ସମୁଦ୍ରରେ ବୁଡ଼ିଗଲେ ୩ ଛାତ୍ର

ଅସ୍ତରଙ୍ଗ,୨୦ା୧(ଆପ୍ର): ବଣଭୋଜି କରିବାକୁ ଯାଇଥିବାବେଳେ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି ୩ ଇଞ୍ଜିନିୟରିଂ ଛାତ୍ର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ର ଜାହାନିଆ ପୀର ନିକଟରେ ରବିବାର ଘଟିଛି ଏହି ଦୁଃଖଦ ଘଟଣା । ମୃତ ଛାତ୍ରମାନେ ହେଲେ ଅମିତ୍ ମହାନ୍ତି, ଅବିନାଶ ପ୍ରଧାନ ଓ ଶୁଭସୌମ୍ୟ ସେନାପତି । ସମୁଦ୍ରସ୍ନାନ ବେଳେ ଅନ୍ତଃସ୍ରୋତରେ ପଡ଼ି ଅନ୍ୟ ଦୁଇଜଣ ଛାତ୍ର ଶୁଭମ୍ କୁମାର ଓ ସୁଶାନ୍ତ କୁମାର ମୁଦୁଲି ଗୁରୁତର ହୋଇଛନ୍ତି ।
୨ ଆହତଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି । ପରେ ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମୃତ ଓ ଆହତମାନେ ଭୁବନେଶ୍ୱର ପଟିଆସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂର କଲେଜ୍ର ଛାତ୍ର ।
ରବିବାର ଥିବାରୁ ସମ୍ପୃକ୍ତ ଘରୋଇ ଇଞ୍ଜିନିୟରିଂ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗର ୩୦ ଜଣ ଛାତ୍ରଛାତ୍ରୀ ଆଜି ପୀର ଜାହାନିଆ ବେଳାଭୂମିକୁ ବଣଭୋଜି କରିବାକୁ ଆସିଥିଲେ । ପୀଠର ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ଭିତରେ କେତେକ ଛାତ୍ରଛାତ୍ରୀ ନାଚଗୀତର ମଜା ନେଉଥିବା ବେଳେ ଅନ୍ୟ କେତେକ ଛାତ୍ରଛାତ୍ରୀ ଯାଇଥିଲେ ସମୁଦ୍ର କୂଳକୁ । ସେମାନଙ୍କ ମଧ୍ୟରୁ କେତେକ ଛାତ୍ରଛାତ୍ରୀ ବେଳାଭୂମିରେ ବସିଥିଲେ । ଅନ୍ୟ କେତେକ ଲହଡ଼ି ଭାଙ୍ଗିବା ପାଇଁ ସମୁଦ୍ର ମଧ୍ୟକୁ ପଶି ଯାଇଥିଲେ । ହେଲେ ସମୁଦ୍ର ସ୍ନାନ ସେମାନଙ୍କ ପାଇଁ କାଳ ହୋଇଥିଲା । ପହଁରା ଓ ସମୁଦ୍ରର ଗଭୀରତା ଏମାନଙ୍କୁ ମାଲୁମ୍ ନ ଥିବାରୁ ପଡ଼ିଯାଇଥିଲେ ଅନ୍ତଃସ୍ରୋତ ମଧ୍ୟରେ । ଚାହୁଁ ଚାହୁଁ ୫ଜଣଙ୍କୁ ଭସାଇ ନେଇଯାଇଥିଲା ଅନ୍ତଃସ୍ରୋତ । ସେମାନଙ୍କ ଚିତ୍କାର ଶୁଣି କୂଳରେ ହୋହଲ୍ଲା ହେବାରୁ ସ୍ଥାନୀୟ ଯୁବକମାନେ ସାହସର ସହିତ ପହଁରି ୪ଜଣଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଜଣେ ଛାତ୍ର ନିଖୋଜ ରହିଥିଲେ । ଉଦ୍ଧାର ୪ ଜଣଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ଦୁଇ ଗୁରୁତରଙ୍କୁ ଅସ୍ତରଙ୍ଗ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା । ଯେଉଁ ଛାତ୍ରଟି ନିଖୋଜ ଥିଲା ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଟାପା ସାହାଯ୍ୟରେ ସମୁଦ୍ରରେ ଖୋଜାଖୋଜି କରି ଉଦ୍ଧାର କରିଥିଲେ । ଏହି ୫ଜଣଙ୍କ ମଧ୍ୟରୁ କୁମାରଙ୍କ ଘର ଜାମସେଦ୍ପୁରରେ ହୋଇଥିବା ବେଳେ ଅନ୍ୟମାନଙ୍କ ଘର ଓଡ଼ିଶାରେ ବୋଲି ଜଣାପଡ଼ିଛି । ମୃତ ଅମିତଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ହୋଇଥିଲାବେଳେ ଅବିନାଶଙ୍କ ଘର ଜଗତସିଂହପୁର ଏବଂ ଶୁଭସୌମ୍ୟଙ୍କ ଘର ଜଳେଶ୍ୱରରେ ବୋଲି ଜଣାପଡ଼ିଛି । ଶୁଭମ୍ କୁମାର ଓ ସୁଶାନ୍ତ କୁମାର ମୁଦୁଲିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଅସ୍ତରଙ୍ଗ ଥାନାଧିକାରୀ ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।