ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଥମୁନି ଚର୍ଚ୍ଚା

ନୀଳଗିରି,୨୯ା୫(ଆ.ପ୍ର): ବାଲେଶ୍ୱର ସାଂସଦ ତଥା ନୀଳଗିରି ମାଟିର ପୁଅ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ସ୍ୱାଧୀନତାର ୭୨ ବର୍ଷ ପରେ ପ୍ରଥମ ଥର ନୀଳଗିରି ମାଟିରୁ ସେ ସାଂସଦ ଭାବେ ବିଜୟୀ ହୋଇଥିବା ବେଳେ ତାଙ୍କୁ ଏବେ ଓଡ଼ିଶାର ମୋଦି ବୋଲି କୁହାଯାଉଛି । ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ ଭାବେ ଦେଖିବାକୁ ଏବେ ସମର୍ଥକମାନେ ଆଶା ବାନ୍ଧିଛନ୍ତି । ଗୁରୁବାର ସନ୍ଧ୍ୟାରେ ମୋଦିଙ୍କ ଶପଥ ପାଠ ଉତ୍ସବ ଥିବା ବେଳେ ତାଙ୍କ ଉପରେ ସମସ୍ତଙ୍କ ନଜର ଥିବା ଜଣାପଡ଼ିଛି । ଚଳିତ ଥର ବାଲେଶ୍ୱର ଲୋକସଭା କ୍ଷେତ୍ରର ଦୁଇ ଜଣ କୋଟିପତି ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରବୀନ୍ଦ୍ର ଜେନା ଓ କଂଗ୍ରେସ୍ର ନବଜ୍ୟୋତି ପଟ୍ଟନାୟକଙ୍କୁ ହରାଇଥିଲେ । ଏହାପରେ ଶ୍ରୀ ଷଡ଼ଙ୍ଗୀଙ୍କ ଅତ୍ୟନ୍ତ ସାଧାରଣ ଜୀବନ ଶୈଳୀ ବାବଦ ନେଇ ସୋସିଆଲ ମିଡିଆର ଚର୍ଚ୍ଚା ଆରମ୍ଭ ହୋଇଥିଲା । ତତ୍ସହିତ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଜାରି ରହିଛି ।