PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ରାସ୍ତା ମରାମତି ନେଇ ଅଭିଯୋଗ କଲେ ଗ୍ରାମବାସୀ, ଅଚିନ୍ତାରେ ଜିଲ୍ଲା ପ୍ରଶାସନ

ଦାରିଙ୍ଗବାଡ଼ି,୧୭/୧୧: ଗାଁ  କୁ ଗାଁ ସଂଯୋଗ କରିବାକୁ ନୂତନ ରାସ୍ତା ନିର୍ମାଣ କରୁଛନ୍ତି ସରକାର । ଏଥିପାଇଁ  କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି । ହେଲେ ରାସ୍ତା ମରାମତି କରିବା କଥା ଭୁଲିଯାଉଛି ପ୍ରଶାସନ । ଯାହା ଫଳରେ ରାସ୍ତାର ଶୋଚନୀୟ  ଅବସ୍ଥା ହୋଇପଡ଼ୁଛି । ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ପର୍ତ୍ତମାହା-ଝିମାବାଡ଼ି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାରେ । କେର୍କେବାଡ଼ି, ପେତରବାଡ଼ି, ଝିମାବାଡ଼ି ଗ୍ରାମ ଦେଇ ଯାଇଛି ଏହି ରାସ୍ତା । ଉକ୍ତ ଗ୍ରାମରେ ୪ ଶହରୁ ଅଧିକ ପରିବାର ଲୋକ ବସବାସ କରୁଥିବା ଜଣାପଡ଼ିଛି । ଏଥି ସହ ସିଧୁପାଦେରି, ମତରବାଡ଼ି, ଜାଣ୍ଡିବାଡ଼ି ସହ କୋଟଗଡ଼ ବ୍ଲକର ବହୁ ଗ୍ରାମ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ହେଲେ ରାସ୍ତାଟିର ଅବସ୍ଥା ନ କହିବା ଭଲ ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ୨୦୧୮ ମସିହାରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ପୁନଃ ମରାମତି କରାଯାଉନାହିଁ ।  ଫଳରେ ରାସ୍ତାର ପିଚୁ ଉଠିଯିବା ସହ ମେଟାଲ ବାହାରି ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ଉକ୍ତ ରାସ୍ତା ଦେଇ ଯାତାୟତ କରିବାରୁ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଗାଡ଼ି ଖସି ଦୁର୍ଘଟଣା ହେବା ସହ ଏଥିରେ ଅନେକ ଲୋକ ଆହତ ମଧ୍ୟ ହେଲେଣି । ଗୋଟିଏ ପଟେ ସରକାର ସଡ଼କ ସୁରକ୍ଷା ନେଇ ଗାଡ଼ିଗୁଡ଼ିକୁ  ବିଭିନ୍ନ ସମୟରେ ଯାଞ୍ଚ କରି ନିୟମ ଉଲଙ୍ଘନକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରୁଥିବା ବେଳେ ଅନ୍ୟପଟେ ସରକାରଙ୍କ ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ରାସ୍ତାରେ ଖାଲଢିପ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ତଥାପି ଅଚିନ୍ତାରେ ପ୍ରଶାସନ । ରାସ୍ତା ମରାମତି ନକରି ଲୋକଙ୍କୁ ମରଣ ମୁହଁକୁ ଠେଲି ଦିଆଯାଉଛି । ପ୍ରଶାସନର ଏଭଳି ବେଖାତିର ମନୋଭାବ ଯୋଗୁଁ  ଦିନକୁ ଦିନ  ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯଥାଶୀଘ୍ର ରାସ୍ତାର ମରାମତି କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଯଦି ରାସ୍ତା ମରାମତି କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।