ନୂଆଦିଲ୍ଲୀ – ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ର ନୂଆ ନିୟମ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ରୋକ୍‌ ଲଗାଯିବା ପରେ ରାଜନୀତି ହୋଇଛି ସରଗରମ। ବିହାରର ରାଜଧାନୀ ପାଟନାରେ ୟୁଜିସି ନିୟମର ସମର୍ଥନରେ ସୋମବାର ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି। ସେ ଉଚ୍ଚ ଶିକ୍ଷା ସଂସ୍ଥାରେ ୟୁଜିସିର ନୂଆ ସମାନତା ନିୟମରେ ରୋକ୍‌ ହଟାଇବାର ଦାବି କରି ପ୍ରତିବାଦ କରିଛନ୍ତି। ଏହି ସମୟରେ ପାଟନା ପୁଲିସ ସହ ବିରୋଧ ପ୍ରଦର୍ଶନକାରୀଙ୍କ ହାତାହାତି ହୋଇଛି। ପୁଲିସ ଦୁଇ ଛାତ୍ର ନେତାଙ୍କୁ କଷ୍ଟଡିକୁ ନେଇଛି।

କଷ୍ଟଡିକୁ ନିଆଯାଇ ଥିବା ଛାତ୍ର ନେତାଙ୍କ ମଧ୍ୟରେ ଅମର ଆଜାଦ ଓ ମନିଷ ଯାଦବ ଅଛନ୍ତି। ପୁଲିସ ଦୁଇ ଜଣଙ୍କୁ ଧରି କୋତବାଲୀ ଥାନା ନେଇଛି। ଉଲ୍ଲେଖନୀୟ ଯେ, ୟୁଜିସି ନିୟମର ସମର୍ଥନରେ ଛାତ୍ର ସଙ୍ଗଠନ ପକ୍ଷରୁ ସୋମବାର ପାଟନାରେ ମାର୍ଚ୍ଚ ବାହାରି ଥିଲା। ପାଟନା କଲେଜରୁ ଗାନ୍ଧୀ ମୈଦାନ ଯାଏ ମାର୍ଚ୍ଚ କରୁଥିବା ଷ୍ଟୁଡେଣ୍ଟଙ୍କୁ ପୁଲିସ ଜେପି ଗୋଲମ୍ୱର ନିକଟରେ ବ୍ୟାରିକେଡିଂ କରି ରୋକି ଦେଇଥିଲା।

ପ୍ରଦର୍ଶନକାରୀ ବ୍ୟାରିକେଡିଂକୁ ହଟାଇ ଆଗକୁ ବଢିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଠେଲାପେଲା ସ୍ଥିତି ଉପୁଜି ଥିଲା। ଘଟଣାସ୍ଥଳରେ ଖୁବ୍‌ ପୁଲିସ ଫୋର୍ସ ମୁତୟନ କରାଯାଇ ଥିଲା। ୱାଟର କ୍ୟାନନର ଗାଡ଼ି ଗୁଡ଼ିକ ମଧ୍ୟ ଡକାଗଲା। ବିରୋଧ ପ୍ରଦର୍ଶନକାରୀ ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି । ପାଟନା ୟୁନିଭର୍ସିଟିରେ ବିଭିନ୍ନ ଛାତ୍ରାବାସରେ ରହୁଥିବା ହଜାର ହଜାର ଛାତ୍ର ଏହି ମାର୍ଚ୍ଚରେ ସାମିଲ ହୋଇଛନ୍ତି।

କହି ରଖୁଛୁ କି , ୟୁଜିସି ଗତ ମାସରେ ୟୁନିଭର୍ସିଟି ଏବଂ କଲେଜ୍‌ରେ ଏସସି , ଏସଟି ଓ ଓବିସି ଛାତ୍ରଛାତ୍ରୀଙ୍କ ସହ ଭେଦଭାବକୁ ରୋକିବା ପାଇଁ ନୂଆ ନିୟମ ଲାଗୁ କରିଥିଲା। ସବର୍ଣ୍ଣ ବର୍ଗର ଛାତ୍ରଛାତ୍ରୀ ଏହା ଉପରେ ଅଭିଯୋଗ କରିଥିଲେ ଏବଂ ପ୍ରତ୍ୟାହୃତ କରିବାକୁ ଦାବି କରାଯାଇଛି। ପରେ ଏହି ମାମଲା ସୁପ୍ରିମକୋର୍ଟ ଯିବାରୁ ସୁପ୍ରିମକୋର୍ଟ କୋର୍ଟ ଏହି ନିୟମ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ୍‌ ଲଗେଇଛନ୍ତି।