PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଘଡ଼ିକେ ଘୋଡ଼ା ଛୁଟୁଛି: ୩ ଦଳରେ ଚାଲିଛି ମିଶାଣ, ଫେଡ଼ାଣ

source:updateodisha.com

ଭୁବନେଶ୍ୱର,୧୫ ।୩(ବ୍ୟୁରୋ): ବରଗଡ଼ରେ ରାହୁଲଙ୍କ ହୁଙ୍କାର । ନବୀନ ନିବାସରେ ପ୍ରାର୍ଥୀ ତାଲିକାକୁ ନେଇ ଛକାପଞ୍ଝା । ବିଜେପି କାର୍ଯ୍ୟାଳୟରେ ଦାମଙ୍କୁ ସମ୍ବର୍ଦ୍ଧନା ସହ ଟିକେଟ୍‌ ଚୂଡ଼ାନ୍ତ ପାଇଁ ନିର୍ବାଚନ କମିଟିର ବୈଠକ । କିଏ ଦଳ ଛାଡ଼ିଲାଣି, କିଏ ଦଳରେ ମିଶିଲେଣି । ଦଳୀୟ କାର୍ଯ୍ୟାଳୟରେ ତୁହାକୁ ତୁହା ବୈଠକ । ମନ୍ତ୍ରଣାକକ୍ଷରେ ପ୍ରାର୍ଥୀଙ୍କ ନାମକୁ ନେଇ ଛକି-ଶୂନ । ହଠାତ୍‌ ଏମିତି ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟ ରାଜନୀତି । ଘଡ଼ିକେ ଘୋଡ଼ା ଛୁଟୁଛି ।
ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପାଇଁ ମଝିିରେ ଆଉ ଦୁଇଦିନ । ୧୮ରେ ବିଜ୍ଞପ୍ତି ଜାରି ସହ ନାମାଙ୍କନ ଆରମ୍ଭ ହେବ । ନାମାଙ୍କନ ଦାଖଲ ଦିନ ଯେତିକି ପାଖେଇ ଆସୁଛି, ରାଜନୈତିକ ହଲଚଲ ସେତିକି ବଢୁଛି । ଦିନ ତମାମ ନବୀନ ନିବାସରେ ଶୁକ୍ରବାର ଯେତିକି ଭିଡ଼ ଥିଲା, ସେତିକି ସସପେନ୍ସ ମଧ୍ୟ । ଦ୍ୱିତୀୟ ପର୍ଯ୍ୟାୟ ଟିକେଟ ତାଲିକା ପ୍ରସ୍ତୁତ କରିବାକୁ ଆରମ୍ଭ ହୋଇଛି କସରତ । କେଉଁ ନେତା ନିଜ ପୁଅଙ୍କୁ ଧରି ନବୀନ ନିବାସରେ ହାଜର ହେଲେଣି, ଆଉ କିଏ ପତ୍ନୀଙ୍କୁ ଧରି ଆସିଥିଲେ । ପ୍ରଥମ ପର୍ଯ୍ୟାୟ ଟିକେଟକୁ ନେଇ ଅସନ୍ତୋଷ ଦାଣ୍ଡରେ ପଡ଼ି ହାଟରେ ଗଡୁଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକେଟ ପୂର୍ବରୁ ପୁରୁଣା ମୁହଁଙ୍କ ଅସନ୍ତୋଷକୁ କେମିତି ରୋକିହେବ ସେଥିପାଇଁ ମଧ୍ୟ ଚାଲିଥିଲା ମାନସମନ୍ଥନ । ଏପରିକି ବିଜେପି ଛାଡ଼ିଥିବା ଦିଲ୍ଲୀପ ରାୟ ନବୀନ ନିବାସ ଆସି ଶଙ୍ଖ ଫୁଙ୍କିବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । ଗଣମାଧ୍ୟମ ପ୍ରତିନିଧି ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ସେମିତି କିଛି ହେଲାନି । ଅପରାହ୍ନରେ କିନ୍ତୁ ବିଜେଡିରୁ ଇସ୍ତଫା ଦେଇଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ବଳଭଦ୍ରଙ୍କ ପରେ ସୁକାନ୍ତଙ୍କ ଇସ୍ତଫା ବିଜେଡି ଶିବିରରେ ଚାପ ପକାଇଲା । ନବୀନ ନିବାସ ଉପରେ ଉଭୟ ବିଜେପି ଓ କଂଗ୍ରେସ କ୍ୟାମ୍ପ ଆଖି ରଖିଥିଲେ । ଟିକିନିଖି ଖବର ରଖୁଥିଲେ । ବିଜେଡି ସୁପ୍ରିମୋ ଦଳୀୟ ନେତାମାନଙ୍କ ସହ ଟିକେଟ ବଣ୍ଟନ ନେଇ ମଧ୍ୟ ରୁଦ୍ଧଦ୍ୱାର ବୈଠକରେ ବିଚାର ବିମର୍ଶ କରିଥିଲେ । ସନ୍ଧ୍ୟା ଯାଏ ଟିକେଟ ଆଶାୟୀ ଓ ସମର୍ଥକମାନେ ନବୀନ ନିବାସରେ ଚକ୍କର କାଟୁଥିଲେ । ସନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରାର୍ଥୀ ଚୟନ ପାଇଁ ନବୀନ ସଂପୃକ୍ତ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ । ଟିକେଟ ବଣ୍ଟନ ଅସନ୍ତୋଷକୁ ପ୍ରଶମିତ କରିବାକୁ ବାଟ ଦରାଣ୍ଡିଥିଲେ ଛାମୁଆ ନେତା । ଏପରିକି ଆବଶ୍ୟକ ହେଲେ ଦଳ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ତାଲିକାକୁ ମଧ୍ୟ ଅପେକ୍ଷା କରିପାରେ । ତିନି ଦଳରେ ପ୍ରାର୍ଥୀ ତାଲିକାକୁ ନେଇ ଟକରାଟକରି ଯେ ଲାଗି ରହିବ ତା’ର ଆଭାସ ମିଳୁଥିଲା । ବିଜେପି ପାର୍ଟି ଅଫିସରେ ଆଜି କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଭେଟେରାନ ଦାମୋଦର ରାଉତ ବିଜେପିରେ ଯୋଗଦେବା ପରେ ଆଜି ଦିଲ୍ଲୀରୁ ଫେରିଥିଲେ । ତାଙ୍କୁ ଏକ ଶୋଭାଯାତ୍ରାରେ ବିଜେପି କାର୍ଯ୍ୟାଳୟକୁ ପାଛୋଟି ଅଣାଯିବା ପରେ ଦାମ ବିଜେଡି ଓ ନବୀନଙ୍କ ଉପରେ ଜୋରଦାର ବର୍ଷିଲେ । ଦାମଙ୍କ ବାଣରେ ବେଶ୍‌ ଉତ୍ସାହିତ ଥିଲେ ଦଳର ବରିଷ୍ଠ ନେତା । ଶନିବାର ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଥିବାରୁ କିଛି ବିଧାନସଭା ସିଟ୍‌ ଟିକେଟ ଚୂଡ଼ାନ୍ତ କରିବାକୁ ନିର୍ବାଚନ କମିଟିର କବାଟକିଳା ବୈଠକ ବସିଥିଲା । କିଛି ଆସନକୁ ନେଇ ଛକିଶୂନ ପରେ ବୈଠକ ସନ୍ଧ୍ୟାକୁ ଘୁଞ୍ଚିଲା । ତେବେ ଦଳୀୟ କାର୍ଯ୍ୟାଳୟରେ ଆଜି ବେଶ୍‌ ଉତ୍ସାହ ସହ ଖୁସିର ମାହୋଲ ଲାଗି ରହିଥିଲା । ଅପରାହ୍ନରେ ଦଳରେ ସାମିଲ ହେଲେ ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ । ଆଉ କିଛି ନେତା ସାମିଲ୍‌ ହେବେ ବୋଲି ଟୁପୁରୁଟାପୁରୁ ଚାଲିଥିଲା । ମାତ୍ର କୌଣସି କାରଣରୁ ସ୍ଥଗିତ ରହିଲା । ଏପଟେ ବିଜେଡି ଛାଡ଼ିଥିବା ସାଂସଦ ବଳଭଦ୍ର ମାଝୀ ଶନିବାର ବିଜେପିରେ ସାମିଲ ହେବେ ବୋଲି ଖବର ରାଜ୍ୟ କାର୍ଯ୍ୟାଳୟରେ ଘୂରିଲା । ସାଲେପୁର ବିଧାୟକ ପ୍ରକାଶ ବେହେରା ମଧ୍ୟ ପଦ୍ମ ଧରିବେ ବୋଲି ଚର୍ଚ୍ଚା ତେଜିଲା ।
ଅଭିଜ୍ଞ ବିଜୟ ମହାପାତ୍ରଙ୍କ ଗତିବିଧି ଉପରେ ମଧ୍ୟ ମିଡିଆର ନଜର ଥିଲା । ବିଜେପିକୁ ବାଏ ବାଏ କରିଥିବା ବିଜୟ କୁଆଡ଼େ ଯିବେ, କେଉଁ ଦଳରେ ସାମିଲ୍‌ ହେବେ ସେ ନେଇ କିଛି ସୁରାକ୍‌ ମିଳିଲାନି । ମାତ୍ର କେତେବେଳେ ସେ ବିଜେଡିରେ ତ ଆଉ କେତେବେଳେ ବିଜେପିରେ ମିଶିବେ ବୋଲି ଖବର ଘୂରିଲା । ମାତ୍ର ଭେଟେରାନ ବିଜୟଙ୍କୁ ନେଇ ସସପେନ୍ସର ଅନ୍ତ ହେଲାନି ।
କଂଗ୍ରେସ ଭବନରେ ଆଜି ବିଶେଷ ଗହଳି ଚହଳି ନଥିଲା । ଦଳର ଭେଟେରାନ ନେତାମାନେ ବରଗଡ଼ରେ ଥିଲେ । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମାବେଶକୁ ସଫଳ କରିବାକୁ ନେତାମାନେ ଜୋରଦାର ଉଦ୍ୟମ କରିଥିଲେ । ରାହୁଲ ତାଙ୍କ ଭାଷଣରେ ‘ଆମେ ଯାହା କହୁ , ତାହା କରୁ’ ବୋଲି କହି ଉପସ୍ଥିତ ଲୋକଙ୍କ ମନ ଜିଣିବାକୁ ଭରପୂର ଉଦ୍ୟମ କରିଥିଲେ । ରାହୁଲଙ୍କ ସଭା ସରିବା ପରେ ଦଳର ବରିଷ୍ଠ ନେତାମାନେ ଟିକେଟ ନେଇ ଆଲୋଚନା କରିଥିବାର ସୂଚନା ମିଳିଛି । ଆସନ୍ତାକାଲି କଂଗ୍ରେସ ଟିକେଟ ଚୂଡାନ୍ତ କରିବାକୁ ବସିବ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକ । ପ୍ରସ୍ତୁତ ହେବାକୁ ଥିବା ଚୂଡାନ୍ତ ତାଲିକାରେ ରାହୁଲଙ୍କ ପରାମର୍ଶକ୍ରମେ ଅଧିକରୁ ଅଧିକ ମହିଳା ମୁହଁଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି । ଶନିବାର ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ବିଜେଡି ଶିବିରରୁ ସ୍ପଷ୍ଟ ସୂଚନା ମିଳୁନି । ଏପରିକି ଆବଶ୍ୟକ ପଡ଼ିଲେ ତିନି ଦଳ କିଛି ଆସନ ପାଇଁ ଶେଷ ମୁହୂର୍ତ୍ତ ଯାଏ ମଧ୍ୟ ଅପେକ୍ଷା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର