PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଟାଇମ୍‌ ମାଗାଜିନ୍‌ ରିପୋର୍ଟ: ବିଶ୍ୱର ୫୦ଟି ସର୍ବଶ୍ରେଷ୍ଠ ସ୍ଥାନ ତାଲିକାରେ ମୟୂରଭଞ୍ଜ

ବାରିପଦା,୧୮/୦୩: ସାରା ବିଶ୍ୱରେ ପୁଣିଥରେ ମୟୂରଭଞ୍ଜକୁ ନେଇ ମୟୂରଭଞ୍ଜବାସୀ ଗର୍ବ କରିବାର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜରେ ଥିବା ଶିମିଳିପାଳ, ବିଶ୍ୱବିଖ୍ୟାତ ଛଉନୃତ୍ୟ ଓ ଅନ୍ୟାନ୍ୟ ବହୁ ପ୍ରସଙ୍ଗରେ ମୟୂରଭଞ୍ଜବାସୀ ନିଜକୁ ଗର୍ବିତ ଅନୁଭବ କରୁଥିବା ବେଳେ ଟାଇମ୍‌ ମାଗାଜିନ୍‌ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ପୃଥିବୀର ୫୦ଟି ସର୍ବଶ୍ରେଷ୍ଠ ସ୍ଥାନ ତାଲିକାରେ ମୟୂରଭଞ୍ଜ ସ୍ଥାନ ପାଇବା ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ ପାଲଟିଛି । ଟାଇମ୍‌ ମାଗାଜିନ୍‌ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ବିଶ୍ୱର ଉତ୍କୃଷ୍ଟ ସ୍ଥାନ ତାଲିକାରେ ଭାରତରେ ଥିବା ଓଡ଼ିଶାର ମୟୂରଭଞ୍ଜ ଏକ ଅସାଧାରଣ ସ୍ଥାନ ବୋଲି କୁହାଯାଇଥିବା ବେଳେ ଭାରତର ଲଦାଖ ମଧ୍ୟ ଏହି ତାଲିକାରେ ରହିଛି ।

ଟାଇମ୍‌ ମାଗାଜିନ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମଗ୍ର ପୃଥିବୀରେ ୫୦ଟି ସ୍ଥାନ ପରିଚିହ୍ନିତ ହୋଇଥିବା ବେଳେ ସେଥିରେ ମୟୂରଭଞ୍ଜ ନାଁ ରହିଛି । ରିପୋର୍ଟରେ କୁହାଯାଇଛି ଯେ, ମୟୂରଭଞ୍ଜର ବିଶ୍ୱ ବିଖ୍ୟାତ ଶିମିଳିପାଳ ଜୈବମଣ୍ଡଳ ଏବଂ ଅଭୟାରଣ୍ୟ, ଏଠାକାର ଜୈବବିବିଧତା ସାଙ୍ଗକୁ ଏଠାକାର ବିରଳ କଳାବାଘ ପୁଣି ୟୁନେସ୍କୋ ଦ୍ୱାରା ପରିଚିହ୍ନିତ ବିଶ୍ୱ ବିଖ୍ୟାତ ଛଉନୃତ୍ୟ, ଐତିହାସିକ କଳାକୃତି ସାଙ୍ଗକୁ ପ୍ରତ୍ନତାତ୍ତ୍ୱିକ ବିଭବର ସମ୍ଭାରରେ ଭରପୁର ମନ୍ଦିର କଳା, ପିତ୍ତଳରେ ତିଆରି କରାଯାଉଥିବା ଅସାଧାରଣ କଳାକାରିଗରୀର ନମୁନା (ଢୋକ୍ରା ଶିଳ୍ପ), ସବାଇଘାସର ଶିଳ୍ପ କଳା, ହସ୍ତ ତନ୍ତ ଏମିତି ଅନେକ କିଛି ରହିଥିବା ବେଳେ ବେଲଗଡ଼ିଆ ସ୍ଥିତ ପେଲେସର ମନଲୋଭା ସୌନ୍ଦର୍ଯ୍ୟ ମୟୂରଭଞ୍ଜକୁ ପୃଥିବୀର ସର୍ବଶ୍ରେଷ୍ଠ ସ୍ଥାନର ମର୍ଯ୍ୟାଦା ଦେଇଛି ।

ଟାଇମ୍‌ ମାଗାଜିନ୍‌ରେ ପୃଥିବୀର ୫୦ଟି ସର୍ବଶ୍ରେଷ୍ଠ ସ୍ଥାନ ତାଲିକାରେ ମୟୂରଭଞ୍ଜ ସ୍ଥାନ ପାଇବା ଖବରକୁ ନେଇ ପ୍ରତିଟି ମୟୂରଭଞ୍ଜିଆ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି । ପ୍ରକୃତିରାଣୀ ଶିମିଳିପାଳର ଅବସ୍ଥିତି ମୟୂରଭଞ୍ଜ ପାଇଁ ପ୍ରକୃତିର ଅନବଦ୍ୟ ଦାନ ହୋଇଥିଲା ବେଳେ ପ୍ରତିବର୍ଷ ନଭେମ୍‌ବର ୧ରୁ ଜୁନ୍‌ ୧୫ ଯାଏଁ ଶିମିଳିପାଳକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ସୁଅ ଛୁଟେ । ସେହିପରି ପ୍ରତିବର୍ଷ ଏପ୍ରିଲ୧୧ରୁ ୧୩ତାରିଖ ଯାଏଁ ୩ଦିନ ଧରି ହେଉଥିବା ଚୈତ୍ରପର୍ବରେ ଛଉ ନୃତ୍ୟ ଦେଖିବାକୁ ମଧ୍ୟ ନୃତ୍ୟକଳାପ୍ରିୟ ଦର୍ଶକଙ୍କ ଭିଡ଼ ଲାଗେ । ମୟୂରଭଞ୍ଜର ପ୍ରାକୃତିକ, ଐତିହାସିକ ସାଂସ୍କୃତିକ ତଥା ହସ୍ତକଳାର ବିଭବକୁ ନେଇ ଟାଇମ୍‌ ମାଗାଜିନ୍‌ରେ ପ୍ରକାଶିତ ଏହି ରିପୋର୍ଟ ମୟୂରଭଞ୍ଜକୁ ପୃଥିବୀର ସର୍ବଶ୍ରେଷ୍ଠ ସ୍ଥାନର ମର୍ଯ୍ୟାଦା ଦେଇଥିବା ବେଳେ ସାରା ଜିଲ୍ଲାବାସୀଙ୍କ ମନରେ ପୁଣି ଥରେ ଆନନ୍ଦର ଲହରୀ ଖେଳି ଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମୟୂରଭଞ୍ଜକୁ ଯିଏ ଥରେ ଆସିଛି ଏବଂ ଏଠାକାର ସାଂସ୍କୃତିକ ବିଭବ ସାଙ୍ଗକୁ ପ୍ରାକୃତିକ ଦୃଶ୍ୟରାଜି ତାକୁ ଆକୃଷ୍ଟ କରିଛି । ସେଥିପାଇଁ ଓଲିଉଡର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଏକଦା ତାଙ୍କ ସାକ୍ଷାତକାରରେ ବାରିପଦାକୁ ପୃଥିବୀର ସର୍ବଶ୍ରେଷ୍ଠ ସ୍ଥାନ ବୋଲି ଅବିହିତ କରିଥିଲେ । ତେବେ ଟାଇମ୍‌ ମାଗାଜିନ୍‌ରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜିଲ୍ଲାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି ।