କୋଲକାତା, ୮।୬: ପଶ୍ଚିମବଙ୍ଗ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) କୁ ମିଳିଛି ଏକ ବଡ଼ ସଫଳତା । ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ହିଂସାକାଣ୍ଡ ଘଟାଇ ଦୀର୍ଘ ଦିନ ଧରି ଫେରାର ଥିବା ତୃଣମୂଳ କଂଗ୍ରେସ ନେତା ଜହାଙ୍ଗୀର ଖାନଙ୍କୁ ଏସଟିଏଫ ଗିରଫ କରିଛି । ଭାରତ-ନେପାଳ ସୀମା ନିକଟରୁ ତାଙ୍କୁ କାବୁ କରାଯାଇଥିବା ସୂଚନା ମିଳିଛି । ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଅତ୍ୟନ୍ତ ସ୍ନେହଭାଜନ କୁହାଯାଉଥିବା ଜହାଙ୍ଗୀରଙ୍କ ଗିରଫଦାରୀ ଏବେ ରାଜ୍ୟ ରାଜନୀତିକୁ ଗରମ କରିଦେଇଛି ।
ପୁଲିସକୁ କହିଥିଲେ- "ପୁଷ୍ପା ଝୁକେଗା ନେହିଁ":
ନିର୍ବାଚନ ସମୟରେ ଜାହାଙ୍ଗୀର ଖାନ୍ ନିଜର ଦବଙ୍ଗଗିରି ଏବଂ ବିବାଦୀୟ ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ । ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ଦକ୍ଷ ଆଇପିଏସ୍ ଅଫିସର ଅଜୟପାଲ ଶର୍ମାଙ୍କ ସହ ତାଙ୍କର ତୀବ୍ର ବିବାଦ ହୋଇଥିଲା । ଆଇପିଏସ୍ ଶର୍ମାଙ୍କ କଡ଼ା ଆଭିମୁଖ୍ୟ ପରେ ଜହାଙ୍ଗୀର ଖାନ୍ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଇ କହିଥିଲେ, "ଯଦି ଅଜୟପାଲ ଶର୍ମା ସିଙ୍ଘମ୍, ତେବେ ମୁଁ ହେଉଛି ପୁଷ୍ପା... ପୁଷ୍ପା କେବେ ଝୁକିବ ନାହିଁ ।" ଏହି ବୟାନ ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ତାଙ୍କୁ ‘ଫାଲ୍ଟାର ପୁଷ୍ପା’ ବୋଲି କହିବା ଆରମ୍ଭ କରିଥିଲେ ।
ଇଭିଏମ୍ ଜାଲିଆତି ଅଭିଯୋଗ ଓ ରଦ୍ଦ ହୋଇଥିଲା ନିର୍ବାଚନ:
ଫାଲ୍ଟା ନିର୍ବାଚନ ସମୟରେ ଜହାଙ୍ଗୀର ଖାନଙ୍କ ବିରୋଧରେ ଇଭିଏମ୍ ମେସିନ ସହିତ ଛେଡ଼ଛାଡ଼ କରିବା ଏବଂ ବ୍ୟାପକ ହିଂସା ସୃଷ୍ଟି କରିବା ଭଳି ଗୁରୁତର ଅଭିଯୋଗ ଆସିଥିଲା । ହିଂସା ଏତେ ଉଗ୍ର ରୂପ ନେଇଥିଲା ଯେ ନିର୍ବାଚନ କମିଶନଙ୍କୁ ସେଠାରେ ଭୋଟ୍ ଗ୍ରହଣ ସ୍ଥଗିତ ରଖିବାକୁ ପଡ଼ିଥିଲା ଏବଂ ପରେ ନିର୍ବାଚନକୁ ରଦ୍ଦ କରିଦିଆଯାଇଥିଲା । ଏହାପରେ ମେ ୨୬ ରେ ସେଠାରେ ପୁନଃ ମତଦାନ ହୋଇଥିଲା । ତେବେ ମତଦାନର ଠିକ୍ ଦୁଇ ଦିନ ପୂର୍ବରୁ ଜହାଙ୍ଗୀର ହଠାତ୍ ନିଜକୁ ନିର୍ବାଚନରୁ ଦୂରେଇ ନେଇଥିଲେ । ଏହି ନିଷ୍ପତ୍ତି ପଛରେ ଦଳର ଶୀର୍ଷ ନେତୃତ୍ୱ ବା ଅଭିଷେକ ବାନାର୍ଜୀଙ୍କ ନିର୍ଦ୍ଦେଶ ଥିଲା କି ନାହିଁ, ସେ ନେଇ ସେ ସ୍ପଷ୍ଟ କରିନଥିଲେ । ଅପରପକ୍ଷରେ ଟିଏମସି ଏହାକୁ ଜହାଙ୍ଗୀରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହି ପଲ୍ଲା ଟାଣି ନେଇଥିଲା । ପୁନଃ ମତଦାନରେ ଏହି ଆସନରେ ବିଜେପି ବାଜିମାତ କରିଥିବାବେଳେ ‘ପୁଷ୍ପା’ ଆଖ୍ୟା ପାଇଥିବା ଜହାଙ୍ଗୀର ଚତୁର୍ଥ ସ୍ଥାନକୁ ଖସି ଆସିଥିଲେ, ଯାହାକୁ ନେଇ ଟିଏମସି ଭିତରେ ବେଶ୍ କନ୍ଦଳ ଦେଖାଦେଇଥିଲା ।
ଶୁଭେନ୍ଦୁ ଅଧିକାରୀ ଦେଇଥିଲେ ଓପନ ଚ୍ୟାଲେଞ୍ଜ:
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ଏତେ ବଡ଼ ସଫଳତା ପାଇଥିବା ବେଳେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଫାଲ୍ଟାରେ ଜୋରଦାର ପ୍ରଚାର କରିଥିଲେ । ଏକ ରୋଡ୍ ଶୋ’ ସମୟରେ ସେ ଜହାଙ୍ଗୀରଙ୍କୁ ଟାର୍ଗେଟ କରି କହିଥିଲେ ଯେ, "ଏଥର ଜନତା ‘ପୁଷ୍ପା’ର ଗର୍ବ ଭାଙ୍ଗିବେ ଏବଂ ତାଙ୍କୁ ଉଚିତ ଶିକ୍ଷା ଦେବେ ।" ଶେଷରେ ନିର୍ବାଚନ ଫଳାଫଳରେ ତାହା ହିଁ ଦେଖିବାକୁ ମିଳିଥିଲା ।
ଜହାଙ୍ଗୀରଙ୍କ ନାଁରେ ରହିଛି ଏକାଧିକ ସଙ୍ଗୀନ ମାମଲା:
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜହାଙ୍ଗୀର ଖାନଙ୍କ ବିରୋଧରେ କେବଳ ନିର୍ବାଚନୀ ହିଂସା ନୁହେଁ, ବରଂ ଦାଦାବଟି ମାଗିବା, ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ଭୟଭୀତ କରାଇବା, ରାଜନୈତିକ ଆକ୍ରୋଶମୂଳକ ହିଂସା ଘଟାଇବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ କରିବା ଭଳି ପ୍ରାୟ ୭ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି । ଏହିସବୁ ମାମଲାରେ ପୁଲିସ ତାଙ୍କୁ ଖୋଜୁଥିବା ବେଳେ ସେ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରି ଶେଷରେ ନେପାଳ ଖସିଯିବାକୁ ଯୋଜନା କରୁଥିଲେ । ମାତ୍ର ଏସଟିଏଫ୍ ତାଙ୍କ ସମସ୍ତ ଚାଲ୍କୁ ପଣ୍ଡ କରି ସୀମାନ୍ତ ଅଞ୍ଚଳରୁ ତାଙ୍କୁ କାବୁ କରିବାରେ ସଫଳ ହୋଇଛି । ବର୍ତ୍ତମାନ ତାଙ୍କୁ କୋର୍ଟରେ ହାଜର କରାଯାଇ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି ।
ଆହୁରି ପଢ଼ନ୍ତୁ... INDIA Bloc Meeting: ଆଜି ଦିନ ୧୨ଟାରେ ଇଣ୍ଡି ମେଣ୍ଟର ବୈଠକ, ଯୋଗ ଦେବେ ୨୩ ରାଜନୈତିକ ଦଳ