ଶାହୀ ଇମାମ୍ ଅହମଦ ସିଦ୍ଧିକିଙ୍କ ବିବାଦୀୟ ବୟାନ: ମୁସଲିମ ମହିଳାଙ୍କୁ ଟିକେଟ୍ ଦେବା ଇସଲାମ୍ର ଘୋର ଅପମାନ, ହିଜାବ ସୁରକ୍ଷିତ ରହିବନି

ଅହମଦାବାଦ ୦୪/ ୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆସନ୍ତାକାଲି ଅର୍ଥାତ ଡିସେମ୍ବର ୫ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଅହମଦାବାଦର ଜାମା ମସଜିଦର ଶାହୀ ଇମାମ୍ ଶବ୍ବୀର ଅହମଦ ସିଦ୍ଧିକି ବିବାଦୀୟ ବୟାନ ଦେଇଛନ୍ତି । ଶବ୍ବୀର ଅହମଦ ନିର୍ବାଚନରେ ମୁସଲମାନ ମହିଳାଙ୍କୁ ଟିକେଟ୍ ଦେବାକୁ ନେଇ ଆପତ୍ତି ଉଠାଇଛନ୍ତି ।
ଜାମା ମସଜିଦର ଶାହୀ ଇମାମ୍ ଶବ୍ବୀର ଅହମଦ ସିଦ୍ଧିକି କହିଛନ୍ତି, ମୁସଲମାନ ମହିଳା ନିର୍ବାଚନ ଲଢିବା ଇସଲାମ ବିରୋଧୀ । ସେମାନଙ୍କୁ ନିର୍ବାଚନ ଲଢିବାକୁ ଦିଆନଯିବା ଉଚିତ । ଇସଲାମ୍କୁ କମଜୋର କରିବାକୁ ଚେଷ୍ଟା କରାଯାଉଛି । ଟିକେଟ୍ ଦେବାକୁ କୌଣସି ମୁସଲମାନ ନାହାନ୍ତି କି?
ଶବ୍ବୀର ଅହମଦ ସିଦ୍ଧିକି କହିଛନ୍ତି, ‘ମସଲମାନ ପୁରୁଷମାନେ ନମାଜ ପଢୁଛନ୍ତି କିନ୍ତୁ ଜଣେ ବି ମୁସଲିମ ମହିଳା କିମ୍ବା ଯୁବତୀ ନଜର ଆସୁଛନ୍ତି କି? ଇସଲାମରେ ନମାଜ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଯଦି ମହିଳାଙ୍କୁ ଏଭଳି ଲୋକଙ୍କ ସାମ୍ନାକୁ ଆସିବା ପାଇଁ ଅନୁମତି ଥାନ୍ତା ତେବେ ସେମାନଙ୍କୁ ମସଜିଦରେ କାହିଁକି ବାରଣ କରାଯାଇଛି? କାରଣ ଇସଲାମରେ ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ନିୟମ ରହିଛି । ତେଣୁ ଯିଏ ବି ମହିଳାଙ୍କୁ ଟିକେଟ୍ ଦେଉଛନ୍ତି ସେମାନେ ଇସଲାମ ବିରୋଧରେ ବିଦ୍ରୋହ କରୁଛନ୍ତି । ଏଥିପାଇଁ ପୁରୁଷ ଅଛନ୍ତି ସେମାନଙ୍କୁ ନିର୍ବାଚନ ଲଢିବାକୁ ଟିକେଟ୍ ଦିଅନ୍ତୁ । ମହିଳାଙ୍କୁ କାହିଁକି? ଏହା ଦ୍ବାରା ଆମ ଧର୍ମ ଦୁର୍ବଳ ହେଉଛି’।
ସେ ଆହୁରି ମଧ୍ୟ କହିଛନ୍ତି, ମୁସଲିମ ମହିଳାଙ୍କୁ ଜୋରଜବରଦସ୍ତି ବିଧାୟକ କିମ୍ବା କାଉନସିଲର କରିବା ଦ୍ବାରା କଣ ହେବ? ଆମେ ହିଜାବକୁ ସୁରକ୍ଷିତ ରଖିପାରିବୁ ନାହିଁ । ମୁସଲିମ ମହିଳାମାନେ କୌଣସି ପ୍ରସଙ୍ଗକୁ ସଠିକ୍ ଭାବେ ଉଠାଇ ପାରିବେ ନାହିଁ । ଷ୍ଟେଜ୍ ଉପରେ ଚଢି ଭୋଟ ପାଇଁ ଅପିଲ କରିପାରିବେ ନାହିଁ । ଏଥିପାଇଁ ହିଜାବ ଖୋଲିବାକୁ ପଡିବ । ନିର୍ବାଚନରେ ଭୋଟ ପାଇଁ ପ୍ରତି ଘର ବୁଲିବାକୁ ପଡିବ । ହିନ୍ଦୁ ଲୋକଙ୍କ ଘରକୁ ଯିବାକୁ ପଡିବ । ତେଣୁ ମୁଁ ମୁସଲିମ ମହିଳାଙ୍କୁ ଟିକେଟ୍ ଦେବାକୁ ଶକ୍ତ ବିରୋଧ କରୁଛି । ତାଙ୍କ ସ୍ଥାନରେ କୌଣସି ପୁରୁଷଙ୍କୁ ଟିକେଟ୍ ଦେଲେ କିଛି ଆପତ୍ତି ନାହିଁ’।