ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ସିରିଜ୍କୁ ଫେରିବ ଭାରତ

ଅକ୍ଲାଣ୍ଡ,୭ା୨(ଏଜେନ୍ସି): ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆସନ୍ତାକାଲି ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜ୍କୁ ଫେରିବାକୁ ହେଲେ ଆସନ୍ତାକାଲି ବିଜୟ ଜରୁରୀ । ପ୍ରଥମ ମ୍ୟାଚ୍ର ପରାଜୟକୁ ଭୁଲି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଭାରତୀୟ ଦଳ ପ୍ରସ୍ତୁତ । ଅନ୍ୟ ପଟରେ ୧-୦ରେ ଅଗ୍ରଣୀ ହାସଲ କରିସାରିଥିବା ଘରୋଇ ଦଳ ଦୃଢ ଆତ୍ମବିଶ୍ୱାସର ସହ ଆସନ୍ତାକାଲି ଗ୍ରାଉଣ୍ଡକୁ ଓହ୍ଲାଇବ ।
ଲୟକୁ ଫେରିଛି ବୋଲିଂ ବିଭାଗ: ପ୍ରଥମ ମ୍ୟାଚ୍ରେ ଭାରତୀୟ ବୋଲରମାନଙ୍କ ପ୍ରଦର୍ଶନ ଦୁର୍ବଳ ରହିଥିଲା । ଭୁବନେଶ୍ୱର କୁମାର ଓ ମହମ୍ମଦ ଖଲିଲଙ୍କୁ ନ୍ୟୁଜିଲାଣ୍ଡର ଦୁଇ ଓପନର ପ୍ରାରମ୍ଭରୁ ଜୋରଦାର ପ୍ରହାର କରିଥିଲେ । ଅନ୍ୟ ବୋଲରମାନେ ମଧ୍ୟ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନଥିଲେ । ଦିନିକିଆ ସିରିଜ୍ରେ ଆଧିପତ୍ୟ ବିସ୍ତାର କରିଥିବା ଭାରତୀୟ ବୋଲିଂ ବିଭାଗ ପ୍ରଥମ ଟି-ଟ୍ୱେଣ୍ଟିରେ ଲୟ ହରାଇ ବସିଥିଲା ।
ଆସନ୍ତାକାଲି ବୋଲରମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିବାକୁ ପଡ଼ିବ । ନଚେତ ନ୍ୟୁଜିଲାଣ୍ଡ ଆଖି ପିଛୁଳାକେ ସିରିଜ୍ କବ୍ଜା କରିନେବ । ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ବିଜୟ ଶଙ୍କର ମଧ୍ୟଭାଗରେ ମାପ ଚୁପ ବୋଲିଂ କରିବା ଜରୁରୀ ।
ଏକାଦଶରେ ପରିବର୍ତ୍ତନ କରିବ ଭାରତ: ଆସନ୍ତାକାଲି ଭାରତ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ଏକ ପ୍ରକାର ନିଶ୍ଚିତ । ପ୍ରଥମ ମ୍ୟାଚ୍ରେ ୮ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇ ରୋହିତ ଖେଳିଥିଲେ । ହେଲେ କେହି ସଫଳ ହୋଇପାରି ନଥିଲେ । ଏଥର ଉଭୟ ବ୍ୟାଟିଂ ବିଭାଗ ଓ ବ୍ୟାଟିଂ କ୍ରମ୍ରେ ପରିବର୍ତ୍ତନ ହେବା ଆଶା କରାଯାଉଛି । ୩ଜଣ ୱିକେଟ୍ କିପରଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରୁ ବାଦ ଦିଆଯାଇପାରେ । ସେହିପରି ଦୁଇ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦେଇ ସେହି ସ୍ଥାନରେ ଅତିରିକ୍ତ ବ୍ୟାଟ୍ସମ୍ୟାନ ଖେଳାଇବାକୁ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତା କରୁଛି । ଯାହା ଫଳରେ ବ୍ୟାଟିଂ ବିଭାଗ ଅଧିକ ସୁଦୃଢ ଓ ଏକାଦଶ ସନ୍ତୁଳିତ ହୋଇପାରିବ ।
ଭାରତର ସାଉଦି ଚିନ୍ତା: ପ୍ରଥମ ମ୍ୟାଚ୍ରେ ଟିମ୍ ସାଇଫର୍ଟ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ତଥାପି ଭାରତୀୟ ଦଳ ତାଙ୍କୁ ନେଇ ଚିନ୍ତିତ ନୁହେଁ । ଅସଲରେ ଅଭିଜ୍ଞ ପେସ୍ ବୋଲର ଟିମ୍ ସାଉଦି ଭାରତୀୟ ଦଳ ପାଇଁ ଆତଙ୍କ ସାଜିଛନ୍ତି । ବଡ଼ ବିଜୟ ଲକ୍ଷ୍ୟ ହାସଲ କରିବା ଭଳି ବ୍ୟାଟିଂ ବିଭାଗ ଭାରତ ନିକଟରେ ରହିଛି । ହେଲେ ସାଉଦିଙ୍କୁ ସାମ୍ନା କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ପ୍ରଥମ ମ୍ୟାଚ୍ରେ ସେ ୩ଟି ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ବ୍ୟାଟ୍ସମ୍ୟାନଙ୍କୁ ସୁହାଇବା ପିଚ୍: ଇଡେନ ପାର୍କ ଗ୍ରାଉଣ୍ଡ୍ ସର୍ବଦା ବ୍ୟାଟ୍ସମ୍ୟାନମାନଙ୍କୁ ସହାୟତା କରିଆସିଛି । ଗତ ବର୍ଷ ଅଷ୍ଟ୍ରେଲିଆ ଏହି ଗ୍ରାଉଣ୍ଡ୍ରେ ୨୪୪ରନ୍ର ବିଶାଳ ଲକ୍ଷ୍ୟର ପିଛା କରି ବିଜୟୀ ହୋଇଥିଲା । ତଥାପି ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । କାରଣ ଏଠାରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୦ଟି ମ୍ୟାଚ୍ ଓ ଦ୍ୱିତୀୟରେ ବ୍ୟାଟି କରିଥିବା ଦଳ ୬ଟି ମ୍ୟାଚ୍ ଜିତିଛନ୍ତି ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ୍, ରିଶବ ପନ୍ତ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ/ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ।
ନ୍ୟୁଜିଲାଣ୍ଡ: କେନ ୱିଲାମସନ(ଅଧିନାୟକ), କଲିନ୍ ମନ୍ରୋ, ଟିମ୍ ସାଇଫର୍ଟ, ରସ ଟେଲର, ଡାରିଲ୍ ମିଚେଲ, ଜିମ୍ମି ନିସମ୍/କଲିନ୍ ଡି ଗ୍ରାଣ୍ଡହୋମ୍, ମିଚେଲ ସାଣ୍ଟନର, ସ୍କଟ୍ କୁଗେଲିନ୍, ଟିମ୍ ସାଉଦି, ଆଇସ ସୋଦ୍ଧି, ଲୋକି ଫର୍ଗୁସନ ।