‘ପ୍ରମେୟ’ ମହାପ୍ରଭାବ ; ବେଆଇନ ବାଲି ଉତ୍ତୋଳନ ବେଳେ ରାଜସ୍ୱ ବିଭାଗର ଚଢ଼ାଉ, ୧୦ଟି ବାଲି ବୋଝେଇ ଡଙ୍ଗା ଜବତ

ଭୋଗରାଇ,୬/୧୨: ବଢ଼ିଚାଲିଛ ବାଲି ମାଫିଆଙ୍କ ଦୌରାତ୍ମ୍ୟ। ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଦିନରାତି ବେଆଇନ ଭାବେ ନଦୀ ଗର୍ଭରୁ ବାଲି ଖୋଳି ସ୍ଥାନୀୟ ଅଞ୍ଚଳ ସମେତ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଛନ୍ତି ବାଲି ମାଫିଆ। ବେଧଡକ ବାଲି ଖନନ ଯୋଗୁଁ ନଦୀ କୂଳିଆ ୪ ଗାଁ ଅତିଶୀଘ୍ର ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ଏହାସହିତ ବନ୍ୟା ପ୍ରତିରୋଧକ ଭୁଆବନ୍ଧ ମଧ୍ୟ ଭୁଶୁଡ଼ି ଯିବା ଆଶଙ୍କା ସୃଷ୍ଟି ହୋଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଏହାକୁ ନେଇ କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିବା ନେଇ ରବିବାର ‘ପ୍ରମେୟ ଡିଜିଟାଲ’ ଏବଂ ସୋମବାର ‘ପ୍ରମେୟ ଦୈନିକ’ ଖବରକାଗଜରେ ସମ୍ପୂର୍ଣ୍ଣ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ ପାଇଥିଲା ।
ଏହାପରେ ରାଜସ୍ବ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ମଙ୍ଗଳବାର ମଧ୍ୟାହ୍ନରେ ଭୋଗରାଇ ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶୀ ଭୋଗରାଇ ଥାନା ପୁଲିସ ସହଯୋଗରେ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା ବେଳେ ଅତିରିକ୍ତ ତହସିଲଦାର ୧୦ ଟି ଯନ୍ତ୍ରଚାଳିତ ବାଲି ବୋଝେଇ ଡଙ୍ଗା ଜବତ କରି ସ୍ଥାନୀୟ ସରପଞ୍ଚଙ୍କ ଜିମା ଦେବା ସହିତ ନଦୀ ଗର୍ଭରୁ ବାଲି ଉତ୍ତୋଳନ ଉପରେ ସରକାରୀ ନିଷେଧାଜ୍ଞା ଜାରି କରିଛନ୍ତି। ନିଷେଧାଜ୍ଞା ଅବମାନନା କଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ତହସିଲଦାର ପ୍ରିୟଦର୍ଶୀ ‘ପ୍ରମେୟ’କୁ ସୂଚନା ଦେଇଛନ୍ତି।
ସୂଚନା ମୁତାବକ,ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ଏହି ନଦୀ କୂଳରେ ରହିଛି କୁମ୍ଭୀରଗଡ଼ି ପଞ୍ଚାୟତର କୁମ୍ଭୀରଗଡି, ଖଳାବାଡିଆ,କୋହ୍ଲା ଓ ଅଡଙ୍ଗପନ୍ତାଇ ଗାଁ। ଏହି ଗାଁ ପାର୍ଶ୍ବ ନଦୀରେ ସୃଷ୍ଟି ହୋଇଛି ବିଶାଳ ବିଶାଳ ବାଲିଚଢ। ଏହି ବାଲିଚଢ ଉପରେ ପଡିଛି ବାଲି ମାଫିଆଙ୍କ ନଜର। ଏହି ଚଢରୁ ସ୍ଥାନୀୟ ବାଲି ମାଫିଆମାନେ ଦିନରାତି ବେଆଇନ ଭାବେ ବାଲି ଖୋଳି ଯନ୍ତ୍ରଚାଳିତ ଡଙ୍ଗା ଯୋଗେ କୂଳକୁ ଆଣିବା ପରେ ଦୈନିକ ଶହ ଶହ ଟ୍ରାକ୍ଟର ବାଲି ପଡୋଶୀ ପଶ୍ଚିମବଙ୍ଗ ସମେତ ସ୍ଥାନୀୟ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଛନ୍ତି। ଏହି ବେଆଇନ୍ ବାଲି ଉତ୍ତୋଳନ ହେବା କାରଣରୁ ବିପଦ ମଧ୍ୟକୁ ଟାଣି ହୋଇ ଯାଇଛନ୍ତି ନଦୀ ପାଖ ୪ ଗାଁ ଲୋକେ। ଏହାବାଦ ନଦୀ ଗର୍ଭରୁ ବ୍ୟାପକ ପରିମାଣର ବାଲି ଖୋଳି ବାହାର କରାଯାଉଥିବାରୁ ନଦୀ କୂଳ ଅତଡା ଧସିବା ଆରମ୍ଭ ହୋଇଛି। ଯେଉଁ ପରିମାଣରେ ଅତଡା ଧସିବା ଆରମ୍ଭ ହୋଇଛି,ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ନଦୀ କୂଳିଆ ଏହି ୪ ଟି ଗାଁ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖା ଦେଇଛି।
ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲି ଖାଦାନ ବନ୍ଦ ରହିଥିଲା ବେଳେ ଏଠାରେ କୌଣସି ପ୍ରଶାସନିକ ପ୍ରତିବନ୍ଧକ ଜାରି କରାଯାଉନାହିଁ। ଫଳରେ ଏଠାରୁ ବିପୁଳ ପରିମାଣର ବାଲି ଖୋଳା ଚାଲିଛି। ଏହାଦ୍ବାରା ରାଜ୍ୟ ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନୀ ହେବା ସହିତ ନଦୀ କୂଳରେ ଥିବା ୪ ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ନଦୀ ଗର୍ଭରୁ ବେଆଇନ ବାଲି ଉତ୍ତୋଳନ ଏବଂ ଚୋରା ଚାଲାଣ ବନ୍ଦ କରିବା ସହିତ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ‘ପ୍ରମେୟ’ରେ ଖବର ପ୍ରକାଶ ପାଇବା ମାତ୍ରେ ରାଜସ୍ବ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।