର ଦାମ୍ ଥିଲା ଏତେ ଲକ୍ଷ

indianexpress
ମୁମ୍ବାଇ ୨୦/୦୩ : ଏସଏସ୍ ରାଜାମୌଲିଙ୍କ ଫିଲ୍ମ ‘RRR’ ସମଗ୍ର ବିଶ୍ୱରେ ପ୍ରଶଂସା ପାଇଛି। ଏହି ଫିଲ୍ମଟି ଓସ୍କାର ୨୦୨୩ ରେ ‘ନାଟୁ ନାଟୁ’ ଗୀତ ପାଇଁ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ପୁରସ୍କାର ଜିତିଛି। କିନ୍ତୁ ଏଥି ମଧ୍ୟରେ ଓସ୍କାର ପୁରସ୍କାର ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରିପୋର୍ଟ ଅନୁଯାୟୀ, ରାଜାମୌଲି, ରାମ ଚରଣ, ଜୁନିଅର ଏନଟିଆର ଓସ୍କାରରେ ସିଟ୍ କିଣିଥିଲେ।

ଓସ୍କାର ୨୦୨୩ ମାର୍ଚ୍ଚ ୧୨ ରେ ଲସ୍ ଏଞ୍ଜେଲ୍ସର ଡଲବି ଥିଏଟରରେ ଅନୁଷ୍ଠିତ ହୋଇଥିଲା। ଖବର ଅନୁଯାୟୀ, ଓସ୍କାରରେ କେବଳ ନାଟୁ ନାଟୁର ମ୍ୟୁଜିକ୍ କମ୍ପୋଜର୍ ଏମଏମ୍ କିରାବାଣୀ ଏବଂ ଗୀତିକାର ଚନ୍ଦ୍ର ବୋଷଙ୍କୁ ଫ୍ରି ପାସ୍ ମିଳିଥିଲା।କାରଣ ସେମାନେ ଆୱାର୍ଡ ସେରିମନି ପାଇଁ ନୋମିନେଟ୍ ହୋଇଥିଲେ। ଏଥିସହିତ ‘RRR’ ଅନ୍ୟ ଟିମ୍ ଅର୍ଥାତ୍ ନିର୍ଦ୍ଦେଶକ ରାଜାମୌଲି, ରାମ ଚରଣ, ଜୁନିଅର୍ ଏନଟିଆର୍ ଏବଂ ସେମାନଙ୍କ ପରିବାରକୁ ଇଭେଣ୍ଟ ଲାଇଭ୍ ଦେଖିବା ପାଇଁ ଟିକେଟ କିଣିବାକୁ ପଡିଥିଲା।

ଦି ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଓସ୍କାର ୨୦୨୩ ପାଇଁ ଗୋଟିଏ ଟିକେଟର ମୂଲ୍ୟ ୨୫ ହଜାର ଡଲାର (ପ୍ରାୟ ୨୦.୬ ଲକ୍ଷ ଟଙ୍କା) ଥିଲା। କେବଳ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଏବଂ ସେମାନଙ୍କ ପରିବାରଙ୍କୁ ମାଗଣା ପାସ୍ ମିଳିଥିଲା।ଅନ୍ୟ ଲୋକମାନଙ୍କୁ ଇଭେଣ୍ଟ ପାଇଁ ଟିକେଟ୍ କିଣିବାକୁ ପଡିଥିଲା। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଭାରତୀୟ ପ୍ରଶଂସକ ଏବଂ ଦର୍ଶକ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ନିର୍ଦ୍ଦେଶକ ଏବଂ ଅଭିନେତାମାନଙ୍କୁ ମଧ୍ୟ ଓସ୍କାର ପାଇଁ ଟିକେଟ କିଣିବାକୁ ପଡିଥିଲା।

ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଏଥି ପାଇଁ ଦୁଃଖିତ ଥିଲେ ଯେ, ରାଜାମୌଲିଙ୍କ ସମେତ ‘RRR’ ର ବାକି ଟିମ୍କୁ ଏକାଡେମୀ ସଂଗଠକମାନେ ଶେଷ ସିଟ୍ ପ୍ରଦାନ କରିଥିବାବେଳେ, ଏମଏମ୍ କିରାବାଣୀ ଏବଂ ଚନ୍ଦ୍ର ବୋଷ ଅନ୍ୟ ପ୍ରାର୍ଥୀଙ୍କ ସହ ଆଗ ସିଟରେ ବସିଥିଲେ। ବର୍ତ୍ତମାନ ଏହାର କାରଣ ସାମ୍ନାକୁ ଆସିଛି । କିରାବାଣୀ ଏବଂ ଚନ୍ଦ୍ର ବୋଷ ନୋମିନେସନ୍ ହୋଇଥିବାବେଳେ ବାକି ଟିମ୍ ଟିକେଟ୍ କିଣିଥିଲେ।