ପୁରୀ,୨୮/୦୬: ଦେହରେଦେହ ବାଜୁଛି । ପାଦରେ ପାଦ ବାଜୁଛି ।ଆଗରେ ଥିବା ଲୋକକୁ ଅତିକ୍ରମ କରିବଯିବା ସମ୍ଭବ ହେଉନି । ଶ୍ରୀମନ୍ଦିର ସିଂହଦ୍ବାରଠୁ ମରିଚି କୋଟ ଓ ଶ୍ରୀମନ୍ଦିର ପରିକ୍ରମାମାର୍ଗ ସଂଲଗ୍ନ ସାହି ରାସ୍ତାଗୁଡ଼ିକ ସ୍ନାନପୂର୍ଣ୍ଣିମା ପାଇଁ ଜନଗହଳି ହୋଇଉଠିଛି । ପରିକ୍ରମା ମାର୍ଗ ଓ ସିଂହଦ୍ୱାର ସମ୍ମୁଖରେ ଯାତ୍ରୀମାନେ ସ୍ନାନବେଳର ସେହି ଦୁର୍ଲଭ ମୁହୂର୍ତ୍ତ ଦେଖିବାପାଇଁ ରବିବାର ସନ୍ଧ୍ୟାରେ ଡେରା ପକାଇ ବସିଛନ୍ତି ଭକ୍ତ । ରାତିସାରା ବଡ଼ଦାଣ୍ଡରେ ଉଜାଗର ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ଦେଖିବେ ଦୁର୍ଲଭ ହାତୀବେଶ।

 

ରବିବାର ଅପରାହ୍ଣରୁ ପୁରୀ ପହଞ୍ଚି ବିଭିନ୍ନ ସ୍ଥାନରେ ଏପରିଡେରା ପକାଇଛନ୍ତି । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସମେତ ପୁରୀ କୋଣାର୍କ ମେରାଇନ ଡ୍ରାଇଭ, ନୂଆ ଜଗନ୍ନାଥ ସଡ଼କ ଓ ପୁରୀ ବ୍ରହ୍ମଗିରି ରାସ୍ତା, ପଟ୍ଟନାୟିକା-ଖୋର୍ଦ୍ଧା, ପିପିଲିଖୋର୍ଦ୍ଧା ପ୍ରଭୃତି ପ୍ରମୁଖ ରାସ୍ତାଗୁଡ଼ିକ ରାତିରୁ ଟ୍ରାଫିକ୍ ଭିଡ଼ ଦେଖିବାକୁ ମିଳିଥିଲା । ବାଟଗାଁ ଛକରୁ ପୁଲିସ ଗାଡ଼ିଗୁଡ଼ିକୁ ନିୟନ୍ତ୍ରିତ କରି ସେମାନଙ୍କ ଗତିବିଧି ବଦଳାଇଛି । ଯାତ୍ରୀ ବସ୍ ଓଅନ୍ୟ ଜରୁରିକାଳୀନ ଗାଡ଼ି ସମେତ ବାଇକ୍ ଗୁଡ଼ିକ ବାଟଗାଁ-ଅଠରନଳା ରାସ୍ତାରେ ଆସିଥିବା ବେଳେ ବାଇପାସ୍‌ରେ ଅନ୍ୟ ଗାଡ଼ିଗୁଡ଼ିକ ଯାଉଛି । ପୁରୀରେ ପହଞ୍ଚୁଥିବା ଅନେକଯାତ୍ରୀ ମାର୍କେଛକରୁ ଲମ୍ବି ଥିବା ବ୍ୟାରିକେଡ୍ ଭିତରେ ଶୋଇ ରାତି କାଟିଥିଲେ । କୀର୍ତ୍ତନିଆ ଦଳମାନେ ଶତାଧିକ ସଂଖ୍ୟାରେ ପୁରୀରେ ପହଞ୍ଚି ରବିବାର ରାତିରୁ କୀର୍ତ୍ତନ କରିଛନ୍ତି । ଜୟ ଜଗନ୍ନାଥ ଧ୍ୱନି ଓ ହରିନାମ କୀର୍ତ୍ତନରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଛି । ଶ୍ରୀକ୍ଷେତ୍ରରେ ବେଳାଭୂମିଠାରୁ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ସବୁଠାରେ ଯାତ୍ରୀ ଭିଡ଼ । ଭକ୍ତଙ୍କ କୋଳାହଳରେ ପୁରୀରେ ଭକ୍ତସମୁଦ୍ର ସୃଷ୍ଟି ହୋଇଛି ।