କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା; ନମୋ ଭାରତ ମନ ମୋହିଲା

କୋଣାର୍କ,୩/୧୨ : କାକର ଭିଜା କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ନୃତ୍ୟଶିଳ୍ପୀଙ୍କ ଓଡ଼ିଶୀ ଓ ମୋହିନୀଆଟମ ଦର୍ଶକଙ୍କୁ ବିମୋହିତ କରିଥିଲା । ସନ୍ଧ୍ୟାରେ ଅତିଥିଭାବେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ ମୁରଲିଧର , ବିଚାରପତି ଯଶୋବନ୍ତ ସିଂହ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ସଚିବ ପ୍ରବୋଧ ରଥ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ କୋଲକାତାର ଦେବମିତ୍ର ସେନଗୁପ୍ତା ଓ ସାଥୀ କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।
ଏଥିରେ ନମୋଭାରତ ଉପସ୍ଥାପନାରେ ଦେଶାତ୍ମବୋଧର ଭାବକୂ ପରିଷ୍ପୁଟନ କରିଥିଲେ । ଦ୍ବିତୀୟ ଚରଣରେ ଚେନ୍ନାଇର ଗୋପିକା ବର୍ମା ଓ ସାଥୀ କଳାକାର ମୋହିନୀଆଟମ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ଆବାହନୀ ନୃତ୍ୟ ଚିତ୍ରାଗମ ସହ ପରମାନନ୍ଦ ନଟନ ଆଜି ଆମେ ଶାମ ମୋହନ ଓ ଭବଗୋବିନ୍ଦମ ମଞ୍ଚରେ ଭକ୍ତିଭାବ ଆଣିଥିଲା ।
ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ବାଲୁକା ଶିଳ୍ପୀମାନେ ପର୍ଯ୍ୟଟନ ପ୍ରସଙ୍ଗରେ ବିଭିନ୍ନ କଳାକୃତି ପ୍ରଦର୍ଶିତ କରିଥିଲେ । ବାଲୁକା କଳାରେ ଅସମ୍ଭବ ଭିଡ ଜମିବାରୁ ସନ୍ଧ୍ୟା ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ନାଜିଆ ଆଲମ ।