ନୂଆଦିଲ୍ଲୀ, ୧୬।୩: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ ଯୁଦ୍ଧର ନିଆଁ ଏବେ ସଂଯୁକ୍ତ ଆରବ ଏମିରେଟ୍ସ (UAE)କୁ ବ୍ୟାପିବାରେ ଲାଗିଛି । ସୋମବାର ସକାଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ବଡ଼ ଧରଣର ଡ୍ରୋନ ମାଡ଼ ହୋଇଛି । ଏହି ଆକ୍ରମଣ ପରେ ବିମାନବନ୍ଦରର ଏକ ଇନ୍ଧନ ଟାଙ୍କିରେ ଭୟଙ୍କର ନିଆଁ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଦୁବାଇ ମିଡିଆ ଅଫିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳୁ ଏକ ଅଜ୍ଞାତ ଡ୍ରୋନ ବିମାନବନ୍ଦର ପରିସରରେ ଖସିପଡ଼ିଥିଲା, ଯାହାଫଳରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଛି । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ଦୁବାଇ ନାଗରିକ ବିମାନ ଚଳାଚଳ ପ୍ରାଧିକରଣ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଉଡ଼ାଣ ବାତିଲ କରିଛନ୍ତି ।
ଏହା ବି ପଢ଼ନ୍ତୁ... ଇସ୍ରାଏଲୀ ଗୁପ୍ତଚର ନେଟୱାର୍କ ଉପରେ ଇରାନ କଡ଼ା ଆକ୍ସନ୍ ,୨୦ ଜଣ ଗିରଫ
ବିମାନବନ୍ଦରକୁ ଆସୁଥିବା ସମସ୍ତ ବିମାନକୁ ଅନ୍ୟତ୍ର ମୋଡ଼ି ଦିଆଯାଇଛି କିମ୍ବା ହୋଲ୍ଡରେ ରଖାଯାଇଛି । କରାଚି, କାଠମାଣ୍ଡୁ, ହାନୋଇ ଏବଂ ଅମ୍ମାନରୁ ଆସୁଥିବା ୫ଟି ବିମାନ ଏବେ ଅଟକି ରହିଛି । ଯାତ୍ରୀମାନଙ୍କୁ ନିଜ ନିଜ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
୫ ଦିନରେ ଦ୍ୱିତୀୟ ଆକ୍ରମଣ:
କହିରଖୁଛୁ ଯେ, ମାତ୍ର ୫ ଦିନ ପୂର୍ବରୁ ମଧ୍ୟ ଦୁବାଇ ଏୟାରପୋର୍ଟ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ୪ ଜଣ ଆହତ ହୋଇଥିଲେ । ଗତ ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କାରଣରୁ ପାମ୍ ଜୁମେରା, ଆବୁଧାବି ଏବଂ ଫୁଜୈରା ତୈଳ ପ୍ରକଳ୍ପ ଉପରେ ମଧ୍ୟ ବାରମ୍ବାର ମିସାଇଲ୍ ଓ ଡ୍ରୋନ୍ ମାଡ଼ ହେଉଛି । ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଏହି ସଂଘର୍ଷ ଏବେ ପୁରା ପଶ୍ଚିମ ଏସିଆ ପାଇଁ ସଙ୍କଟ ସୃଷ୍ଟି କରିଛି । ଏହି ଡ୍ରୋନ୍ କାହା ପକ୍ଷରୁ ପଠାଯାଇଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବା ଦିନଠାରୁ ଇରାନ ପକ୍ଷରୁ UAEକୁ ସବୁଠାରୁ ଅଧିକ ଟାର୍ଗେଟ୍ କରାଯାଇଥିବା ସୂଚନା ମିଳିଛି । ଇରାନ ଏପର୍ଯ୍ୟନ୍ତ ୧,୮୦୦ରୁ ଅଧିକ ମିସାଇଲ୍ ଏବଂ ଆତ୍ମଘାତୀ ଡ୍ରୋନ୍ ମାଡ଼ କରିସାରିଲାଣି, ଯାହାଫଳରେ ଏହି ଅଞ୍ଚଳର ସବୁଠୁ ପ୍ରଭାବିତ ଦେଶ ଭାବେ UAE ଉଭା ହୋଇଛି । ବାରମ୍ବାର ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ ଯୋଗୁଁ ଖାଡ଼ି ଦେଶର ପ୍ରମୁଖ ଆର୍ଥିକ କେନ୍ଦ୍ର କୁହାଯାଉଥିବା ଦୁବାଇ ଏବଂ ଆବୁଧାବିର ବିମାନ ସେବା ବାଧାପ୍ରାପ୍ତ ହେଉଛି । ଆକ୍ରମଣ ବ୍ୟାପକ ହୋଇଥିଲେ ମଧ୍ୟ UAEର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ଅଧିକାଂଶ ମିସାଇଲକୁ ଆକାଶ ମାର୍ଗରେ ହିଁ ନଷ୍ଟ କରିବାରେ ସଫଳ ହୋଇଛି । ଆମେରିକା ଓ ଇସ୍ରାଏଲ୍ ସହ ଚାଲିଥିବା ବିବାଦର ପ୍ରତିଶୋଧ ନେବା ପାଇଁ ଇରାନ ଏବେ UAEର ବିମାନବନ୍ଦର, ବନ୍ଦର ଏବଂ ତୈଳ ପ୍ରକଳ୍ପ ଭଳି ନାଗରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରୁଛି । UAE ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ସଂଘର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏଥିମଧ୍ୟରେ ୪ ଜଣ ସାଧାରଣ ନାଗରିକ ଏବଂ ୨ ଜଣ ସୈନ୍ୟ ଅଛନ୍ତି । ସୈନ୍ୟମାନଙ୍କର ମୃତ୍ୟୁ ଏକ ହେଲିକପ୍ଟର ଦୁର୍ଘଟଣା ଯୋଗୁଁ ହୋଇଥିବା ଜଣାପଡ଼ିଛି ।