ନୂଆଦିଲ୍ଲୀ,୦୩/୦୧; ଅଷ୍ଟ୍ରେଲିଆ ଦଳରେ ପାକିସ୍ତାନୀ ବଂଶୋଦ୍ଭବ ଓପନର ଉସମାନ ଖୱାଜା ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ । ଇଂଲଣ୍ଡ ବିପକ୍ଷ ଶେଷ ଆସେସ୍ ଟେଷ୍ଟ ଖେଳି ସେ କ୍ରିକେଟକୁ ଅଲବିଦା କହିବେ । କିନ୍ତୁ ଅବସର ନେଇ ଘୋଷଣା କରିବା ପରେ ୩୯ ବର୍ଷୀୟ ଉସମାନ ବିସ୍ଫୋରକ ଟିପ୍ପଣୀ ଦେଇ ସାମାଜିତ ଗଣମାଧ୍ୟମରେ ସମାଲୋଚିତ ହୋଇଛନ୍ତି ।
ଶୁକ୍ରବାର ସେ ଏକ ପ୍ରେସମିଟରେ ନିଜ ମନକଥା କହିଛନ୍ତି । ବିଶେଷ କରି କ୍ରିକେଟ ପଡ଼ିଆ ଭିତରେ ଓ ବାହାରେ ତାଙ୍କ ସହିତ କିଏ କେଉଁଭଳି ବ୍ୟବହାର କରିଥିଲେ ସେ ନେଇ ଖୁଲାସା କରିଛନ୍ତି । ଯାହାକୁ ନେଇ ତାଙ୍କୁ ଟ୍ରୋଲ୍ କରାଯାଇଛି । ସେ ଅଭିଯୋଗ କରିଛନ୍ତି ଯେ, ଅଷ୍ଟ୍ରେଲିଆରେ ଇସଲାମ ଧର୍ମପ୍ରତି ଘୃଣାଭାବ ରହିଛି । ଜାତିଗତ ବୈଷମ୍ୟ ରହିଛି । ଅଷ୍ଟ୍ରେଲିଆ ଗଣମାଧ୍ୟମର ଦୋମୁହାଁ ନୀତି ସେ ଦେଖିଛନ୍ତି । ସେମାନେ ମୋ ଉପରେ ଆକ୍ରମଣ କରିଛନ୍ତି । ମୋ ବିଷୟରେ ଅନେକ ଜାତିଗତ ଧାରଣା ଥିଲା । ଯେପରିକି ମୁଁ ପାକିସ୍ତାନୀ, କଳା ଖେଳାଳି ଅଳସୁଆ । ଆମେ ସ୍ୱାର୍ଥପର, ଆମେ କେବଳ ନିଜ ବିଷୟରେ ଚିନ୍ତା କରୁ ଆମେ ଦଳ ବିଷୟରେ ଚିନ୍ତା କରୁନାହୁଁ , ପରିଶ୍ରମ କରୁନା । ଅନ୍ୟ ଖେଳାଳି ଗଲ୍ଫ ଖେଳି ବିୟର ପିଇ ଆଘାତ ପାଇଲେ କେହି କିଛି କୁହନ୍ତି ନାହିଁ । କିନ୍ତୁ ତାଙ୍କ କ୍ଷେତ୍ରରେ ବର୍ଣ୍ଣବୈଷ୍ଣମ୍ୟ ଅଭିଯୋଗ ଅଣାଯାଇଥାଏ । ଏହା ସହିତ ମୁଁ ସାରା ଜୀବନ ସଂଘର୍ଷ କରିଛି ବୋଲି କହିଛନ୍ତି ଖୱାଜା ।
ଅଷ୍ଟ୍ରେଲୀୟ ଅଭିଜ୍ଞ ଦ୍ରୁତ ବୋଲର ଜେସନ ଗିଲେସ୍ପି ଉସମାନଙ୍କ ଅବସର ନେଇ ମତ ରଖିଥିଲେ । ଯେଉଁଠାରେ ସେ ସମାଲୋଚକଙ୍କୁ ଜବାବ ଦେଇଥିଲେ । ଖୱାଜା ତାଙ୍କ କ୍ୟାରିୟରରେ ଜାତିଗତ ଷ୍ଟେରିଓଟାଇପିର ସମ୍ମୁଖୀନ ହୋଇଥିଲେ । ଅନ୍ୟ ଅଷ୍ଟ୍ରେଲୀୟ ଖେଳାଳିଙ୍କଠାରୁ ଭିନ୍ନ ବ୍ୟବହାର ପାଇଥିବା ସ୍ପଷ୍ଟ କରିଥିଲେ । ଜାତିଭେଦ ଆମ ସମାଜ ପାଇଁ ବଡ଼ କ୍ଷତି । ଏହାକୁ ସମାଧାନ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଜେସନ ଗିଲେସ୍ପି ।
ଅବସର ନେଲେ ଖୱାଜା- ଆସନ୍ତା ୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପଞ୍ଚମ ଆସେସ ଟେଷ୍ଟ ସହ ଅଷ୍ଟ୍ରେଲିଆର ଟେଷ୍ଟ ଓପନର ଉସମାନ ଖୱାଜାଙ୍କ କ୍ୟାରିୟର ଶେଷ ହେବ । ସେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ସେ ଇତି ମଧ୍ୟରେ ୮୭ଟି ଟେଷ୍ଟ ଖେଳି ୪୩.୩୯ ହାରରେ ମୋଟ୍ ୬୨୦୬ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୬ ଶତକ ଓ ୨୮ ଅର୍ଦ୍ଧଶତକ ରହିଛି । ୨୦୧୦/୧୧ ଅ।।ସେସ ବେଳେ ଖୱାଜା ଟେଷ୍ଟ ପଦାର୍ପଣ କରିଥିଲେ । ସିଡନୀରେ ସେ କ୍ୟାରିୟର୍ର ପ୍ରଥମ ଟେଷ୍ଟ ଖେଳିଥିଲେ । ୧୫ ବର୍ଷର କ୍ୟାରିୟର ମଧ୍ୟରେ ଖୱାଜା ୪୦ଟି ଦିନିକିଆ ଖେଳି ୪୨ ହାରରେ ୧୫୫୪ ରନ ସଂଗ୍ରହ କରିଛନ୍ତି । ଏଥିରେ ୨ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ରହିଛି । ଚଳିତ ଆସେସରେ ତାଙ୍କ ପ୍ରଦର୍ଶନ ସେଭଳି ଉନ୍ନତ ରହି ନାହିଁ । ଓପନର ଭାବେ ବିଫଳ ହେବା ପରେ ତୃତୀୟ ଟେଷ୍ଟରେ ସେ ମଧ୍ୟ କ୍ରମରେ ବ୍ୟାଟିଂ କରି ଯଥାକ୍ରମେ ୮୨ ଓ ୪୦ ରନ ସଂଗ୍ରହ କରିଥିଲେ ।