ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ମହାରାଜା ସିନେମା ହଲ୍ରେ ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ କମିଶନରେଟ ପୁଲିସ ୩ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସୌମ୍ୟରଞ୍ଜନ ମହାପାତ୍ର, ସୁବ୍ରତ ବିଶ୍ୱାଳ, ଅନନ୍ତ ସାମନ୍ତରାୟ । ସମସ୍ତ ଅଭିଯୁକ୍ତ ହେଉଛନ୍ତି ବାଣୀବିହାରର ପୂର୍ବତନ ଛାତ୍ର ବୋଲି ଏସିପି କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇଛନ୍ତି । ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।
ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ସନ୍ଧ୍ୟାରେ ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହାର ଘଣ୍ଟାଏ ଭିତରେ ସହିଦ୍ନଗର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ସତ, କିନ୍ତୁ କୋହଳ ଦଫା ଲଗାଇ ସେମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଥିବା ସ୍ପଷ୍ଟ ହୋଇଛି । ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ୩୨୩ (ସ୍ୱେଚ୍ଛାରେ ଆଘାତ ଜନ୍ମାଇବା ପାଇଁ ଦଣ୍ଡ), ୨୯୪ (ଅଶ୍ଲୀଳ କାର୍ଯ୍ୟ ଏବଂ ଗାନ), ୩୪୧ (ଅନ୍ୟାୟ ଅବରୋଧ ପାଇଁ ଦଣ୍ଡ), ୫୦୬(ଅପରାଧିକ ଭୟ ପ୍ରଦର୍ଶନ ପାଇଁ ଦଣ୍ଡ), ୩୪(ସମ-ଅଭିପ୍ରାୟର ଅଗ୍ରସର ପାଇଁ ବ୍ୟକ୍ତି-ସମୂହ ଦ୍ୱାରା କୃତ କର୍ମ) ଆଇପିସି ଦଫା ଲଗାଇଛି । ଏହି ସବୁ ଦଫାରେ ଅଭିଯୁକ୍ତ ସହଜରେ ଖସିଯିବା ସମ୍ଭାବନା ସୃଷ୍ଟି ହୋଇଛି ।
ଶହ ଶହ ଲୋକଙ୍କ ସାମ୍ନାରେ ଆକ୍ରମଣକାରୀମାନେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ଆକ୍ରମଣକାରୀମାନେ ଲୁହାର ଏକ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ପିଟିଥିଲେ । ତାଙ୍କ ବେକରେ ଛିଡା ହୋଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ସାମ୍ବାଦିକଙ୍କ ଶରୀରର ଆଘାତ ଚିହ୍ନ ସ୍ପଷ୍ଟ ବୟାନ କରୁଛି ଯେ, ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ତାଙ୍କ ମୁଣ୍ଡ ପଛ ପାଶ୍ୱର୍ରେ ଶକ୍ତ ଆଘାତ ଲାଗିଛି । ଯାହାକି ଏତାଲା କପିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ହେଲେ ସହିଦନଗର ଥାନା ପୁଲିସ୍ ଏଭଳି ଅନେକ ସଙ୍ଗୀନ ଅଭିଯୋଗକୁ ଅତି ଚତୁରତାର ସହ ଏଡାଇ ଯାଇଛି । ଆକ୍ରମଣକାରୀଙ୍କ ସୁରକ୍ଷା କବଚ ସାଜି ସେମାନଙ୍କ ବିରୋଧରେ ଜାମିନ ମିଳିବା ଭଳି ଦଫା ଲଗାଇଛି । ଅଭିଯୁକ୍ତମାନେ ଯେମିତି ଶୀଘ୍ର ଜାମିନ୍ ପାଇବେ, ସେଥିପାଇଁ ସହିଦ୍ନଗର ପୁଲିସ ଯୋଜନାବଦ୍ଧ ଭାବେ ଏଭଳି ହାଲୁକା ଦଫା ଲଗାଇଛି ବୋଲି ଆଇନ ବିଶେଷଜ୍ଞ ମତ ରଖିଛନ୍ତି ।
ଭାରତୀୟ ଦଣ୍ଡ ସଂହିତା କହୁଛି, ଏଭଳି ଆକ୍ରମଣ ବିରୋଧରେ ୩୦୭(ହତ୍ୟା ଉଦ୍ୟମ) ଦଫା ଲଗାଇ ଆକ୍ରମଣକାରୀଙ୍କୁ ଉଚିତ ଦଣ୍ଡ ଦିଆଯିବା କଥା । ହେଲେ ସହିଦନଗର ଥାନା ପୁଲିସ କୋହଳ ଦଫାକୁ ଆଢ଼ୁଆଳ କରି ସେମାନଙ୍କୁ ଖସାଇବାକୁ ମସୁଧା ଚଳାଇଥିବା ସନ୍ଦେହ ସୃଷ୍ଟି ହୋଇଛି ।
ସହିଦନଗର ଥାନା ପୁଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ । କାରଣ, ଏହି ଘଟଣା ଆରମ୍ଭରୁ ହିଁ ପୁଲିସର ଭୂମିକା ସନ୍ଦେହକୁ ଆସିଛି । ହଲ ଭିତରେ ଆକ୍ରମଣ ଚାଲିଥିବା ବେଳେ କପିଳେନ୍ଦ୍ରଙ୍କୁ ପୁଲିସ ଉଦ୍ଧାର କରିଥିଲା । ଆକ୍ରମଣ ଶିକାର ହୋଇଥିବା ସାମ୍ବାଦିକଙ୍କୁ ଥାନାକୁ ଆଣିଥିବା ବେଳେ ଆକ୍ରମଣକାରୀ ହଲ୍ରେ ବସି ଆରାମରେ ଫିଲ୍ମ ଦେଖିଥିଲେ ।
ଖାଲି ସେତିକି ନୁହେଁ, ଫିଲ୍ମ ସରିବା ପରେ ଆକ୍ରମଣକାରୀ ଯୁବକମାନେ ଥାନା ପରିସରରେ ଚକ୍କର କାଟିଥିଲେ । ପୁଲିସ ଅଧିକାରୀଙ୍କ ଚାମ୍ବରରେ ବସି ଗପସପ କରୁଥିଲେ । ଆକ୍ରମଣକାରୀଙ୍କୁ କପିଳେନ୍ଦ୍ର ପୁଲିସ ଆଗରେ ଚିହ୍ନଟ କରିଥିଲେ । ତଥାପି ପୁଲିସ ସେମାନଙ୍କୁ ଛୁଇଁ ନଥିଲା । ହାତକଡି଼ ତ ଦୂରର କଥା, ପଚରାଉଚୁରା ପାଇଁ ବି ସାହାସ କରିନଥିଲା । ଆକ୍ରମଣକାରୀ ଯୁବକମାନେ ଥାନା ଚାରିପାଖ ଏରିଆରେ ଖୁଲମଖୁଲା ବୁଲୁଥିଲେ ବି ପୁଲିସ ସେମାନଙ୍କୁ ଧରି ନଥିଲା । ସାମ୍ବାଦିକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଡିଜିପିଙ୍କୁ ଭେଟିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା ।