ରାଜ୍ୟର ଏହି ୫ ଜିଲ୍ଲାରେ ରହିଛି କାଳବୈଶାଖୀ ସମ୍ଭାବନା, ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରହିବ

ଭୁବନେଶ୍ବର ୩।୪: ଆଜି (ବୁଧବାର) ଅପରାହ୍ଣ ୩ଟା ଠାରୁ ସନ୍ଧ୍ୟା ୬ଟା ୩୦ ମିନିଟ ମଧ୍ୟରେ ରାଜ୍ୟର ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ସାଟେଲାଇଟ୍ ଚିତ୍ର ଓ ଡପ୍ଲର ରାଡାର ସୂଚନାକୁ ଆଧାର କରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ ଆଜି ଅପରାହ୍ଣ ୩ ଟାରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ଏହି ସମସ୍ତ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଆରମ୍ଭ ହୋଇଯିବ। ଏଥିସହ ଏହି ସମୟ ମଧ୍ୟରେ ଏହି ସମସ୍ତ ସ୍ଥାନରେ ବଜ୍ରପାତର ଆଶଙ୍କା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ଜାରି ସତର୍କ ସୂଚନାରେ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
ଅନ୍ୟପକ୍ଷରେ ରାଜ୍ୟରେ ଆଜି ବି ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଉତ୍ତର ଓ ଉପକୂଳ ଓଡ଼ିଶାର ଗୋଟିଏ, ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବ ଲାଗି ରହିବ। ଫଳରେ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପବନର ବେଗ ଅଧିକ ରହିବ।