ସୋନୁ ନିଗମଙ୍କ ବାପାଙ୍କ ଘରେ କଳାକନା ବୁଲାଇଲେ ଚୋର, ପୂର୍ବତନ ଡ୍ରାଇଭର ବିରୋଧରେ ମାମଲା ରୁଜୁ

zeenews
ନୂଆଦିଲ୍ଲୀ ୨୩/୦୩ : ଆଜିକାଲି ଷ୍ଟାରମାନଙ୍କ ଘରୁ ବହୁତ ଚୋରି ହେଉଥିବା ଦେଖାଯାଉଛି। ନିକଟରେ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ଘରୁ ଅଳଙ୍କାର ଚୋରି ହୋଇଥିବା ମାମାଲା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଗାୟକ ସୋନୁ ନିଗମଙ୍କ ବାପାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କା ଚୋରି ହୋଇଛି। ସୋନୁ ନିଗମଙ୍କ ୭୬ ବର୍ଷିୟ ପିତା ଅଗମକୁମାର ନିଗମଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଛି। ଏହି ମାମଲାରେ ତାଙ୍କ ପୂର୍ବତନ ଡ୍ରାଇଭର ବିରୋଧରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ଅଗମକୁମାର ତାଙ୍କ ଝିଅ ନିକିତାଙ୍କ ଘରକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ। ଘରକୁ ଫେରି ସେ ଦେଖିଥିଲେ ଯେ ପ୍ରଥମେ ୪୦ ଲକ୍ଷ ଟଙ୍କା ଗାଏବ ଥିଲା ଏବଂ ପରଦିନ ୩୨ ଲକ୍ଷ ଟଙ୍କା ଚୋରି ହୋଇଥିଲା। ସିସିଟିଭି ଫୁଟେଜରୁ ଅଭିଯୁକ୍ତ ଜଣକ ପୂର୍ବତନ ଡ୍ରାଇଭର ବୋଲି ଜଣା ପଡିଥିଲା।

ସୋନୁ ନିଗମଙ୍କ ବାପା ମୁମ୍ବାଇର ଓଶିୱାରାର ଆନ୍ଧେରି ଇଷ୍ଟରେ ରୁହନ୍ତି। ତାଙ୍କର ରେହାନ ନାମକ ଜଣେ ଡ୍ରାଇଭର ଥିଲେ। ରେହାନ ଅଗମକୁମାରଙ୍କ ଘରେ ୮ ମାସ କାମ କରିଥିଲେ। ପରେ ରେହାନ ଭଲ କାମ କରନ୍ତିନି ବୋଲି ତାଙ୍କୁ ଚାକିରିରୁ ବାହାର କରାଯାଇଥିଲା। ଯାହାପରେ ସେ ଏହି ଚୋରି କରିଛନ୍ତି। ସୋନୁ ନିଗମଙ୍କ ସାନ ଭଉଣୀ ନିକିତା ଓଶିୱାରା ପୋଲିସ ଷ୍ଟେସନରେ ଏହି ମାମଲା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଆଇପିସିର ଧାରା ୩୮୦, ୪୫୪ ଏବଂ ୪୭୪ ଅନୁଯାୟୀ ରେହାନଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇଛି।