ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଯୁଦ୍ଧ ସମାପ୍ତ କରିବା ପାଇଁ ପାକିସ୍ତାନର ଶାନ୍ତି ପ୍ରୟାସ ଅପର୍ଯ୍ୟାପ୍ତ ପ୍ରମାଣିତ ହୋଇଛି। ଉଭୟ ପକ୍ଷ ( ଆମେରିକା-ଇରାନ) ପୁଣିଥରେ ପରସ୍ପର ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ଇସଲାମାବାଦରେ ଅନୁଷ୍ଠିତ ଆଲୋଚନା ବିଫଳ ହେବାର ସବୁଠାରୁ ବଡ଼ କାରଣ ଇରାନର ସମୃଦ୍ଧ ୟୁରାନିୟମ ବୋଲି କୁହାଯାଉଛି, ଯାହା କାରଣରୁ ଆମେରିକା ଏବଂ ଇସ୍ରାଏଲ ଭୟ କରୁଛନ୍ତି ଯେ, ତେହେରାନ ପରମାଣୁ ଅସ୍ତ୍ର ତିଆରି କରି ପାରିବ। ଏବେ, ଏହି ଭୟକୁ ଦୂର କରିବା ପାଇଁ ରୁଷ ଏକ ବିଶେଷ ପ୍ରସ୍ତାବ ଦେଇଛି। ସୋମବାର, କ୍ରେମଲିନ ପକ୍ଷରୁ କୁହାଯାଇ ଥିଲା ଯେ, ସେ ଆମେରିକା ସହିତ ଭବିଷ୍ୟତର ଶାନ୍ତି ଚୁକ୍ତିର ଅଂଶ ଭାବରେ ଇରାନର ସମୃଦ୍ଧ ୟୁରାନିୟମକୁ ଗ୍ରହଣ କରିବାକୁ ପ୍ରସ୍ତୁତ।

ଆପଣଙ୍କୁ କହି ରଖୁଛୁ ଯେ, ରୁଷ ପୂର୍ବରୁ ମଧ୍ୟ ଏପରି ପରି ପ୍ରସ୍ତାବ ଦେଇ ସାରିଛି, କିନ୍ତୁ ଟ୍ରମ୍ପ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।

ପଶ୍ଚିମ ଏସିଆର ଯୁଦ୍ଧକୁ ଶାନ୍ତ କରାଇବା ଓ ଇରାନ ସହ ନିଜର ମଜବୁତ ସଂପର୍କର କଥା ଦର୍ଶାଇ କ୍ରେମଲିନ୍ ମୁଖପାତ୍ର ଡିମିତ୍ରୀ ପେସକୋଭ୍ ଏହି ପ୍ରସଙ୍ଗରେ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରପତି ପୁଟିନ୍ ଆମେରିକା ଓ ଆଞ୍ଚଳିକ ନେତାମାନଙ୍କ ସହ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପେସକୋଭ କହିଛନ୍ତି- ରାଷ୍ଟ୍ରପତି ପୁଟିନ୍ ଆମେରିକା ଏବଂ ଆଞ୍ଚଳିକ ଦେଶମାନଙ୍କ ସହ ତାଙ୍କର ଆଲୋଚନାରେ ଏହି ପ୍ରସ୍ତାବ ଉଠାଇ ଥିଲେ । ଉକ୍ତ ପ୍ରସ୍ତାବ ଏବେ ବି ରହିଛି, କିନ୍ତୁ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଉଲ୍ଲେଖନୀୟ ଯେ ରୁଷ ପକ୍ଷରୁ ଏହି ପ୍ରସ୍ତାବ ଏପରି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ନିକଟରେ ଇସଲାମାବାଦରେ ଅନୁଷ୍ଠିତ ହୋଇଥିବା ଆମେରିକା-ଇରାନ ଆଲୋଚନା ବିନା କୌଣସି ଫଳାଫଳରେ ଶେଷ ହୋଇଥିଲା। ଉଭୟ ଦେଶ ପରସ୍ପର ଉପରେ ଭରସା ନ ଦେଖାଇବାର ଅଭିଯୋଗ କରିଥିଲେ।

ଇସଲାମାବାଦରେ ହୋଇଥିବା ଆଲୋଚନା ଫେଲ ହେବା ପରେ, ଆମେରିକା ହର୍ମୁଜ୍ ପ୍ରଣାଳୀକୁ ନେଇ ନୂଆ ନୀତି ଆପଣାଇବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ପକ୍ଷରୁ କୁହାଯାଇଛି ଯେ, ଗୋଟେପଟେ ଇରାନ ଏହି ରାସ୍ତାକୁ ବନ୍ଦ କଲେ , ଅନ୍ୟପଟେ ଆମେରିକା ମଧ୍ୟ ଏହାକୁ ଅବରୋଧ (ନାକାବନ୍ଦୀ) କରିବ। କ୍ରେମଲିନ୍ ଆମେରିକା ପକ୍ଷରୁ ଦିଆଯାଇ ଥିବା ଏହି ସବୁ ଧମକକୁ ସମାଲୋଚନା କରିଛି।