ନୂଆଦିଲ୍ଲୀ, ୧୬।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ସଂଘର୍ଷ ଏବେ ଏକ ଭୟଙ୍କର ମୋଡ଼ ନେଇଛି । ଖାର୍ଗ ଦ୍ୱୀପ ଏବଂ ହର୍ମୁଜ ପ୍ରଣାଳୀ ପରେ ଆମେରିକା ଏବେ ଇରାନର ଅନ୍ୟତମ ବୃହତ୍ତମ ବାଣିଜ୍ୟିକ କେନ୍ଦ୍ର 'ଚବାହାର ବନ୍ଦର' ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି । ଏହି ଘଟଣା ପରେ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଭାରତର ରଣନୈତିକ ସ୍ୱାର୍ଥ ଏବେ ସଙ୍କଟରେ ପଡ଼ିଥିବା ଆଶଙ୍କା କରାଯାଉଛି । ରିପୋର୍ଟ ଅନୁସାରେ, ଆମେରିକାର ଶକ୍ତିଶାଳୀ ଲଢ଼ୁଆ ବିମାନଗୁଡ଼ିକ ଚାବାହାର ବନ୍ଦର ଏବଂ ଏହାର ଆଖପାଖରେ ଥିବା ବାଣିଜ୍ୟିକ କ୍ଷେତ୍ରକୁ ଟାର୍ଗେଟ୍ କରି ପ୍ରବଳ ବୋମାବର୍ଷଣ କରିଛନ୍ତି ।
ଏହା ବି ପଢ଼ନ୍ତୁ... ଦୁବାଇ ଏୟାରପୋର୍ଟରେ ଡ୍ରୋନ୍ ଆଟାକ୍: ଫୁଏଲ୍ ଟାଙ୍କିରେ ଭୟଙ୍କର ନିଆଁ, ବିମାନ ଚଳାଚଳ ବନ୍ଦ
ବନ୍ଦର ନିକଟସ୍ଥ ଇରାନୀ ସାମରିକ ଘାଟିଗୁଡ଼ିକୁ ଧ୍ୱଂସ କରିବା ପାଇଁ ଆମେରିକା ଏହି ପଦକ୍ଷେପ ନେଇଛି । 'ଅଲ ଜଜିରା' ସୂଚନା ଅନୁଯାୟୀ, ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳ ଭୟଙ୍କର ବିସ୍ଫୋରଣ ଶବ୍ଦରେ ଥରି ଉଠିଥିଲା । ଆକାଶରେ କଳା ଧୂଆଁର ପାହାଡ଼ ଦେଖିବାକୁ ମିଳିଛି, ଯାହା ବ୍ୟାପକ କ୍ଷୟକ୍ଷତିର ସୂଚନା ଦେଉଛି । ଚବାହାର ବନ୍ଦର କେବଳ ଇରାନ ପାଇଁ ନୁହେଁ, ବରଂ ଭାରତ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଏହି ବନ୍ଦର ମାଧ୍ୟମରେ ପଶ୍ଚିମ ଏସିଆ, ଆଫଗାନିସ୍ତାନ ଏବଂ ୟୁରୋପ ସହିତ ବାଣିଜ୍ୟ କାରବାର କରିଥାଏ । ଭାରତ ସରକାର ଗତ କିଛି ବର୍ଷ ଧରି ଚାବାହାର ପ୍ରକଳ୍ପର ବିକାଶ ପାଇଁ ନିଜ ବଜେଟ୍ରୁ ବହୁ ପରିମାଣର ଅର୍ଥ ବ୍ୟୟ କରିଛନ୍ତି ।
କହିରଖୁଛୁ ଯେ, ଯଦି ଏହି ବନ୍ଦର ଆକ୍ରମଣ ଯୋଗୁଁ ଅଚଳ ହୋଇଯାଏ, ତେବେ ଭାରତର କୋଟି କୋଟି ଟଙ୍କାର ନିବେଶ ବୁଡ଼ିଯିବା ସହ ବାଣିଜ୍ୟ ପଥ ବନ୍ଦ ହୋଇଯିବ । ଏହି ସଙ୍କଟଜନକ ପରିସ୍ଥିତିକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଚବାହାର ପ୍ରକଳ୍ପକୁ ନେଇ ସରକାର ସ୍ଥିତି ସ୍ପଷ୍ଟ କରିବା ଉଚିତ୍ । ଭାରତ ଏବେ ବି ଏହି ପ୍ରକଳ୍ପରେ ସାମିଲ ଅଛି କି ନାହିଁ ଏବଂ ଆକ୍ରମଣ ପରେ ଏହାର ଭବିଷ୍ୟତ କ’ଣ, ତାହା ଦେଶକୁ ଜଣାଇବା ଦରକାର । ନଚେତ୍ ଏହା ଭାରତ ପାଇଁ ଏକ ବଡ଼ ରଣନୈତିକ ପରାଜୟ ସଦୃଶ ହେବ । ଚବାହାର ବନ୍ଦର ଉପରେ ଆକ୍ରମଣ ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଯଦି ଯୁଦ୍ଧ ଆହୁରି ଘନେଇବ, ତେବେ କେବଳ ବାଣିଜ୍ୟ ନୁହେଁ, ବରଂ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଭାରତୀୟ ଅର୍ଥନୀତି ଉପରେ ଚାପ ପକାଇପାରେ ।