ଦୁବାଇ, ୦୮/୦୩: ଆଇସିସି ପକ୍ଷରୁ ଗତ ଫେବ୍ରୁଆରୀ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ  ତାଲିକା ଘୋଷଣା  ହୋଇଛି । ଏହି ତାଲିକାରେ ୩ଜଣ ବ୍ୟାଟର ସ୍ଥାନ ପାଇଛନ୍ତି । ସେମାନେ ହେଲେ ଟିମ୍‌ ଇଣ୍ଡିଆର ଶୁଭମନ ଗିଲ, ଅଷ୍ଟ୍ରେଲିଆର  ଷ୍ଟିଭେନ୍‌ ସ୍ମିଥ୍‌ ଓ ନ୍ୟୁଜିଲାଣ୍ଡର ଗ୍ଲେନ୍‌ ଫିଲିପ୍ସ । ଗିଲ୍‌ ଫେବ୍ରୁଆରୀ  ମାସରେ ଇଂଲଣ୍ଡ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ  ୧୦୧.୫୦ ଆଭରେଜରେ ମୋଟ ୪୦୬ରନ୍‌ କରିଥିଲେ । ସେ ୮୭, ୬୦ ଏବଂ ୧୧୨ରନ୍‌ର ଜବରଦସ୍ତ ଇନିଂସ୍‌ ଖେଳି ଦଳକୁ ୩-୦ରେ ସିରିଜ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ପ୍ଲେୟାର ଅଫ୍‌ ଦ ସିରିଜ ବିବେଚିତ ହୋଇଥିଲେ । ଏହାପରେ ସେ  ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷରେ ୧୦୧, ପାକିସ୍ତାନ ବିପକ୍ଷରେ  ୪୬ରନର ଇନିଂସ୍‌ ଖେଳିଥିଲେ । ଭାରତ ଉଭୟ ମ୍ୟାଚ୍‌ ଜିତିଥିଲା । 




ସ୍ମିଥ୍‌ ଗତ ମାସ ଶ୍ରୀଲଙ୍କା ବିପକ୍ଷ ୨ଟି ଟେଷ୍ଟରେ ଯଥାକ୍ରମେ  ୧୪୧, ୧୩୧ରନ୍‌ର ଦମ୍‌ଦାର ଇନିଂସ୍‌ ଖେଳିଥିଲେ ଏବଂ ପ୍ଲେୟାର  ଅଫ୍‌ ଦ ସିରିଜ ପୁରସ୍କାର ପାଇଥିଲେ । ମାତ୍ର ସେ ଦିନିକିଆ ସିରିଜରେ  ବିଫଳ (୧୨ ଓ ୨୯ରନ୍‌) ହୋଇଥିଲେ । ଚାମ୍ପିଅନ୍ସ ଟ୍ରଫି ପ୍ରଥମ  ୨ଟି ମ୍ୟାଚ୍‌ (ଯଥାକ୍ରମେ ୫, ଅପରାଜିତ ୧୯)ରେ ମଧ୍ୟ ନିରାଶ  କରିଥିଲେ । ସେହିପରି ଫିଲିପ୍ସ ୫ଟି ଦିନିକିଆ ଖେଳି ୧୨୪.୨୧  ଷ୍ଟ୍ରାଇକ୍‌ ରେଟ୍‌ରେ ୨୩୬ରନ୍‌ କରିଥିଲେ । ସେ ପାକିସ୍ତାନରେ  ଆୟୋଜିତ ତ୍ରି-ରାଷ୍ଟ୍ରୀୟ ସିରିଜରେ ଦଳକୁ ଚାମ୍ପିଅନ୍‌ କରାଇବାରେ  ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଚଳିତ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ  ୨ଟି ମ୍ୟାଚ୍‌ରେ ସେ ପାକିସ୍ତାନ ବିପକ୍ଷରେ ୬୧ ଓ ବାଂଲାଦେଶ  ବିପକ୍ଷରେ ଅପରାଜିତ ୨୧ରନ୍‌ କରିଥିଲେ । ବ୍ୟାଟିଂ ଅପେକ୍ଷା  ଅବିଶ୍ୱସନୀୟ ଫିଲ୍ଡିଂ ପାଇଁ ସମ୍ପ୍ରତି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।