କାଳବୈଶାଖୀରେ ତାତି ଗାଏବ୍; ୬ରୁ ବଢ଼ିବ ବର୍ଷା

source:http://theconversation.com
ଭୁବନେଶ୍ୱର,୩ା୬(ବ୍ୟୁରୋ): ମୌସୁମୀ ବହୁ ଦୂରରେ ଅଛି । କେବେ କେରଳ ଆସିବ? ଆଉ କେବେ ଓଡ଼ିଶା ଛୁଇଁବ? ଏଯାଏଁ କିଛି ନିଶ୍ଚିତ ନୁହେଁ । ମୌସୁମୀ ଡେରି ହେଉ ପଛେ ଓଡ଼ିଶାକୁ ପାଣିପାଗ ଏବେ ପୂରା ମେହେରବାନ୍ । ତାତି ଗାଏବ୍ । ଆଜି ଏଠି ବର୍ଷା ଛେଚିଲାଣି ତ କାଲି ସେଠି । ଉପକୂଳରୁ ନେଇ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ବାତାବରଣକୁ ଆଶ୍ୱସ୍ତି ଦେଲାଣି କାଳବୈଶାଖୀ ।
ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି, ମୌସୁମୀ ବିଳମ୍ବ ହେଲେ ବି ତାତି ଏବେ ବଢ଼ିବାର ସମ୍ଭାବନା ଦେଖାଯାଉନି । ବରଂ ପ୍ରତିଦିନ କାଳବୈଶାଖୀ ବର୍ଷା ହେବ ରାଜ୍ୟର ବିଭିନ୍ନ ସ୍ଥାନରେ । ଆସନ୍ତା ୬ରୁ ବର୍ଷା ବଢ଼ିବ । ଅନେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ପୁଣି ୮-୧୦ ତାରିଖ ଭିତରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୬ରୁ ୮ ତାରିଖ ଯାଏଁ ଭଲ ବର୍ଷା ହେବ ଓଡ଼ିଶାରେ । ପ୍ରଥମେ ଉତ୍ତର ଓଡ଼ିଶାରେ ବର୍ଷା ହେବ । ତା’ ପରେ ପଶ୍ଚିମ ଓ ଉପକୂଳରେ ବି ବର୍ଷା କରାଇବ । ଦକ୍ଷିଣରେ ବର୍ଷା ପରିମାଣ କମ୍ ରହିପାରେ । ଏହି ବର୍ଷା ଯୋଗୁ ରାଜ୍ୟରେ ତାତି ପ୍ରକୋପ କମ୍ ରହିବ ।
ସେ ଆହୁରି ଆକଳନ କରିଛନ୍ତି, ଆସନ୍ତା ୯ ତାରିଖବେଳକୁ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯଦି ଏହା କୃପା କରେ, ତେବେ ଓଡ଼ିଶାରେ ପୁଣି ବର୍ଷା ଢାଳିବ । ଯଦି ଏମିତି ନ ହୁଏ, ତାତି ପ୍ରକୋପ ଅଚାନକ୍ ବଢ଼ିଯିବ । ଛଟପଟ ହେବ ସାରା ଓଡ଼ିଶା । କାରଣ ମୌସୁମୀ ଓଡ଼ିଶା ଆଗମନ ବିଳମ୍ବ ହେବ । ୬ ତାରିଖ ସୁଦ୍ଧା ମୌସୁମୀ କେରଳ ଉପକୂଳ ଛୁଇଁଲେ ବି ଏହା ଓଡ଼ିଶାକୁ ମୁହାଁଇବାରେ ବିଳମ୍ବ ସମ୍ଭାବନା ଅଛି । ମୌସୁମୀ ଆସିଲାବେଳକୁ ୧୭-୧୮ ତାରିଖ ହୋଇପାରେ ।
ମୌସୁମୀ ବାଟକୁ ରାଜ୍ୟବାସୀ ଅନେଇ ଥିବାବେଳେ ଗତ କିଛି ଦିନ ହେବ ବଢ଼ିଛି କାଳବୈଶାଖୀ ବର୍ଷା । ତାତିରେ ଛଟପଟ ଜନଜୀବନଙ୍କୁ ଆଶ୍ୱସ୍ତ କରିଛି ଏ ବର୍ଷା । ଦକ୍ଷିଣ, ଉତ୍ତରରେ ଗତ ୨/୩ ଦିନ ଭିତରେ ପ୍ରବଳ ବର୍ଷା ଢାଳିଛି । ବର୍ଷା ଯୋଗୁ ଖସି ଚାଲିଛି ତାପମାତ୍ରା । ସୋମବାର ଏକମାତ୍ର ସୋନପୁର ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରେ (୪୧.୨) ଥିଲା । କିଛି ଦିନ ତଳେ ୪୫ ଡିଗ୍ରୀ ତାତିରେ ସିଝୁଥିବା ଟିଟିଲାଗଡ଼ ତାପମାତ୍ରା ଖସି ଆସିଥିଲା ୩୧ ଡିଗ୍ରୀକୁ । ବଲାଙ୍ଗିର ୩୦.୬ ଡିଗ୍ରୀ ଓ ଭବାନୀପାଟଣା ୩୦ ଡିଗ୍ରୀରେ ଆଶ୍ୱସ୍ତ ଅନୁଭବ କରିଛି । କୋରାପୁଟ ତାପମାତ୍ରା ୨୬.୬ ଡିଗ୍ରୀକୁ ଖସି ଆସିଛି । ସୋନପୁର ପରେ କେବଳ ତାଳଚେର, ସୁନ୍ଦରଗଡ଼ ପାରଦ ୩୮ ଡିଗ୍ରୀ ଡେଇଁଥିଲା ।
ଉପକୂଳ ଓଡ଼ିଶାରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଥିବାବେଳେ ବାଲେଶ୍ୱର ୩୫.୮, ଚାନ୍ଦବାଲି ୩୫.୩ ଡିଗ୍ରୀ ଛୁଇଁଥିଲା । ମଝିରେ ମଝିରେ ଖରା ଗାଏବ୍ ହେବା ସହ ମେଘ ବାଦଲ ଘୁରି ବୁଲୁଥିଲା । ଲାଗୁଥିଲା, ଯେମିତି ରଜ ପାଗ ଆସିଯାଇଛି ଆଗୁଆ ।
ପାଣିପାଗ ବିଭାଗ କହୁଛି, ମୌସୁମୀ ଏବେ ଆରବ ସାଗରର ଦକ୍ଷିଣ ପାଶ୍ୱର୍ର କିଛି ଅଂଶ, ମାଳଦୀପର କେତେକ ଅଞ୍ଚଳ, ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଛୁଇଁଲାଣି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସଙ୍କ ପୂର୍ବାନୁମାନ ହେଲା, ୬ ତାରିଖ ସୁଦ୍ଧା କେରଳ ଉପକୂଳ ଛୁଇଁବ । ହେଲେ ଓଡ଼ିଶା ଆଗମନ ନେଇ ଏବେ କିଛି ସ୍ପଷ୍ଟ ଆକଳନ କରିହେବନି । ପ୍ରାକ୍ ମୌସୁମୀର ପ୍ରଭାବ ପରିଲକ୍ଷିତ ହେଲାଣି । ଯେଉଁଥିପାଇଁ ଏବେ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ଲାଗି ରହିଛି । ଓଡ଼ିଶାରେ ବର୍ତ୍ତମାନ ଆଶ୍ୱସ୍ତିିଭରା ପାଗ ରହିବ । ଆସନ୍ତା ୫-୬ଦିନ ଯାଏଁ ଗ୍ରୀଷ୍ମ ପ୍ରବାହର ସାମାନ୍ୟତମ ଲକ୍ଷଣ ଦେଖାଯାଉନି ।
ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ରାଜସ୍ଥାନରୁ ମିଜୋରାମ ପର୍ଯ୍ୟନ୍ତ ଟ୍ରଫଲାଇନ୍ ବି ରହିଛି । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ଥିବାବେଳେ ଝାଡ଼ଖଣ୍ଡ ଉପରେ ବି ଅଛି ଘୂର୍ଣ୍ଣିବଳୟ । ଏସବୁ କାଳବୈଶାଖୀ ବର୍ଷାକୁ ବଢ଼ାଉଛି ।
ଆସନ୍ତାକାଲି ଉପକୂଳ ଓଡ଼ିଶା ଓ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରିରେ ଘଡ଼ଘଡ଼ି ସହ ହାଲ୍କାରୁ ମଧ୍ୟମ ବର୍ଷା ହୋଇପାରେ । ଉତ୍ତର ଉପକୂଳ ସମେତ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମରେ ବଜ୍ରପାତ ସହ ୩୦-୪୦ କିମି ବେଗରେ ପବନ ଆଶଙ୍କା ଅଛି ।
ଆସନ୍ତା ୫, ୬ ଓ ୭ ତାରିଖରେ କାଳବୈଶାଖୀ ବର୍ଷା ବଢ଼ିବ । ୫ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ସମେତ ଉପକୂଳ ଓଡ଼ିଶାର କେକେତ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୬ରେ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହାବାଦ୍ ଉପକୂଳ ଓଡ଼ିଶା ସମେତ ଦକ୍ଷିଣର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୭ରେ ବି ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । କେତେକ ଜାଗାରେ ପ୍ରବଳ ବର୍ଷିବ ।
୮ରୁ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା ହେବ । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଏମିତି ହେଲେ ତାତି ଆହୁରି ଖସିପାରେ । ଗତ ୨୪ ଘଣ୍ଟା ଭିତରେ (ସକାଳ ସାଢ଼େ ୮ଟା ସୁଦ୍ଧା) ଭବାନୀପାଟଣାରେ ୬୦ ମିଲିମିଟର, ପାରାଦୀପରେ ୪୮.୫ ମିମି, ଚାନ୍ଦବାଲିରେ ୩୨.୪, ବଲାଙ୍ଗିରରେ ୨୫, ଗୋପାଳପୁରରେ ୧୪.୪, ଟିଟିଲାଗଡ଼ରେ ୧୯, ଅନୁଗୁଳରେ ୧୩, ସୋନପୁରରେ ୧୦.୮ ମିମି ବର୍ଷା ହୋଇଥିଲା । ଏହାବାଦ୍ ଅନେକ ଜାଗାରେ ହାଲ୍କା ବର୍ଷା ଛିଞ୍ଚିଥିଲା । ଆଜି ସକାଳରୁ ଅପରାହ୍ନ ୫ଟା ୩୦ ସୁଦ୍ଧା କୋରାପୁଟରେ ୬୫ ମିମି, ସୋନପୁରରେ ୧୫ ମିମି ବର୍ଷା ହୋଇଛି ।