ପୋଲିସକୁ ବଡ଼ ସଫଳତା, ଫରେଷ୍ଟ ଗାର୍ଡ ହତ୍ୟା ମାମଲାରେ ୩ ଗିରଫ

ବାଙ୍ଗିରିପୋଷି ୨୬/୫- ମୟୁରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ମୟୁରଭଞ୍ଜ ପୋଲିସର ସ୍ଵତନ୍ତ୍ର ଟିମ୍ ଗତ କାଲି ରାତିରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ତିନି ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡ଼ଗାଁ ପଞ୍ଚାୟତର ଗେଣ୍ଡା ପୋଖରୀ ଏବଂ କୁଇଲିଡିହା ଅଞ୍ଚଳର ଶୁକଲାଲ ମାରାଣ୍ଡି, ଦୁଗୁଲି ସିଂ ଏବଂ ବୁଦ୍ଧଦେବ ସିଂ। ତେବେ ବୁଦ୍ଧଦେବ ଜଣେ ପୂର୍ବତନ ସରପଞ୍ଚ ବୋଲି ଜଣା ପଡିଛି। ପ୍ରକାଶ ଯୋଗ୍ୟ, ଗତ ସୋମବାର ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ୍ ରେଞ୍ଜ ଅଞ୍ଚଳରେ ଶିକାରୀ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ସାମ୍ନାସାମ୍ନି ହୋଇଥିଲା । ବନ କର୍ମଚାରୀ ମାନେ ଶିକାରୀ ମାନଙ୍କ ଠାରୁ ଦୁଇଟି ବାରାହା ଏବଂ ତିନୋଟି କୁଟୁରାକୁ ଜବତ କରିଥିଲେ । ଏ ନେଇ ଶିକାରୀ ଏବଂ ବନ କର୍ମଚାରୀ ମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଶିକାରୀମାନେ ଫରେଷ୍ଟ ଗାର୍ଡଙ୍କ ଉପରେ ଗୁଳି ଚଳାଇଥିଲେ । ସେହି ଠାରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ମୃତ୍ୟୁ ହୋଇଥିଲା ।ତେବେ ଆଗକୁ ଆହୁରି ଚଢ଼ାଉ ଜାରି ରହିବ ବୋଲି କହିଛି ପୋଲିସ ।