ଆମ ଓଡ଼ିଶାର ଡେବ୍ରିଗଡ଼ ଏକ ନୂତନ ସଂରକ୍ଷଣ ଉଦାହରଣକୁ ପ୍ରତିନିଧିତ୍ୱ କରୁଥିବାରୁ ବନ୍ୟପ୍ରାଣୀ ସୁରକ୍ଷା, ସମ୍ପ୍ରଦାୟ କଲ୍ୟାଣ ଏବଂ ସ୍ଥାୟୀ ପର୍ଯ୍ୟଟନକୁ ସୁଗମ ଭାବରେ ସମନ୍ୱିତ କରୁଛି। ବିଗତ ଦିନର କିଛି ଘାତ ପ୍ରତିଘାତ ସତ୍ତେ୍ୱ ଆଜି ଦେବ୍ରିଗଡ଼ ଏକ ସଫଳ ବ୍ୟାଘ୍ର ପ୍ରକଳ୍ପର ବିଶ୍ୱାସ ଜନ୍ମେଇ ପାରୁଛି । ଆଶା, ଖୁବ୍ଶୀଘ୍ର ଅନ୍ୟ ରାଜ୍ୟର ବନ୍ୟପ୍ରାଣୀ ନକ୍ସାରେ ଆମ ଓଡ଼ିଶା ମଧ୍ୟ ସ୍ଥାନ ପାଇବ
କୌଣସି ନୂତନ ବ୍ୟାଘ୍ର ପ୍ରକଳ୍ପର ପରିକଳ୍ପନା ପୂର୍ବରୁ କେତୋଟି ମୁଖ୍ୟ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଗଲେ ଏହାର ସଫଳତା ନିଶ୍ଚୟ ଆଶା କରାଯାଇପାରେ। ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟର ମୂଲ୍ୟାଙ୍କନ ସହିତ ବାଘମାନଙ୍କର ଆଚରଣଗତ ଢାଞ୍ଚା ଯଥା- ଖାଦ୍ୟ, ପାଣି ଏବଂ ବାସସ୍ଥାନ ଇତ୍ୟାଦି ଉପରେ ସବିଶେଷ ବିଶ୍ଳେଷଣ କରାଯିବା ଜରୁରି ଅଟେ । ଜଙ୍ଗଲରେ ବଞ୍ଚିବା ପାଇଁ ତିନିଟି ମୌଳିକ ଉପାଦାନ ଆବଶ୍ୟକ ପୂରଣ ପାଇଁ ବାଘମାନଙ୍କୁ ଏପରି ଅଞ୍ଚଳରେ ରହିବା ଆବଶ୍ୟକ, ଯେଉଁଠାରେ ଶିକାରର ସମୃଦ୍ଧ ଉତ୍ସ, ସହଜରେ ସୁଗମ ପାଣି ଏବଂ ନିଜକୁ ଲୁଚାଇବା ପାଇଁ ଉପଯୁକ୍ତ ଆଶ୍ରୟସ୍ଥଳ ଏବଂ ସେମାନଙ୍କ ଛୁଆମାନଙ୍କୁ ପାଳନ କରିବା ପାଇଁ ଏକ ନିରାପଦ ସ୍ଥାନର ମଧ୍ୟ ଆବଶ୍ୟକ ଥାଏ ।
ବାଘମାନେ ବିଭିନ୍ନ ପ୍ରକାର ବାସସ୍ଥାନରେ ରହିପାରନ୍ତି ଏବଂ ସାଧାରଣତଃ ଏଗୁଡ଼ିକ ଚିରହରିତ ଜଙ୍ଗଲ, ମାଙ୍ଗ୍ରୋଭ ସ୍ୱାମ୍ପ, ଟ୍ରପିକାଲ ରେନ ଫରେଷ୍ଟ, ବିସ୍ତୀର୍ଣ୍ଣ ଘାସଭୂମି ଏବଂ ପଥରିଆ ପର୍ବତମାଳାରେ ଦେଖାଯାଆନ୍ତି । ବାଘମାନେ ନିଜସ୍ୱ ଅଞ୍ଚଳ ନାମକ ଏକ ନିର୍ଦ୍ଦିଷ୍ଟ ବାସସ୍ଥାନ ମଧ୍ୟରେ ସେମାନଙ୍କର ଗତିବିଧିକୁ ସୀମିତ ରଖିଥାଆନ୍ତି । ବାଘମାନେ ଛୁଆ ଜନ୍ମ କରିବା ଏବଂ ବଢ଼ିବା ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ବାସସ୍ଥାନ ବ୍ୟବହାର କରନ୍ତି । ସେମାନଙ୍କର ଅଞ୍ଚଳ (ଟେରିଟୋରି) ଭାବରେ ବିବେଚିତ ହେଉଥିବା ଅଞ୍ଚଳଟିର ଏକ ଆକାର କେବଳ ପୁରୁଷ ଏବଂ ମାଈ ବାଘଙ୍କ ସଂଖ୍ୟା ଉପରେ ନୁହେଁ ବରଂ ଶିକାରର ପ୍ରଚୁରତା ଉପରେ ମଧ୍ୟ ନିର୍ଭର କରେ । ଉଦାହରଣ ସ୍ୱରୂପ, ଏକ ବାଘୁଣୀକୁ ୨୦ ବର୍ଗକିଲୋମିଟର ଅଞ୍ଚଳ ଆବଶ୍ୟକ ହୋଇଥିବାବେଳେ ଏକ ପୁରୁଷ ବାଘକୁ ଏକ ବଡ଼ ଅଞ୍ଚଳ ଆବଶ୍ୟକ, ଯେପରିକି ୬୦ରୁ ୧୦୦ ବର୍ଗକିଲୋମିଟର ଅଞ୍ଚଳ ଆବଶ୍ୟକ ହୋଇଥାଏ, କାରଣ ଗୋଟିଏ ପୁରୁଷ ବାଘ ଚାରିରୁ ପାଞ୍ଚଟି ବାଘୁଣୀ ସହିତ ସମ୍ପର୍କ ସ୍ଥାପନ କରିଥାଏ । ବାଘୁଣୀ ଏବଂ ସେମାନଙ୍କ ଶାବକମାନଙ୍କୁ ଛାଡ଼ି ବାଘମାନେ ଏକାକୀ ଜୀବନଯାପନ କରୁଥିବା ପ୍ରାଣୀ (ସଲିଟାରି ଆନିମଲ) ।
ବ୍ୟକ୍ତିଗତ ବାଘ ବଡ଼ ଅଞ୍ଚଳରେ ବିଚରଣ କରନ୍ତି, ଯାହାକୁ ଘର ପରିସର ମଧ୍ୟ କୁହାଯାଏ, ଯାହାର ଆକାର ଖାଦ୍ୟର ଉପଲବ୍ଧତା ଦ୍ୱାରା ନିର୍ଣ୍ଣୟ କରାଯାଏ । ବାଘମାନେ ସେମାନଙ୍କ ଅଞ୍ଚଳରେ ପାଟ୍ରୋଲିଂ କରନ୍ତି, ମଳଗ୍ରନ୍ଥିରୁ ପରିସ୍ରା ଏବଂ ନିର୍ଗତ କ୍ଷରଣ ସହିତ ସେମାନଙ୍କର ଅଞ୍ଚଳକୁ ଚିହ୍ନିତ କରନ୍ତି । ସେମାନେ ସେହି ମଳତ୍ୟାଗକୁ ଗଛରେ ସ୍ପ୍ରେ କରନ୍ତି, ଯାହା ତୀବ୍ର ଗନ୍ଧ ଦିଏ ଯାହାକୁ ଅନ୍ୟ ପ୍ରାଣୀ ଏବଂ ଅନ୍ୟ ସାଥୀମାନେ ଚିହ୍ନଟ କରିପାରିବେ, ଯାହାଦ୍ୱାରା ଅନ୍ୟ ବାଘମାନେ ଜାଣିପାରିବେ ଯେ ସ୍ଥାନଟି ଅଧିକୃତ ଅଟେ । ବାଘ ଅତ୍ୟନ୍ତ କ୍ଷେତ୍ରୀୟ ଅର୍ଥାତ୍ ଗୋଟିଏ ଏକାକୀ ବାସ କରୁଥିବା ପ୍ରାଣୀ, ତେଣୁ ସେମାନେ ଅନ୍ୟ ପ୍ରାଣୀ ଏବଂ ସେମାନଙ୍କ ସ୍ଥାନକୁ ଆକ୍ରମଣ କରୁଥିବା ଅନ୍ୟ ବାଘଙ୍କ ସହିତ ମଧ୍ୟ ଲଢ଼ିଥାଆନ୍ତି । ସାଥୀ ଖୋଜିବା ସମୟରେ କିମ୍ବା ମାଈ ବାଘଙ୍କ କ୍ଷେତ୍ରରେ ଯେତେବେଳେ ସେମାନେ ସେମାନଙ୍କର ସନ୍ତାନମାନଙ୍କର ଯତ୍ନ ନେଉଥାନ୍ତି, ସେମାନଙ୍କୁ କେବଳ ଅନ୍ୟ ବାଘଙ୍କ ସହିତ ଦେଖାଯାଏ। ମାଈ ବାଘମାନଙ୍କର ପୁରୁଷମାନଙ୍କ କ୍ଷେତ୍ର ସହିତ ସମାନ ଅଞ୍ଚଳ ରହିବା ସ୍ୱାଭାବିକ, ଯାହା ଗ୍ରହଣୀୟ ଯେପର୍ଯ୍ୟନ୍ତ ଅନ୍ୟ କୌଣସି ପୁରୁଷ ସେହି ଅଞ୍ଚଳକୁ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି ନାହିଁ ।
ବାଘଟି ଏତେ ଶକ୍ତିଶାଳୀ ଜୀବ ହୋଇଥିଲେ ମଧ୍ୟ ଶିକାର କରିବା ତା’ପକ୍ଷେ କିଛି ସହଜ ହୋଇନଥାଏ, କାରଣ ସେମାନେ ଖୁବ୍ ଦ୍ରୁତଗତିରେ ସ୍ପ୍ରିଣ୍ଟ କରିପାରନ୍ତି ସତ, କିନ୍ତୁ ଦୀର୍ଘ ଦୂରତା ପାଇଁ ହରିଣ ପରି ଦ୍ରୁତ ଶିକାରକୁ ଗୋଡ଼ାଇ ଗୋଡ଼ାଇ ଧରିବା ଅସମ୍ଭବ ହୋଇଥାଏ, ତେଣୁ ନିଜକୁ ଘାସବୁଦା ଉହାଡ଼ରେ ଲୁଚାଇ ଲୁଚାଇ ଯଥେଷ୍ଟ ନିକଟତର ହେବାପାଇଁ ରଣନୀତି ତିଆରି କରି ୩୦ଫୁଟ ଦୂରରୁ ଲମ୍ଫ ମାରି ଶିକାରଟିକୁ ଆୟତ୍ତ କରିଥାଏ । ପ୍ରାୟ ୨୦ଥର ପ୍ରୟାସ କଲାପରେ ମାତ୍ର ଥରୁଟିଏ ଶିକାର ଧରିବାରେ ସଫଳ ହୋଇଥାଏ, ସେଥିପାଇଁ ଶିକାରଟିଏ ଖୁବ୍ ନିକଟରେ ଥିବା ସତ୍ତେ୍ୱ ବି ଅନାବଶ୍ୟକ ଭାବରେ ବାଘଟି ଶିକାର କରିବାକୁ ପ୍ରଚେଷ୍ଟା ମଧ୍ୟ କରେନାହିଁ । ତେଣୁ ପର୍ଯ୍ୟାପ୍ତ ପରିମାଣର ଶିକାର ପଶୁ ଥିବାର ବହୁତ ଆବଶ୍ୟକ ପଡ଼ିଥାଏ ।
ଦ୍ୱିତୀୟରେ ଯେକୌଣସି ବ୍ୟାଘ୍ର ପ୍ରକଳ୍ପର ମୁଖ୍ୟ ପ୍ରତିବନ୍ଧକ ହେଲା ଜଙ୍ଗଲ ଉପରେ ନିର୍ଭରଶୀଳ ଗ୍ରାମବାସୀମାନଙ୍କର ଜଙ୍ଗଲ ମଧ୍ୟକୁ ଅବାଧ ପ୍ରବେଶ କରିବାରେ ବାଘ ଏକ ପ୍ରତିବନ୍ଧକ ହୋଇଥିବାରୁ ସେମାନେ ବ୍ୟାଘ୍ର ପ୍ରକଳ୍ପକୁ ବାରମ୍ବାର ବିରୋଧ କରିଆସୁଛନ୍ତି । ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀଙ୍କର ଅସହଯୋଗ ବାଘ ସଂରକ୍ଷଣ ଦିଗରେ ଆଉ ଏକ ପ୍ରମୁଖ ପ୍ରତିବନ୍ଧକ ଥାଏ । ତେଣୁ କେବଳ ଔପନିବେଶିକ ମାନସିକତା ସହିତ ବନ ବିଭାଗ ନିଜକୁ ଶାସକ ଓ ସ୍ଥାନୀୟ ଲୋକଙ୍କୁ "ପ୍ରଜା' ଭାବରେ ବ୍ୟବହାର କରି ସଂରକ୍ଷଣ କାର୍ଯ୍ୟ ହାସଲ କରାଇବା ସମ୍ଭବ ହୋଇନପାରେ । ତେଣୁ ଜଙ୍ଗଲ ସହିତ ସଂଯୁକ୍ତ ଥିବା ସ୍ଥାନୀୟ ଲୋକଙ୍କୁ ଜଡ଼ିତ କରି ସେମାନଙ୍କ ଆତ୍ମବିଶ୍ୱାସକୁ ନେଇ ସଫଳ ସଂରକ୍ଷଣ କାର୍ଯ୍ୟ କରିହୁଏ । ଦେଶର ସମସ୍ତ ବାଘ ସଫାରୀ ଏହାର ଉଦାହରଣ ଯେକୌଣସି ପ୍ରକଳ୍ପର କାର୍ଯ୍ୟକାରୀ କରିବା ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ସମସ୍ତ ସମ୍ଭାବ୍ୟ କାରଣଗୁଡ଼ିକର ସଠିକ୍ ମୂଲ୍ୟାଙ୍କନ କରାଯିବା ଜରୁରି ସ୍ଥାନୀୟ ସମ୍ପ୍ରଦାୟଙ୍କୁ ଏହି ପ୍ରକଳ୍ପରେ ଜଡ଼ିତ କରାଯାଇ ସେମାନଙ୍କ ମତାମତକୁ ଗୁରୁତ୍ୱ ଦେବା ଦରକାର ।
ବାଘକୁ ଏକ ଆଇକନିକ ପ୍ରଜାତି ଭାବରେ ବ୍ୟବହାର କରି ଲୋକମାନଙ୍କ ସମର୍ଥନରେ ସ୍ଥାନୀୟ ସ୍କୁଲଗୁଡ଼ିକରେ ଏକ ଅଭିଯାନ ଆରମ୍ଭ କରିବା ମଧ୍ୟ ଉଚିତ । ସବୁଠାରୁ ଖୁସିର କଥା ଯେ, ଉପରୋକ୍ତ ସମସ୍ତ ବିଷୟ ଯଥା- ବ୍ୟାଘ୍ର ପ୍ରକଳ୍ପ ପାଇଁ ଯାହାସବୁ ଆବଶ୍ୟକ ଏବଂ ପ୍ରକଳ୍ପ ପାଇଁ ସମ୍ଭାବ୍ୟ ପ୍ରତିବନ୍ଧ ଉପରେ ଅନେକ ସକାରାତ୍ମକ କାର୍ଯ୍ୟକଳାପ ସମ୍ପାଦନ କରିସାରିଛନ୍ତି ବର୍ତ୍ତମାନ ଦାୟିତ୍ୱରେ ଥିବା ଦକ୍ଷ ବନ ଅଧିକାରୀ । ବର୍ତ୍ତମାନ ବିଗତ ପାଞ୍ଚବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି, ଅଭୟାରଣ୍ୟ ଅଞ୍ଚଳର ୭% କ୍ଷେତ୍ର ବିସ୍ତୀର୍ଣ୍ଣ ଘାସ ପଡ଼ିଆରେ (ମିଡୋ) ପରିବର୍ତ୍ତନ କରିସାରିଛନ୍ତି, ଯେଉଁଥିରେ ତୃଣଭୋଜୀ ପ୍ରାଣୀଙ୍କ ଖାଇବା ପାଇଁ ସ୍ୱାଦିଷ୍ଟ ଘାସ ଏବଂ ମାଂସାଶୀ ଓ ତୃଣଭୋଜୀ ପ୍ରାଣୀଙ୍କ ପାଇଁ ଲୁଚିବା/ ଶିକାର କରିବା/ ବାସସ୍ଥାନ ଭାବରେ କାର୍ଯ୍ୟ କରିବା ପାଇଁ ଅନ୍ୟ ଘାସପଡ଼ିଆ ମଧ୍ୟ ପ୍ରସ୍ତୁତ ସରିଛି । ବିଭିନ୍ନ ପ୍ରଜାତି ପ୍ରାଣୀଙ୍କ ପାଇଁ ନିର୍ଦ୍ଦିଷ୍ଟ ବାସସ୍ଥାନ ସୃଷ୍ଟି ସହିତ ବାସସ୍ଥାନ ପରିଚାଳନା ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।
ଅଭୟାରଣ୍ୟର ସଫଳତା ଏକ ଅଭୂତପୂର୍ବ ସାମୁଦାୟିକ ସମ୍ପୃକ୍ତି ଆଭିମୁଖ୍ୟରୁ ଆସିଛି । ୧୫ଲକ୍ଷ କ୍ଷତିପୂରଣ, କୃଷି ଜମି, ପକ୍କାଘର ଏବଂ ଦକ୍ଷତା ବିକାଶ ତାଲିମ ସମେତ ଏକ ବ୍ୟାପକ ପ୍ୟାକେଜ ଅଧୀନରେ ୧୦୦୦ ଲୋକସଂଖ୍ୟା ବିଶିଷ୍ଟ ଚାରିଟି ଗାଆଁ- କୁରୁମକେଲ, ରେଙ୍ଗାଳି, ଭୂତୁଲି ଓ ଲାମ୍ବିପାଲିକୁ ସ୍ୱେଚ୍ଛାକୃତ ଭାବରେ ମୂଳ ଆଭ୍ୟନ୍ତରୀଣ ଅଞ୍ଚଳରୁ ସ୍ଥାନାନ୍ତରିତ କରାଯାଇ ସାରିଛି । ସେହି ପୂର୍ବତନ ବନବାସୀମାନେ ବର୍ତ୍ତମାନ ନୂତନ ଉଦ୍ୟମ ପାଇଁ ମୂଳ ପୁଞ୍ଜି ଭାବରେ ସେମାନଙ୍କର କ୍ଷତିପୂରଣ ଆୟ ବ୍ୟବହାର କରି ଆନନ୍ଦରେ କମ୍ପ୍ୟୁଟର କେନ୍ଦ୍ର, ଗ୍ୟାରେଜ, ଦୋକାନ ଏବଂ ଅନ୍ୟ ବ୍ୟବସାୟ ଚଳାଉଛନ୍ତି । ଏହି ସ୍ଥାନାନ୍ତର ପ୍ରକ୍ରିୟାରେ ୫୦୦ ହେକ୍ଟର ଜଙ୍ଗଲ ଅଞ୍ଚଳକୁ ମାନବ କାର୍ଯ୍ୟକଳାପ ଏବଂ ହସ୍ତକ୍ଷେପରୁ ମୁକ୍ତ କରିଛି, ଯାହାକୁ ସଫଳତାର ସହିତ ସ୍ଥାୟୀ ଘାସଭୂମିରେ ପରିଣତ କରାଯାଇଛି ଯାହା ତୃଣଭୋଜୀ ଜନସଂଖ୍ୟା ପାଇଁ ଗୁରୁତ୍ୱପୂର୍ଣ୍ଣ । ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୫୫ରୁ ଅଧିକ ପାଶ୍ୱର୍ ଗ୍ରାମକୁ ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀରୁ ସଂରକ୍ଷଣ ଅଂଶୀଦାରରେ ପରିଣତ କରାଯାଇଛି । ସଂଲଗ୍ନ ଗ୍ରାମର ଲୋକମାନେ ଆଜି ପର୍ଯ୍ୟଟନ କାର୍ଯ୍ୟକଳାପରେ ସିଧାସଳଖ ନିଯୁକ୍ତି ପାଉଛନ୍ତି । ସେଠିକାର ବନ ବିଭାଗ ସେମାନଙ୍କ ତାଲିମ ଏବଂ କ୍ଷମତା ନିର୍ମାଣ କାର୍ଯ୍ୟକୁ ହାତକୁ ନେଇଛି । ଯେତେବେଳେ ସମ୍ପ୍ରଦାୟଗୁଡ଼ିକ ୧୫ରୁ ଅଧିକ କାର୍ଯ୍ୟକଳାପରେ ପରିଦର୍ଶକ ପରିଚାଳନା କରନ୍ତି, ଯେଉଁଥିରେ ଦ୍ୱୀପ ପରିଦର୍ଶନ, ଜଙ୍ଗଲ ସଫାରି, ପକ୍ଷୀ ଦର୍ଶନ, କାୟାକିଂ, ସାଇକେଲିଂ ଏବଂ ସାଂସ୍କୃତିକ ପର୍ଯ୍ୟଟନ ଅନ୍ତର୍ଭୁକ୍ତ, ସେତେବେଳେ ଜଙ୍ଗଲ ବିଭାଗ ସହିତ ସହଭାଗିତା ପାଇଁ ନିଜକୁ ଗର୍ବିତ ମନେ କରନ୍ତି।
ଆଜି ସେଠାରେ ଗୌର, ସମ୍ବର, ଚିତ୍ରିତ ହରିଣ, ବନ୍ୟ ଘୁଷୁରୀ ଏବଂ ବନ୍ୟ କୁକୁରଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଉଛି । ଚିତାବାଘଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇ ୮୪ରେ ପହଞ୍ଚି ପାରିଛି । ଏହି ପରିବର୍ତ୍ତନକୁ ଅସାଧାରଣ କରୁଥିବା ବିଷୟ ହେଉଛି ଯେ, ବର୍ତ୍ତମାନ ସମସ୍ତ ପଶୁପଲର ୪୦ ପ୍ରତିଶତ ନବଜାତ ଅଛନ୍ତି, ଯେତେବେଳେ ଭାରତୀୟ ଗୌରଙ୍କ ସଂଖ୍ୟା ମାତ୍ର ଛଅ ମାସରେ ୬୭୦ରୁ ୭୦୦ରୁ ଅଧିକ ହୋଇଛି, ଯାହା ଏକ ସମୃଦ୍ଧ ଇକୋସିଷ୍ଟମକୁ ସୂଚିତ କରୁଛି । ତେଣୁ ବାଘ ପାଇଁ ଏହା ନିଶ୍ଚୟ ଏକ ସୁରକ୍ଷିତ ଜଙ୍ଗଲ ଯେଉଁଠି ସମୃଦ୍ଧ ଖାଦ୍ୟ ଉତ୍ସ ସହିତ ସବୁପ୍ରକାର ଆବଶ୍ୟକ ପୂରଣ ହୋଇପାରୁଥିବାରୁ ଦେବ୍ରିଗଡ଼ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ଏକ ଉତ୍କୃଷ୍ଟ ଅଭୟାରଣ୍ୟ ।
୮୦୪ ବର୍ଗକିଲୋମିଟର ପରିବ୍ୟାପ୍ତ ଏହି ଅଭୟାରଣ୍ୟ, ଯାହାକୁ ଜୁଲାଇ ୨୦୨୫ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଅନୁମୋଦନ ମିଳିଛି, ଯାହା ଆଜି ଏକ ଦ୍ୱନ୍ଦ୍ୱପ୍ରବଣ ଅଞ୍ଚଳରୁ ଏକ ସମୃଦ୍ଧ ପରିବେଶରେ ପରିଣତ ହୋଇପାରିଛି । ଆମ ଓଡ଼ିଶାର ଡେବ୍ରିଗଡ଼ ଏକ ନୂତନ ସଂରକ୍ଷଣ ଉଦାହରଣକୁ ପ୍ରତିନିଧିତ୍ୱ କରୁଥିବାରୁ ବନ୍ୟପ୍ରାଣୀ ସୁରକ୍ଷା, ସମ୍ପ୍ରଦାୟ କଲ୍ୟାଣ ଏବଂ ସ୍ଥାୟୀ ପର୍ଯ୍ୟଟନକୁ ସୁଗମ ଭାବରେ ସମନ୍ୱିତ କରୁଛି । ବିଗତ ଦିନର କିଛି ଘାତ ପ୍ରତିଘାତ ସତ୍ତେ୍ୱ ଆଜି ଦେବ୍ରିଗଡ଼ ଏକ ସଫଳ ବ୍ୟାଘ୍ର ପ୍ରକଳ୍ପର ବିଶ୍ୱାସ ଜନ୍ମେଇ ପାରୁଛି । ଆଶା, ଖୁବ୍ଶୀଘ୍ର ଅନ୍ୟ ରାଜ୍ୟର ବନ୍ୟପ୍ରାଣୀ ନକ୍ସାରେ ଆମ ଓଡ଼ିଶା ମଧ୍ୟ ସ୍ଥାନ ପାଇବ ।