ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଅଣୁ, କ୍ଷୁଦ୍ର ଏବଂ  ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଗୁଡ଼ିକ ନିଯୁକ୍ତି  ଓ ରପ୍ତାନିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।  ଏଭଳି ସ୍ଥିତିରେ ଓଡ଼ିଶା ପ୍ରତି ଜିଲ୍ଲାରେ ବହୁ ଉତ୍ପାଦ  ଏମ୍‌ଏସ୍‌ଏମ୍‌ଇ ପାର୍କ ନୂଆ ଯୋଜନାକୁ ତ୍ୱରାନ୍ୱିତ  କରିଛି । ଏଥିରେ ବିସ୍ତୃତ ବର୍ଗର ଉତ୍ପାଦ ପ୍ରସ୍ତୁତିକୁ  ପ୍ରାଥମିକତା ଦିଆଯିବ । ଏଥିରେ ୨୫୦ କୋଟି ଟଙ୍କା  ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ଶିଳ୍ପ ବିଭାଗ ପକ୍ଷରୁ  ସୂଚନା ମିଳିଛି । 

ରାଜ୍ୟର ଅଭିବୃଦ୍ଧିଶୀଳ ତଥା ବଛାବଛା ସ୍ଥାନରେ  ଏକାଧିକ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ଏଭଳି  ଶିଳ୍ପ ପାର୍କର ପରିକଳ୍ପନା କରାଯାଇଛି । ଏସବୁ  ପାର୍କଗୁଡ଼ିକରେ କ୍ଷୁଦ୍ର ଶିଳ୍ପକୁ ବିଶେଷ ସୁବିଧା  ଯୋଗାଇ ଦିଆଯିବ । ଫଳରେ ଏମ୍‌ଏସ୍‌ଏମ୍‌ଇ  ସେମାନଙ୍କ ଉତ୍ପାଦନକୁ ତ୍ୱରାନ୍ୱିତ କରିବେ । ଏହା  ଦ୍ୱାରା ରାଜ୍ୟର ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିକୁ ଆଉ  ପାଦେ ଆଗକୁ ନେବା ଯୋଜନା ରହିଛି । 

ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ମଧ୍ୟରେ ପରିବେଶ  ଉପଯୋଗୀ ଟେକ୍ନୋଲୋଜି ଗ୍ରହଣ ଏବଂ ପ୍ରତିଯୋଗିତା  ମନୋଭାବ ବଢ଼ାଇବା ଉପରେ ମଧ୍ୟ ଏବେ ଉଦ୍ୟମ  ଜାରି ରହିଛି ବୋଲି ଶିଳ୍ପ ବିଭାଗର ଜଣେ  ଅଧିକାରୀ କହିଛନ୍ତି । ଏଥିସହ  ରାଜ୍ୟ ସରକାର କେନ୍ଦ୍ରୀୟ  ଯୋଜନା ଅଣୁ ଏବଂ ମଧ୍ୟମ  ଉଦ୍ୟୋଗ-କ୍ଲଷ୍ଟର ବିକାଶ  କାର୍ଯ୍ୟକ୍ରମ (ଏମ୍‌ଏସ୍‌ଇ-ସିଡିପି) ପ୍ରକଳ୍ପ ମଧ୍ୟ ହାତକୁ  ନେଇଛନ୍ତି ।  

ଏଥିରେ ୫୪ କ୍ଲଷ୍ଟରକୁ  ଚିହ୍ନଟ କରାଯାଇଛି । ପୁରୀର  ବ୍ରହ୍ମଗିରିରେ କାଜୁ କ୍ଲଷ୍ଟର, ବାଲେଶ୍ୱରରେ  ଚାଉଳ ମିଲ୍‌ କ୍ଲଷ୍ଟର, କଟକରେ ଇଞ୍ଜିନିୟରିଂ କ୍ଲଷ୍ଟର  ଏବଂ ଭୁବନେଶ୍ୱର ଓ କଟକରେ ପ୍ରିଣ୍ଟିଂ ଆଣ୍ଡ୍‌  ପ୍ୟାକେଜିଂ କ୍ଲଷ୍ଟର ଭାବେ ୪ କମନ ଫାସିଲିଟି  ସେଣ୍ଟର (ସିଏଫ୍‌ସି)କୁ ମଞ୍ଜୁରୀ ମିଳିଛି । ସେହିଭଳି  ଅଦ୍ୟାବଧି ବରଗଡ଼ରେ ଚାଉଳ ମିଲ୍‌ କ୍ଲଷ୍ଟର,  ଗଞ୍ଜାମର ରମ୍ଭାରେ କାଜୁ କ୍ଲଷ୍ଟର ଏବଂ କଟକ  ଭୁବନେଶ୍ୱରରେ ଫାର୍ମା କ୍ଲଷ୍ଟର ଅଧିନରେ ୩  ସିଏଫ୍‌ସି କାର‌୍ୟ୍ୟ ସମ୍ପୂର୍ଣ୍ଣ କରାଯାଇଛି । 

ବିନିର୍ମାଣ କ୍ଷେତ୍ରରେ କ୍ଷୁଦ୍ର  ଶିଳ୍ପକୁ ଉତ୍ସାହିତ କରିବାକୁ  ଚିଫ୍‌ ମିନିଷ୍ଟର୍ସ ସ୍କିମ ଫର୍‌  ରିଇମ୍ବର୍ସମେଣ୍ଟ ଅଫ୍‌ ଇଣ୍ଟରେଷ୍ଟ  ଅଫ୍‌ ଏମ୍‌ଏସ୍‌ଏମ୍‌ଇ  (ସିଏମ୍‌-ଶ୍ରୀମ୍‌) ନାମକ ଏକ  ନୂଆ ଯୋଜନା ରାଜ୍ୟ ସରକାର  ଆଣିଛନ୍ତି । ଏହା ଦ୍ୱାରା ଏମ୍‌ଏସ୍‌ଏମ୍‌ଇ  ଗୁଡ଼ିକ ପରିଚାଳନା ପୁଞ୍ଜି ଉପରେପ୍ରଦାନ  କରୁଥିବା ସୁଧକୁ ସରକାର ଫେରାଉଛନ୍ତି । ଏଥିରେ  ୨୧୯୪ ଏମ୍‌ଏସ୍‌ଏମ୍‌ଇ ଆବେଦନ କରିଥିଲେ ।  ୩୨.୪ କୋଟି ଟଙ୍କାର ସୁଧ ଫେରସ୍ତ ନେଇ ଦାବି  ହୋଇଥିଲା । ଏଥିରେ ୫୪୬ ୟୁନିଟକୁ ୬.୧ କୋଟିର  ସୁଧ ଅର୍ଥ ଫେରସ୍ତ କରାଯାଇଛି । 

ବିଭାଗର ସୂଚନା ଅନୁସାରେ ଏମ୍‌ଏସ୍‌ଏମ୍‌ଇକୁ  ୧୦ରୁ ଊଦ୍ଧ୍ୱର୍ ବିଶେଷ ସୁବିଧା ଯୋଗାଣ ହେଉଛି ।  ରିହାତିରେ ଜମି ଯୋଗାଣ, ଷ୍ଟାମ୍ପ ଡ୍ୟୁଟି ରିହାତି,  ପଛୁଆ ଜିଲାରେ ଏମ୍‌ଏସ୍‌ଏମ୍‌ଇ ସ୍ଥାପନରେ  ୨୫ରୁ୩୦ଧ ସ୍ଥାୟୀ ପୁଞ୍ଜି ନିବେଶ ପ୍ରୋତ୍ସାହନ,  ନୂଆ ଶିଳ୍ପକୁ ୩ରୁ ୫ ବର୍ଷ ଲାଗି ରାଜ୍ୟ ଜିଏସ୍‌ଟି  ପ୍ରଦାନରେ ରିହାତି ଦିଆଯାଉଛି ।  

ସେହିଭଳି ଏମ୍‌ଏସ୍‌ଏମ୍‌ଇ ଜେଡ୍‌ ପ୍ରମାଣପତ୍ର  ସବ୍‌ସିଡି, ୫ରୁ ୭ ବର୍ଷ ଯାଏ ଇପିଏଫ୍‌ ଏବଂ  ଇଏସ୍‌ଆଇ ଯୋଗଦାନରେ ନିଯୁକ୍ତି ଖର୍ଚ୍ଚ ସବସିଡି,  ଗୁଣବତ୍ତା ପ୍ରମାଣପତ୍ର ହାସଲ ଲାଗି ଆରô୍ଥକ  ସହାୟତା, ଟେକ୍ନୋଲୋଜି ଗ୍ରହଣ ସବସିଡି ଏବଂ  ପୁଞ୍ଜି ବଜାରରୁ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ୧୦  ଲକ୍ଷ ଟଙ୍କା ଯାଏ ସହାୟତା ଯୋଗାଇ ଦେଉଛନ୍ତି  ରାଜ୍ୟ ସରକାର ।