ସକାଳୁ ଜଳଖିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଭଲ । ହେଲେ ଯଦି ଆମେ ଜଳଖିଆରେ ପ୍ରତିଦିନ ପାଚିଲା ଫଳ ଖାଇବା, ତେବେ ଏହା ଶରୀରକୁ ଅନେକ ପୋଷକ ତତ୍ତ୍ୱ, ଖଣିଜ ପଦାର୍ଥ, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଦାନ କରିଥାଏ । ଏଥିସହ ଶରୀରେ ଫାଇବର, ଭିଟାମିନ୍ ଏବଂ ଆବଶ୍ୟକୀୟ ଏନଜାଇମ, ପାଚନ ଶକ୍ତିକୁ ଉନ୍ନତ କରେ। ଯାହା ଆମକୁ ଅନେକ ଗୁରୁତର ରୋଗରୁ ରକ୍ଷା କରେ ଏବଂ ଆମର ସ୍ୱାସ୍ଥ୍ୟ ସୁସ୍ଥ ରଖେ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ସକାଳେ ଖାଲି ପେଟରେ କେଉଁ ସବୁ ଫଳ ଖାଇବା ଉଚିତ। 

ତରଭୂଜ: ଏହା ସବୁଠାରୁ ହାଇଡ୍ରେଟିଂ ଫଳ ମଧ୍ୟରୁ ଗୋଟିଏ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏହା ବ୍ୟତୀତ, ତରଭୂଜ କୋଲାଜେନ୍ ଉତ୍ପାଦନକୁ ଉନ୍ନତ କରେ, ଯାହା ଚର୍ମକୁ ଅଧିକ ନମନୀୟ କରିଥାଏ । ତରଭୂଜ ଏପରି ଏକ ଫଳ ଯାହା ରକ୍ତ ଶର୍କରା ସ୍ତର ବୃଦ୍ଧି କରେ ନାହିଁ । ତେଣୁ, ଏହି ଫଳ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଭଲ।

ଅମୃତଭଣ୍ଡା: ଏହି ଫଳକୁ ଖାଲି ପେଟରେ ଖାଇବା  ଭଲ। ଏଥିରେ ପାପେନ୍ ନାମକ ଏକ ଏନଜାଇମ୍ ରହିଛି । ଅମୃତଭଣ୍ଡା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ଥିବା ବେଳେ ଏହା ହଜମ ପାଇଁ ବହୁତ ଭଲ। ଏହା ଓଜନ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରେ।

ଷ୍ଟ୍ରବେରୀ:  ଖାଲି ପେଟରେ ଷ୍ଟ୍ରବେରୀ ଖାଇବା ଭଲ। ଏଥିରେ ଫାଇବର ଏବଂ ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ସି' ଭଳି ପୁଷ୍ଟିକର ତତ୍ତ୍ୱ ରହିଥାଏ । ଏହା ଖାଲି ପେଟରେ ଖାଇବା ଦ୍ୱାରା ରକ୍ତ ଶର୍କରା ସ୍ତର ବୃଦ୍ଧି ପାଏ ନାହିଁ, ତେଣୁ ମଧୁମେହ ହେବାର ଆଶଙ୍କା କମାଇବାରେ ସାହାଯ୍ୟ କରେ।

କଦଳୀ: କଦଳୀରେ ଫାଇବର ଏବଂ ପୋଟାସିୟମ, ଭିଟାମିନ ବି୬, ଏବଂ ଭିଟାମିନ ସି  ରହିଛି । କଦଳୀ ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ହେଲେ ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇପାରେ, ଯାହା ମଧୁମେହ ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇପାରେ । 

କମଳା: ଏଥିରେ ଭିଟାମିନ୍ ସି' ଭରପୂର ମାତ୍ରାରେ ରହିଛି । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରିବାରେ ସାହାଯ୍ୟ କରେ। ଏଥିରେ କ୍ୟାଲୋରି ମଧ୍ୟ କମ୍ ଥାଏ। କିନ୍ତୁ ତଥାପି କମଳା ଏସିଡିକ୍ ହୋଇଥାଏ, ତେଣୁ ଖାଲି ପେଟରେ ଖାଇବା ଦ୍ୱାରା କିଛି ଲୋକଙ୍କ ଠାରେ ପେଟ ପୋଡ଼ାଜଳା ହୋଇପାରେ ।