ଜୀବନ ନେଲା ଟିକ୍ଟକ୍ ଆପ୍! ଫଟୋ ଭାଇରାଲ୍ ହେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା/ମାର୍ଶାଘାଇ,୨୭ା୫(ଆପ୍ର): ସୋସିଆଲ ମିଡ଼ିଆରେ ଖୁବ୍ ଅଳ୍ପ ଦିନରେ ଲୋକପ୍ରିୟ ହୋଇପଡ଼ିଥିବା ଟିକ୍ଟକ୍ ଆପ୍ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି । ଏହି ଆପ୍ରେ ନିଜ ଫଟୋ ଓ ଭିଡ଼ିଓ ଭାଇରାଲ୍ ହୋଇଥିବା ଜାଣି ମର୍ମାହତ ହୋଇ ଜଣେ ହାଇସ୍କୁଲ ଛାତ୍ରୀ ଜୀବନ ହାରିଥିବା ଅଭିଯୋଗ ହୋଇଛି । ବେକରେ ରଶି ଲଗାଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଗତ ୨୦ ତାରିଖରେ ସେ ଆତ୍ମହତ୍ୟା କରିଥିଲେ । ଝିଅର ଆତ୍ମହତ୍ୟାର କାରଣ ବାବଦରେ ପ୍ରଥମେ ପରିବାର ଲୋକେ ଜାଣିପାରି ନଥିଲେ ବି ପରେ ଏକଥା ଜାଣି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ପୁଲିସ ଡିଜି, କେନ୍ଦ୍ରାପଡ଼ା ଏସ୍ପିଙ୍କ ପାଖକୁ ପତ୍ର ଲେଖି ନ୍ୟାୟ ପାଇଁ ନିବେଦନ କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ମାର୍ଶାଘାଇ ବ୍ଲକ୍ ଅଧୀନ ଏକ ଗ୍ରାମରେ ଏଭଳି ଅଘଟଣ ଘଟିଛି । ସୋସିଆଲ ମିଡ଼ିଆରେ ଉକ୍ତ ହାଇସ୍କୁଲ ଛାତ୍ରୀଙ୍କ ଫଟୋକୁ ଏଡିଟ୍ କରି ଜଣେ ଯୁବକ ସହ ଯୋଡ଼ି ଭାଇରାଲ୍ କରାଯାଇଥିଲା । ଯେଉଁଥିରେ ଜଣେ ଯୁବକ ଉକ୍ତ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବାର ଦୃଶ୍ୟ ରହିଥିଲା । ଏହା ଅଞ୍ଚଳରେ ଚହଳ ପକାଇବା ପରେ ଛାତ୍ରୀ ଜଣକ ଚରମ ପଦକ୍ଷେପ ନେଇ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ଚଳିତ ବର୍ଷ ଛାତ୍ରୀ ଜଣକ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ପରୀକ୍ଷାଫଳ ପ୍ରକାଶନର ପୂର୍ବ ଦିନ ସେ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟାର କାରଣ ସଂପର୍କରେ ପ୍ରଥମେ ପରିବାର ଲୋକେ କିଛି ଜାଣି ପାରି ନଥିଲେ । ମାତ୍ର ଭାଇରାଲ୍ ଭିଡ଼ିଓ ଯୋଗୁଁ ମର୍ମାହତ ହୋଇ ଲଜ୍ଜାବୋଧ କରି ସେ ଆତ୍ମହତ୍ୟା କରିଥିବା ତାଙ୍କ ଭାଇ ପରେ ଜାଣିଥିଲେ ।
ତାଙ୍କ ଭାଇଙ୍କ ଅଭିଯୋଗରୁ ଜଣାପଡିଛି ଯେ, ଭଉଣୀ ହାଇସ୍କୁଲ ବୋର୍ଡ ପରୀକ୍ଷା ଆଗରୁ ଫର୍ମ ଫିଲ୍ଅପ୍ କରିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ପାସ୍ପୋର୍ଟ ଫଟୋ ଗାଁ ପାଖ ଏକ ଷ୍ଟୁଡ଼ିଓରେ ଉଠାଇଥିଲେ । ପରେ ସେ ସେଠାରୁ ଫଟୋ ବି ସଂଗ୍ରହ କରିଥିଲେ । ହେଲେ ପାସ୍ପୋର୍ଟ ଫଟୋ ଉଠାଇବା ବାହାନାରେ ଫଟୋଗ୍ରାଫର ଜଣକ ତାଙ୍କର କିଛି ଫୁଲ୍ ଫଟୋ ଉତ୍ତୋଳନ କରିଥିଲେ । ଯାହା ଜାଣି ପାରି ନଥିଲେ ଛାତ୍ରୀ ଜଣକ । ପରେ ଛାତ୍ରୀ ଜଣକ ଫଟୋ ନେଇ ସେଠାରୁ ପଳାଇ ଆସିବା ପରେ ଫଟୋଗ୍ରାଫର ଯେ କି ତାଙ୍କର ଜଣେ ପଡ଼ୋଶୀ, ଛାତ୍ରୀଙ୍କ ଫଟୋକୁ ଅନ୍ୟ ଜଣେ ଯୁବକଙ୍କ ସହ ଯୋଡ଼ି ଭାଇରାଲ୍ କରିଥିଲେ ।
ଜଣେ ଯୁବକ ଉକ୍ତ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବାର ଏକ ଫଟୋକୁ ଟିକ୍ଟିକ୍ ଆପ୍ ଜରିଆରେ ସଙ୍ଗୀତର ତାଳେତାଳେ ସେଟ୍ କରି ସେ ଭାଇରାଲ କରାଇଥିଲେ । କ୍ରମେ ସୋସିଆଲ୍ ମିଡ଼ିଆରେ ଏହି ଫଟୋ ଭାଇରାଲ୍ ହୋଇ ବୁଲିବା କଥା ଜାଣିବା ପରେ ଛାତ୍ରୀ ଜଣକ ମର୍ମାହତ ହୋଇ ଆତ୍ମହତ୍ୟା କରିଥିଲେ । ଭଉଣୀ ଆତ୍ମହତ୍ୟା କରିଥିବା ସଂକ୍ରାନ୍ତରେ ତାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଭିଡିଓ ଭାଇରାଲ ଯୋଗୁଁ ଭଉଣୀ ଆତ୍ମହତ୍ୟା କରିଥିବା କଥା ଜାଣିବା ପରେ ସେ ଘଟଣା ସଂକ୍ରାନ୍ତରେ ଥାନାରେ ଜଣାଇବା ସହ ଏ ବାବଦରେ କେନ୍ଦ୍ରାପଡ଼ା ଏସ୍ପି, ପୁଲିସ ଡିଜି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇ ତଦନ୍ତ ଦାବି କରିଛନ୍ତି । ଇତିମଧ୍ୟରେ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଅଭିଯୁକ୍ତ, ତାଙ୍କ ସହଯୋଗୀ ଉକ୍ତ ଛାତ୍ରୀଙ୍କ ପରିବାରକୁ ଧମକ ଦେଉଥିବା ଅଭିଯୋଗ ହୋଇଛି ।
ବିଳମ୍ୱରେ ଥାନାରେ ରିପୋର୍ଟ ସହ ମୃତ୍ୟୁର ୮ ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବା ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଛି । ପାଟକୁରା ଆଇଆଇସି ସୁଜିତ ପ୍ରଧାନ କହିଛନ୍ତି, ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଛୁ । ଅଭିଯୁକ୍ତ ଫେରାର ଅଛି, ତାଙ୍କୁ ତୁରନ୍ତ ଧରାଯିବା ଲାଗି ଉଦ୍ୟମ ହେଉଛି । ମୃତା ଛାତ୍ରୀ ମାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।