ଦେଶର ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ସମସ୍ତଙ୍କର ଏବେ ଗ୍ୟାସ୍ ବଞ୍ଚାଇବା ଚିନ୍ତା । ରୋଷେଇ ଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆଣିବା ସହ ଗ୍ୟାସ୍ ବଞ୍ଚାଇପାରିବେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ନିୟମିତ ଜୀବନର କିଛିଟା ଅଭ୍ୟାସରେ ସାମାନ୍ୟ ପରିବର୍ତ୍ତନ କରିବା ଦ୍ୱାରା କେବଳ ପରିବେଶ ନୁହେଁ, ବରଂ ଦେଶ ଓ ପରିବାରର ଅର୍ଥବ୍ୟବସ୍ଥାକୁ ମଜଭୁତ କରିପାରିବା । ଏବେ ଗ୍ୟାସ୍ ସିଲିଣ୍ଡରକୁ ନେଇ ସମସ୍ୟା ଚାଲୁଥିବା ବେଳେ ଏହାକୁ ବଞ୍ଚାଇବା ଦିଗରେ ପ୍ରୟାସ କରିବା ଜରୁରି ହୋଇପଡିଛି । ଏବେକାର ମହଙ୍ଗା ଦୁନିଆରେ ରୋଷେଇ ଘର ଚଳାଇବା ସତରେ କଷ୍ଟକର ହୋଇପଡିଛି । ତେଣୁ ଏହି ସ୍ଥିତିରେ ରୋଷେଇ ଶୈଳୀରେ ପରିବର୍ତ୍ତନ ଆଣି ସ୍ମାର୍ଟ ତରିକା ଆପଣାଇବା ଦ୍ୱାରା ଗ୍ୟାସ୍ର ସଞ୍ଚୟ କରିପାରିବେ ।
ସ୍ମାର୍ଟ ପ୍ରସ୍ତୁତି- କିଛି ମହିଳା ଗ୍ୟାସ୍ ଚୁଲା ଜଳାଇ ପରିବା କାଟିବା ଓ ମସଲାମସଲି ଖୋଜିବା କାମ କରିଥାନ୍ତି । ଯେଉଁଥିରେ ଅଯଥା ଗ୍ୟାସ୍ ନଷ୍ଟ ହୋଇଥାଏ । ସାମାନ୍ୟ ଯତ୍ନଶୀଳ ହେବା ସହ ରୋଷେଇ ପାଇଁ ସମସ୍ତ ଜିନିଷ ଯୋଗାଡ଼ କରିବା ପରେ ଗ୍ୟାସ୍ ଜଳାଇପାରିବେ । ଏପରିକି ଫ୍ର ିଜ୍ରୁ କୌଣସି ଜିନିଷ କାଢି ହଠାତ୍ ଗ୍ୟାସ୍ରେ ବସାନ୍ତୁ ନାହିଁ । ନଚେତ୍ ଅଧିକ ଗ୍ୟାସ୍ ନଷ୍ଟ ହୋଇଥାଏ । ବରଂ ନର୍ମାଲ ତାପମାତ୍ରାକୁ ଆସିବା ପରେ କୌଣସି ଜିନିଷକୁ ଗ୍ୟାସ୍ରେ ବସାନ୍ତୁ । ଏପରି କରିବା ଦ୍ୱାରା କମ୍ ଗ୍ୟାସ୍ ଖର୍ଚ୍ଚ ହୋଇଥାଏ ।
ଉଚିତ୍ ରୋଷେଇ ଶୈଳୀ ଆପଣାନ୍ତୁ ଗ୍ୟାସ୍ ବଞ୍ଚାଇବାର ସବୁଠାରୁ ଭଲ ଉପାୟ ହେଉଛି ପ୍ରେସର କୁକର୍ର ବ୍ୟବହାର । ଯଥାସମ୍ଭବ ଭାତ,ଡାଲି ଓ ତରକାରୀକୁ କୁକର୍ରେ କରିବାକୁ ପ୍ରୟାସ କରନ୍ତୁ । ସେହିପରି ଯଦି କଢାଇ ବା ପ୍ୟାନ୍ ବ୍ୟବହାର କରୁଥାନ୍ତି, ତେବେ ଏହାକୁ ଢାଙ୍କିବାକୁ ଭୁଲନ୍ତୁନି । ଏପରି କରିବା ଦ୍ୱାରା ଗ୍ୟାସ୍ କମ୍ ଖର୍ଚ୍ଚ ହେବା ସହ ଶୀଘ୍ର ରୋଷେଇ ସରିଥାଏ । ରୋଷେଇ ପାଇଁ ଅଧିକ ନୁହେଁ, ଆବଶ୍ୟକ ପାଣି ହିଁ ଦିଅନ୍ତୁ ।
ଉପଯୁକ୍ତ ବାସନ ବ୍ୟବହାର- ଗ୍ୟାସ୍ର ବର୍ଣ୍ଣର ହିସାବରେ ହିଁ ବାସନ ଚୟନ କରନ୍ତୁ । ଗ୍ୟାସ୍ର ଫ୍ଲେମ୍ ସବୁବେଳେ ବାସନ ତଳେ ସୀମିତ ରହିବା ଜରୁରି । ଏପରି କରିବା ଦ୍ୱାରା ଅଯଥା ଗ୍ୟାସ୍ ନଷ୍ଟ ହୋଇ ନଥାଏ । ନିୟମିତ ଭାବେ ବର୍ଣ୍ଣରକୁ ସଫା କରନ୍ତୁ । ଯଦି ଗ୍ୟାସ୍ କମଳା ବା ନାରଙ୍ଗୀ ରଙ୍ଗର ଜଳୁଥାଏ, ତେବେ ବର୍ଣ୍ଣର୍ ଅପରିଷ୍କାର ରହିଛି । ତେଣୁ ଏହାକୁ ସଫା କରି ନିଅନ୍ତୁ । ବାରମ୍ବାର ଖାଦ୍ୟ ଗରମ କରିବା ଅଭ୍ୟାସଠାରୁ ଦୂରେଇ ରୁହନ୍ତୁ । ସୁରକ୍ଷା ଓ ସଞ୍ଚୟ ପାଇଁ ନିୟମିତ ସମୟ ବ୍ୟବଧାନରେ ରେଗୁଲେଟର ପାଇପ୍ ଓ ପିଏନ୍ଜି ନିବ୍ ଯାଞ୍ଚ କରନ୍ତୁ ।