ନୂଆଦିଲ୍ଲୀ ୧୮/୦୪: ଚୀନ୍‌ରେ ନିର୍ମାଣ ହେଉଛି ବିଶ୍ୱର ସର୍ବୋଚ୍ଚ ସେତୁ । ଆସନ୍ତା ଜୁନ୍‌ରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲିବ । ଭିତ୍ତିଭୂମି ଉପରେ ଫୋକସ୍‌ କରୁଥିବା ଦେଶର ଉନ୍ନତ ଇଞ୍ଜିନିୟରିଂ ଜ୍ଞାନକୌଶଳର ଏହା ସଦ୍ୟତମ ଉପଲବ୍ଧି । ଦକ୍ଷିଣପୂର୍ବ ଚୀନ୍‌ର ଗୁଇଝୋଉରେ ଅବସ୍ଥିତ ହୁଆଜିଆଙ୍ଗ ଗ୍ରାଣ୍ଡ୍‌ କାନ୍‌ୟୋନ ପୋଲର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାର ଉଚ୍ଚତା ନଦୀ ସ୍ତରଠୁ ୨,୦୫୧ ଫୁଟ । ବର୍ତ୍ତମାନ ସର୍ବୋଚ୍ଚ ପୋଲର ଟାଇଟଲ ଧାରଣ କରିଥିବା ଫ୍ରାନ୍ସର ମିଲାଉ ଭାୟାଡକ୍ଟ ପୋଲଠୁ ଏହା ୯୪୭ ଫୁଟ ଉଚ୍ଚ । 

ଗୁଇଝୋଉ ପ୍ରଦେଶ ଜଟିଳ ଘାଟିଯୁକ୍ତ ଚୀନ୍‌ର ଏକ ପାର୍ବତ୍ୟାଞ୍ଚଳ । ଏହି ପୋଲ ସମଗ୍ର ହୁଆଜିଆଙ୍ଗ ଗ୍ରାଣ୍ଡ୍‌ କାନ୍‌ୟୋନରେ ଲମ୍ବିଛି, ଯାହା ‘ଅର୍ଥ୍‌ କ୍ରାକ୍‌’ ନାମରେ ମଧ୍ୟ ପରିଚିତ । ଭିତ୍ତିଭୂମିର ଉନ୍ନତି ପାଇଁ ଚୀନ୍‌ ଦେଶବ୍ୟାପୀ ପ୍ରୟାସ ଚଳାଇଛି, ଖାସ୍‌କରି ଗୁଇଝୋଉ ଭଳି ପାର୍ବତ୍ୟାଞ୍ଚଳରେ ଏହା ଭିତ୍ତିଭୂମି ବିକାଶରେ ଖାସ୍‌ ଫୋକସ୍‌ କରୁଛି । ଏହି ପୋଲ କେବଳ ବିଶ୍ୱର ସର୍ବୋଚ୍ଚ ସେତୁର ରେକର୍ଡ ଭାଙ୍ଗିବ ତାହା ନୁହେଁ, ଏହା କାର୍ଯ୍ୟକାରୀ ହେଲେ ଘାଟି ଅଞ୍ଚଳରେ କାର୍‌, ଟ୍ରକ୍‌ ଆଦିର ଯାତାୟାତ ସହଜ ହେବ । ହୁଆଜିଆଙ୍ଗ ଗ୍ରାଣ୍ଡ୍‌ କାନୟୋନ୍‌ରେ ୨ ଘଣ୍ଟାର ଯାତ୍ରା ସମୟକୁ ଏହା ମାତ୍ର ୧ ମିନିଟ୍‌ରେ ଶେଷ କରିବ । ଏହି ପୋଲ ଏକ ଷ୍ଟିଲ୍‌ ଟ୍ରସ୍‌ ସସ୍‌ପେନ୍‌ସନ ବ୍ରିଜ୍‌, ଯାହାର ମୋଟ୍‌ ଲମ୍ବ ୯,୪୮୨ ଫୁଟ । ଏହି ଟ୍ରସ୍‌ଗୁଡ଼ିକର ଓଜନ ପ୍ରାୟ ୨୨ ହଜାର ଟନ୍‌, ଯାହା ୩ଟି ଆଇଫିଲ ଟାୱାର୍‌ ସହ ସମାନ । ୨୦୨୨, ଜାନୁଆରୀରେ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆସନ୍ତା ଜୁନ୍‌ ୩୦ରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି ।

ଗୁଇଝୋଉ ହାଇୱେ ଗ୍ରୁପ୍‌ର ମୁଖ୍ୟ ଇଞ୍ଜିନିୟର ଝାଙ୍ଗ୍‌ ଶେଙ୍ଗଲିନ୍‌ କହିଛନ୍ତି, ପୋଲର ନିର୍ମାଣ କାର୍ଯ୍ୟ ୯୫ ପ୍ରତିଶତ ଶେଷ ହୋଇଛି । ବର୍ଷର ଦ୍ୱିତୀୟାର୍ଦ୍ଧରେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଏହା ଖୋଲିବ । ଏହି ସୁପର୍‌ ପ୍ରୋଜେକ୍ଟ ଚୀନ୍‌ର ଭିତ୍ତିଭୂମି ସାମର୍ଥ୍ୟକୁ ଦର୍ଶାଉଥିବା ଆଉ ଏକ ଲ୍ୟାଣ୍ଡ୍‌ମାର୍କ ହେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ବିଶ୍ୱର ୧୦୦ ସର୍ବୋଚ୍ଚ ପୋଲର ଅଧା ଗୁଇଝୋଉରେ ଅବସ୍ଥିତ । ଏହି ପୋଲ ଚୀନ୍‌ର ଅଧିକ ଗ୍ରାମାଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ପରିବହନର ମାର୍ଗ ପ୍ରଦାନ ସହିତ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେବ । ୨୦୧୬ରେ ଚୀନ୍‌ର ସର୍ବୋଚ୍ଚ ପୋଲ ବିପାନ୍‌ଜିଆଙ୍ଗ୍‌ରେ ନିର୍ମିତ ହୋଇଥିଲା, ଯାହାର ଉଚ୍ଚତା ୧,୮୫୪ ଫୁଟ ।