ଫାଶରେ ପଡ଼ି ବାଘ ମୃତ

ବଲାଙ୍ଗୀର/ସଇଁତଳା/ଆମପାଲି/ ଫପ୍ସି, ୫ା୨(ଆପ୍ର): ଜଙ୍ଗଲରେ ବିଛାଯାଇଥିବା ମୃତ୍ୟୁର ଫାଶ ସାଂଘାତିକ ପରିଣତି ସୃଷ୍ଟି କରିଛି । ହରିଣ, ସମ୍ବର, ବାର୍ହା ଆଦି ବନ୍ୟ ଜନ୍ତୁ ଶିକାର ପାଇଁ ବଡ଼ମାଳ ଜଙ୍ଗଲ ଭିତରେ ଲଗାଯାଇଥିବା ଫାଶ ଏକ ମାଈ କଲରାପତରିଆ ବାଘର ଜୀବନ ନେଇଛି ।
ବଡ଼ମାଳ ଗୋଳାବାରୁଦ କାରଖାନାର ୧ ନମ୍ବର ଗେଟ ଦେଇ କାରଖାନା ଭିତରକୁ ଯାଇଥିବା ଜଙ୍ଗଲରେ ବାଘର ମୃତ ଦେହ ପଡ଼ିଥିବା ମଙ୍ଗଳବାର ଭୋର୍ରୁ ଜଣାପଡ଼ିଥିଲା । ଖବର ପ୍ରଚାରିତ ହେବାପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । କିନ୍ତୁ ୧ ନମ୍ବର ଗେଟ ନିଷିଦ୍ଧାଞ୍ଚଳ ହୋଇଥିବାରୁ କେହି ଭିତରକୁ ଯାଇପାରି ନଥିଲେ । କାରଖାନାର କେତେକ ସୁରକ୍ଷା କର୍ମୀ ବାଘଟିକୁ ଦେଖି ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ କାରଖାନା କର୍ତ୍ତୃପକ୍ଷ ବନ ବିଭାଗକୁ ସ ୂଚନା ଦେଇଥିଲେ । ଖବର ପାଇ ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ବାଘଟିର ମୃତ ଦେହକୁ ଉଦ୍ଧାର କରିଥିଲେ । ବଡ଼ମାଳ ରେଞ୍ଜର ବର୍ଣ୍ଣି ଜଙ୍ଗଲ ଭିତରେ ମରିପଡ଼ିଥିବା ଉକ୍ତ ବାଘର ପେଟ ଓ ନିତମ୍ବ ମଧ୍ୟ ଭାଗରେ ୬ ମିଲିମିଟର ମୋଟେଇର ଜିଆଇ ତାର ଛନ୍ଦି ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ସମ୍ମୁଖ ପଟର ଡାହାଣ ଗୋଡ଼ରେ ଗୁରୁତର ଆଘାତ ଲାଗି ପାପୁଲିଟି ଛିଣ୍ଡିଯାଇଥିବା ଭଳି ଦେଖାଯାଉଛି । ବନ ବିଭାଗର ପ୍ରାଥମିକ ତଦନ୍ତ ଅନୁସାରେ, ବାଘଟି ଫାଶରେ ଚାପି ହୋଇ ମରିଛି । ବଞ୍ଚିବା ପାଇଁ ଉଦ୍ୟମ କରି ଡେଇଁବା ବେଳେ ଫାଶ ଅଧିକରୁ ଅଧିକ ଚାପି ହୋଇ ଶରୀରର ଶିରା ପ୍ରଶିରା ସବୁ ନଷ୍ଟ ହୋଇଯାଇଥିବା ଡିଏଫ୍ଓ ଶ୍ରୀ ଶତପଥୀ କହିଛନ୍ତି । ଶିକାରୀମାନେ ବନ୍ୟଜନ୍ତୁ ଶିକାର ପାଇଁ ଲଗାଇଥିବା ଫାଶରେ ବାଘର ମୃତ୍ୟୁ ଘଟଣାକୁ ସେ ଅସ୍ୱୀକାର କରୁନାହାନ୍ତି । କିନ୍ତୁ ମୃତ୍ୟୁର କାରଣ ସମ୍ପର୍କରେ ମଧ୍ୟ କିଛି କହୁ ନାହାନ୍ତି । ଅପରପକ୍ଷେ ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାଘଟିର ଗୋଡ଼ରେ ପ୍ରଥମେ ବିଦ୍ୟୁତ୍ ସଂଯୋଗ ଲାଗିବା ପରେ ସେ ପାଦ ଟାଣିବାକୁ ଉଦ୍ୟମ କରିଛି ଏବଂ ପରେ ଅତର୍କିତ ଭାବେ ଖସିପଳାଇବା ଉଦ୍ୟମ କରିବା ସମୟରେ ଫାଶରେ ଲାଗିଯାଇଥିବା ଅନୁମାନ କରାଯାଉଛି । କିନ୍ତୁ ବନ ବିଭାଗ ବିଦ୍ୟୁତ୍ ଆଘାତକୁ ଅସ୍ୱୀକାର କରୁଛି । ବାଘ ପଡ଼ିଥିବା ଅଞ୍ଚଳରେ ମଢ଼ ଗନ୍ଧ ହେଉଥିଲା । ତେଣୁ ବାଘଟି ରବିବାର ରାତିରେ ମରି ପଡ଼ିଥିବା ଆଶଙ୍କା କରାଯାଉଛି ।
ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାଈ ବାଘଟିର ଶରୀରର ଲମ୍ବ ୧୭୦ ସେଣ୍ଟିମିଟର ଏବଂ ଉଚ୍ଚତା ୬୦ ସେଣ୍ଟିମିଟର । ବୟସ ପ୍ରାୟ ଦେଢ଼ରୁ ଦୁଇ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଇଛି । ତେବେ ପୂର୍ବରୁ ବଡ଼ମାଳ ଅଞ୍ଚଳରେ ଶାବକ ସହିତ ବୁଲୁଥିବା ଦୁଇ ବାଘ ମଧ୍ୟରୁ ଏହା ନୁହଁ ବୋଲି କୁହାଯାଉଛି । ଏଠାରେ ପୂର୍ବରୁ ଥିବା ବାଘ ଆକାରରେ ବଡ଼ ଓ ବୟସ୍କ । ତେଣୁ ଏହା ଅନ୍ୟଏକ ବାଘ ବୋଲି କୁହାଯାଇଛି । ତେବେ ବଡ଼ମାଳ ଜଙ୍ଗଲରେ ଅଧିକ ବାଘ ଥିଲେକି ବୋଲି ପଚାରିବାରୁ ଡିଏଫଓ ଶ୍ରୀ ଶତପଥୀ କହିଛନ୍ତି, ବଡ଼ମାଳ ଜଙ୍ଗଲ ନିଷିଦ୍ଧାଞ୍ଚଳ ହୋଇଥିବାରୁ ସେଠାରେ ବାଘ ଗଣନା ହୋଇପାରୁ ନାହିଁ । ସେଠାରେ କେତେ ବାଘ ଅଛନ୍ତି ବା ଏହି ବାଘଟି କେଉଁଠୁ ଆସିଛି ତାହା ସ୍ପଷ୍ଟ କହିହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଘଟଣାସ୍ଥଳଟି ସଇଁନ୍ତଳା ରେଞ୍ଜ ଅନ୍ତର୍ଗତ ବର୍ଣ୍ଣି ଜଙ୍ଗଲ ମଧ୍ୟରେ ରହିଥିବାରୁ ପ୍ରାୟ ସମୟରେ ୨ରୁ ୩ଟି କଲରାପତରିଆ ବାଘଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା । ଉକ୍ତ ଅଞ୍ଚଳରେ ତାର ବିଛାଇ ବ୍ୟାପକ ଜନ୍ତୁ ଶିକାର କରାଯାଉଥିବାରୁ ବାଘ ମୃତ୍ୟୁ ପଛରେ ମଧ୍ୟ ଜଙ୍ଗଲ ମାଫିଆଙ୍କ ହାତ ରହିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ବାଘର ମୂଲ୍ୟବାନ ଚର୍ମ, ନଖ, ଦାନ୍ତ, ନିଶ ଭଳି ଅଂଶଗୁଡ଼ିକ ସୁରକ୍ଷିତ ରହିଛି । ତେଣୁ ବାଘଟିର ଶବ ବ୍ୟବଚ୍ଛେଦ ପରେ କାରଣ ସମ୍ପର୍କରେ କୁହାଯାଇପାରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି । ଅପରାହ୍ନରେ ସଇଁନ୍ତଳା, ବଙ୍ଗୋମୁଣ୍ଡା, ଟିଟିଲାଗଡ଼ ଏବଂ ଲୋଇସିଂହାର ପ୍ରାଣୀଧନ ବିଶେଷଜ୍ଞ ଶବ ବ୍ୟବଚ୍ଛେଦ କରିଥିଲେ । ଶବ ପଡ଼ିଥିବା ଜଙ୍ଗଲ ନିକଟରେ ଗାତ ଖୋଳି ବାଘର ମୃତଦେହକୁ ପୋତି ଦିଆଯାଇଛି ।