ତେଲଙ୍ଗାନା ୨୯/୧୨: ତେଲଙ୍ଗାନା କରିମନଗର ଜିଲ୍ଲାର ମାଣକୋଣ୍ଡୁର ମଣ୍ଡଳରେ ରହିଛି ଅନ୍ନାରାମ ଗାଁ । ଏହା ସ୍ଥାନୀୟ ଅଞ୍ଚଳରେ ‘ପୁଲିସ ଗାଁ’ ଭାବେ ମଧ୍ୟ ପରିଚିତ । ଗାଁର ଲୋକସଂଖ୍ୟା ୬ହଜାରରୁ ଅଧିକ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୦ ଜଣ ପୁଲିସ ଓ ୨୫ ଜଣ ହୋମଗାର୍ଡ ଅଧିକାରୀ ଭାବେ କାର୍ଯ୍ୟରତ । ୧୯୮୧ ମସିହାରେ ଅଞ୍ଜେୟା ନାମକ ଜଣେ ଯୁବକ ଅନ୍ନାରାମରୁ ପ୍ରଥମେ ପୁଲିସ କନ୍‌ଷ୍ଟେବଳ ଭର୍ତ୍ତି ପରୀକ୍ଷାରେ ସଫଳ ହୋଇଥିଲେ । ତାଙ୍କର ସେହି ଉପଲବ୍ଧି ପରେ ଅନ୍ୟମାନେ ପୁଲିସସେବା କ୍ଷେତ୍ରରେ କ୍ୟାରିୟର କରିବାକୁ ଆଗ୍ରହୀ ହେଲେ । ଫଳସ୍ୱରୂପ ୧୯୯୨ରେ ଅନ୍ୟ ଦୁଇଜଣ ଯୁବକ ପୁଲିସ କନ୍‌ଷ୍ଟେବଳ ହେଲେ । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢ଼ିଚାଲିଲା । 

ବିଶେଷ କରି ୧୯୯୫ ପରେ ଗାଁର ଅନେକ ଯୁବକ ପୁଲିସ ଭର୍ତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେଲେ । ଚଳିତବର୍ଷ ଗାଁର ଅତି କମ୍‌ରେ ୬ ଜଣ ପୁଲିସସେବା କ୍ଷେତ୍ରରେ ଯୋଗ ଦେଇଛନ୍ତି । ଗାଁର ଯୁବକମାନଙ୍କ ଏହି ସଫଳତା ପଛରେ ଶଙ୍କର ନାମକ ଜଣେ ହେଡ୍‌ କନ୍‌ଷ୍ଟେବଳଙ୍କର ମଧ୍ୟ ଉଲ୍ଲେଖନୀୟ ଭୂମିକା ରହିଛି । ସେ ପ୍ରାୟ ୨୫୦ ଜଣ ଯୁବକଙ୍କୁ ପୁଲିସ ସେବାରେ ଯୋଗଦେବାକୁ ପ୍ରେରିତ କରିଥିଲେ । ସେମାନଙ୍କ ଲାଗି ବିଧିବଦ୍ଧ ଭାବେ ତାଲିମର ବ୍ୟବସ୍ଥା ବି କରିଥିଲେ । ଅନ୍ନାରାମର ଯୁବକମାନଙ୍କର ଏହି ଉପଲବ୍ଧି ଆଖପାଖ ଗାଁର ଯୁବକମାନଙ୍କ ଲାଗି ଏବେ ପ୍ରେରଣା ସାଜିଛି ।