ଭୁବନେଶ୍ୱର ୦୧/୦୧: ସମୁଦାୟ ୩୭ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ବିଦାୟୀ ବର୍ଷରେ । ଓଡ଼ିଆ ସିନେଶିଳ୍ପରେ ଏତେ ସଂଖ୍ୟକ ସିନେମା ପ୍ରେକ୍ଷାଳୟକୁ ଆସିବା ନିଶ୍ଚିତ ଭାବରେ ସୁଖଦ ଓ ଉଲ୍ଲେଖନୀୟ ଉପଲବ୍ଧ । ଏ ବର୍ଷ ମଧ୍ୟ ରେକର୍ଡ ସଂଖ୍ୟକ ଚଳଚ୍ଚିତ୍ର ଆସିବ ସିନେମାଘରକୁ - ମୁକ୍ତି ପ୍ରତୀକ୍ଷାରେ ଥିବା ଓ ନିର୍ମାଣାଧୀନ ଚଳଚ୍ଚିତ୍ର ସଂଖ୍ୟାକୁ ଦେଖିଲେ ଏ କଥା ଜୋର୍ ଦେଇ କୁହାଯାଇପାରିବ । ଏହି ସବୁ କଥାଚିତ୍ରର ନାୟକ, ନାୟିକା, ସଂଳାପକାର, ଚିତ୍ରନାଟ୍ୟ ଲେଖକ ମଧ୍ୟ ବିନା ଦ୍ୱିଧାରେ ‘ଏ ବର୍ଷଟି ଆମର’ ବୋଲି କହିପାରୁଛନ୍ତି ।
ଶୁଭାରମ୍ଭ କରିବେ ବର୍ଷା
ଇଂରାଜୀ ନୂଆ ବର୍ଷର ତୃତୀୟ ଦିନରେ ଅର୍ଥାତ୍ ଜାନୁଆରୀ ୩ ତାରିଖରୁ ଫିଲ୍ମ ଶୁଭମୁକ୍ତିର ଶୁଭାରମ୍ଭ କରିବେ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ, ଅରିନ୍ଦମ, ସବ୍ୟସାଚୀ ଆଦିଙ୍କ ନାୟିକା ସାଜି ଓଡ଼ିଆ ସିନେଶିଳ୍ପରେ ପ୍ରତିଷ୍ଠା ଲାଭ ପରେ ଗତ କିଛି ବର୍ଷ ଧରି ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର ନିର୍ମାଣରେ ମନୋନିବେଶ କରିଛନ୍ତି ସେ । ସେହି କ୍ରମରେ ୩ ତାରିଖରେ ପ୍ରେକ୍ଷାଳୟକୁ ଆସିବ ବର୍ଷାଙ୍କ ‘ୱାଇଫ୍’ । ଏଥିରେ ଜୟଜିତ ବର୍ଷାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିବେ । ସୁଧାକର ବସନ୍ତ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । ବିଜୟ ମଲ୍ଲ ସଂଳାପ ଲେଖିଛନ୍ତି ।
ଦୀପକଙ୍କ ୪ ଫିଲ୍ମ
ଏ ବର୍ଷ ଦୀପକ ଅଭିନୀତ ଚାରିଟି ଫିଲ୍ମ ଆସିବ ପ୍ରେକ୍ଷାଳୟକୁ । ଏହି ଚାରିଟି ଫିଲ୍ମ ହେଉଛି - ‘ଆଇନା କେବେ ମିଛ କହେନା’, ‘ଏଇ ବୋଧେ ଭଲ ପାଇବା’, ‘ପବିତ୍ର ବନ୍ଧନ’ ଓ ‘ଧଡକନ୍ରେ ତୁ’ । ଏ ସମସ୍ତ ଫିଲ୍ମର ସୁଟିଂ, ପୋଷ୍ଟ ପ୍ରଡକ୍ସନ, ସେନ୍ସର ଆଦି କାମ ଶେଷ ହୋଇ କେବଳ ଶୁଭମୁକ୍ତି ଅପେକ୍ଷାରେ ରହିଛି । ପ୍ରଥମ ଚଳଚ୍ଚିତ୍ରରେ ଦୀପକଙ୍କ ବିପକ୍ଷରେ ନାୟିକା ଅଛନ୍ତି ମୁସ୍କାନ । ‘ଏଇ ବୋଧେ...’ରେ ଦୀପକଙ୍କ ନାୟିକା ଅନୁଭା ଥିବାବେଳେ ରୀୟା ଓ କୁକିଜ ‘ପବିତ୍ର ବନ୍ଧନ’ରେ ନାୟିକା ଭାବେ ନଜର ଆସିବେ । ସେହିପରି ‘ଧଡ଼କନରେ ତୁ’ରେ ସସ୍ମିତା ଦୀପକଙ୍କ ବିପକ୍ଷରେ ଦେଖିବାକୁ ମିଳିବେ ।
ଛ’ ଭାଷାରେ ଅନ୍ତର୍ଯ୍ୟାମୀ
ବାବୁସାନଙ୍କ ଫିଲ୍ମ ‘ଅନ୍ତର୍ଯ୍ୟାମୀ’କୁ ନେଇ ଓଡ଼ିଆ ସିନେଶିଳ୍ପରେ ଢେର୍ ଚର୍ଚ୍ଚା ଚାଲିଛି । ଏ ଫିଲ୍ମ ଓଡ଼ିଆ ସମେତ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମଲାୟାଲମ ଆଦି ଛ’ଟି ଭାଷାରେ ପ୍ରେକ୍ଷାଳୟକୁ ଆସିବ । ଶିବ ସତ୍ୟମ୍ ‘ଅନ୍ତର୍ଯ୍ୟାମୀ’ର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଯୋଜନାରେ ଅଛନ୍ତି ଅମ୍ରିତ ନିଷାଦ । ସହକାରୀ ପ୍ରଯୋଜକ ଦାୟିତ୍ୱ ନିର୍ବାହ କରିଛନ୍ତି ଅଭିରାମ । ଆକ୍ସନ ଭରପୂର ଏ ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ବେଦ୍ୱିକା । ବ୍ୟବସ୍ଥା ଭିତରେ ରହି ଜଣେ କିଭଳି ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରୁଛି, ତା’ର କାହାଣୀ ଦେଖିବାକୁ ମିଳିବ ଏ ଫିଲ୍ମରେ ।
ଧମାକା କରିବେ ରଜନୀ
ବରିଷ୍ଠ ସିନେବ୍ୟକ୍ତିତ୍ୱ ଡ. ରଜନୀ ରଞ୍ଜନ ଏ ବର୍ଷ ଧମାକା କରିବେ । ତାଙ୍କ ସଂଳାପରେ ସମୃଦ୍ଧ ‘ରଙ୍ଗଶୁର’, ‘ରାଣ୍ଡୀପୁଅ ଅନନ୍ତା’, ‘ଶମ୍ଭୁ’, ‘ମାୟା ମରୀଚିକା’, ‘ବବି ଆଉ ବେବି’, ‘ସ୍କୁଲ ଡାଏରୀ’, ‘ପରୀ’ ଓ ‘ଏଇ ବୋଧେ ଭଲପାଇବା’ ଏ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି । ଏ ସମସ୍ତ ଫିଲ୍ମର ସୁଟିଂ ଶେଷ ହୋଇ ପୋଷ୍ଟ ପ୍ରଡକ୍ସନ ଚାଲିଛି । ସେହିପରି ‘ଆରୋହୀ’ ଓ ‘ମିଡ୍ ନାଇଟ୍’ ନାମରେ ଆଉ ଦୁଇଟି ସିନେମା ମଧ୍ୟ ଆସିବ, ଯାହାର ସଂଳାପ ସହିତ ଚିତ୍ରନାଟ୍ୟ ଲେଖିଛନ୍ତି ରଜନୀ ରଞ୍ଜନ । ପଶୁମୁଖା ନୃତ୍ୟ ଉପରେ ଆଧାରିତ ‘ରଙ୍ଗଶୁର’ ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବା ସମ୍ଭାବନା ରହିଛି ।
ଆକ୍ସନ ଭରପୂର ‘ଘମାଘୋଟ’
ବେଶ୍ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି ଆକ୍ସନ ଭରପୂର ଚଳଚ୍ଚିତ୍ର ‘ଘମାଘୋଟ’ । ଏହା ମଧ୍ୟ ଜାନୁଆରୀରେ ମୁକ୍ତିଲାଭ କରିବ । ରାଜା ଡି. ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଯୋଜନା କରିଛନ୍ତି କୌଶିକ ଦାସ ଓ ରାମ ପଟ୍ଟନାୟକ । ଫିଲ୍ମରେ ସନୋଜ କୁମାର, ଅଭିଷେକ ପଣ୍ଡା, ସନ୍ଦୀପ, ଶୈଳେନ୍ଦ୍ର ପ୍ରମୁଖ ଦେଖିବାକୁ ମିଳିବେ । ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ, ଅନୁରାଗ ପଟ୍ଟନାୟକ ଓ ସୂର୍ଯ୍ୟଜିତ୍ । ପବ୍ଲିସିଟି ଡିଜାଇନ୍ କରିଛନ୍ତି ପ୍ରଣୟ ଜେଠୀ ।
ପୁଣି ଥରେ ଅନୁଭବ
ଗତ ବର୍ଷର ‘କର୍ମ’ ଭଳି ଏ ବର୍ଷ ‘ରାବଣ’ ଜରିଆରେ ପୁଣି ଥରେ କମାଲ୍ କରିବାକୁ ଯାଉଛନ୍ତି ସୁପରଷ୍ଟାର ଅନୁଭବ । ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍, ଇନ୍ଫିନିଟି ପ୍ରଡକ୍ସନ୍ସ ଓ ଟୁ ନାଇନ୍ ଫିଲ୍ମସ୍ର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହେଉଛି ‘ରାବଣ’ । ଅନୁପମ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ବର୍ଷା ପଟ୍ଟନାୟକ, ଜାଗୃତି ଶୁକ୍ଳା ଓ ଅର୍ପିତା ଗୋଲେଚା ଏହାର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିଛନ୍ତି । ଜାଗୃତି ଶୁକ୍ଳାଙ୍କ ଲିଖିତ କାହାଣୀରେ ସଂଳାପ ରଚନା କରିଛନ୍ତି ମାନସ ପଢ଼ିଆରୀ, ନିଶାନ୍ତ ମାଜିଥିଆ, ଜାଗୃତି ଶୁକ୍ଳା ଓ ଅନୁପମ ପଟ୍ଟନାୟକ।