‘ଭାରତମାଳା’ରେ ନିୟୋଜିତ ଟିପ୍ପର ଧକ୍କାରେ ମହିଳା ମୃତ

ଡାବୁଗାଁ /ଉମରକୋଟ /ରାଇଘର ୨୩/୫:-ରାଇପୁରଠାରୁ ବିଶାଖାପାଟଣା ନିର୍ମାଣଧୀନ ଭାରତମାଳା ରାସ୍ତାରେ ମକା ଶୁଖାଉ ଥିବା ସମୟରେ ମହିଳା ଉପରେ ମାଡ଼ିଗଲା ଭାରତମାଳା ଯୋଜନାରେ ନିୟୋଜିତ ହୋଇଥିବା ଟିପ୍ପର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଦେବାଗା ପଂଚାୟତର ସଡ଼କପାରା ଗ୍ରାମରେ । ସୂଚନା ଅନୁଯାୟୀ ଅର୍ଜୁନ ଗଣ୍ଡଙ୍କ ସ୍ତ୍ରୀ ଲଛମତି ଗଣ୍ଡ ଆଜି ସକାଳେ ସକାଳେ ନିଜ ଗାଁ ପାଖ ଡୁମୁରିମୁଣ୍ଡା ଯିବା ରାସ୍ତା ଉପରେ ମକା ଶୁଖାଉଥିଲେ । ଏହି ସମୟରେ ଭାରତ ମାଳାରେ ନିୟୋଜିତ ଟିପ୍ପର ଗାଡ଼ି ନଂ ଓଡି ୦୮ ଏମ ୭୭୯୯ ସେହି ବାଟଦେଇ ଯାଉଥିବା ସମୟରେ ଲଛମତିଙ୍କ ଗୋଡ ଉପରେ ଚଢି ଯାଇଥିଲା । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଲଛମତିକୁ ଉଦ୍ଧାର କରି ଏକ ଗାଡି ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଲଛମତିଙ୍କ ବାମ ଗୋଡଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲଛମତିଙ୍କ ପ୍ରାଥମିକ ଚିକିତ୍ସା ପରେ ଲଛମତି ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ଯାଉଥିବା ସମୟରେ ଡାବୁଗାଁ ନିକଟରେ ଲଛମତି ଅଚେତ ହେବା ଦେଖି ସାଙ୍ଗରେ ନବରଙ୍ଗପୁର ନେଇଯାଇଥିବା ଲୋକେ ରାସ୍ତାରେ ପଡୁଥିବା ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡକ୍ଟର ଲଛମତିକୁ ମୃତ ଘୋଷଣା କରିଥିଲେ । ପ୍ରାପ୍ତ ସୂଚନା ଅନୁଯାଇ ଲଛମତିର ମୃତ୍ୟୁ ଖବର ପାଇଁ ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକେ ଗାଡିକୁ ଭଙ୍ଗାରୁଜା କରିଥିଲେ । ପ୍ରକାଶ ଥାଉକି ଖବର ପାଇଁ ରାଇଘର ପୋଲିସ ,ବ୍ଲକ ଅଧକ୍ଷା ନବୀନା ନାୟକ ,ବ୍ଲକ ସଭାପତି ରଇସିଙ୍ଗ ଗଣ୍ଡ ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ ,ଦେବାଗାଁ ସରପଞ୍ଚ ଚରଣ ଗଣ୍ଡ ,ପୂର୍ବତନ ସରପଞ୍ଚ ସୁବାସ ଗଣ୍ଡ ,ମାନକୁ ଗଣ୍ଡ ,ଜିଲ୍ଲା ପରିଷଦ ନାନାରା ଖରା ,ରାଜେନ୍ଦ୍ର ଗଣ୍ଡ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ପରିବେଶ ଶାନ୍ତ ପଡିଥିଲା । ପରିବାର ତଥା ଗ୍ରାମବାସୀ କ୍ଷତିପୂରଣ ବାବଦକୁ ୧୨ ଲକ୍ଷ ଦାବି କରୁଥିବାବେଳେ ଶେଷରେ ଶୁଦ୍ଧି କାମ ପାଇଁ ୨ ଲକ୍ଷ ଏବଂ ନିୟମ ଅନୁଯାୟୀ ଇନ୍ସୁରାନ୍ସ ତରଫରୁ ମିଳିବ ପ୍ରତିଶୃତି ପରେ ଧାରଣାରୁ ଉଠିଥିଲେ ଗ୍ରାମବାସି । ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ରାଇଘର ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରକାଶ କରିଛନ୍ତି ।