ଆଜି ତୃତୀୟ ଦିନିକିଆ, ଭାରତର ସିରିଜ୍ ବିଜୟ ଲକ୍ଷ୍ୟ

ରାଞ୍ଚି,୭ା୩(ଏଜେନ୍ସି): ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଖେଳାଯିବ ତୃତୀୟ ଦିନିକିଆ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସାରିବା ପରେ ଭାରତୀୟ ଦଳ ନଜର ଏବେ ସିରିଜ୍ ଉପରେ । ପ୍ରଥମ ଦୁଇଟି ମ୍ୟାଚ୍ରେ କରିଥିବା ଛୋଟ ଛୋଟ ତ୍ରୁଟିକୁ ସୁଧାରି ଭାରତ ଆସନ୍ତାକାଲି ମ୍ୟାଚ୍ରେ ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ପ୍ରଥମ ଦୁଇଟି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଲଢୁଆ ପ୍ରଦର୍ଶନ କରିଥିଲା । ଉଭୟ ମ୍ୟାଚ୍ରେ ଦଳ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା । ଏଥର ଦଳ ପାଇଁ ଶେଷ ସୁଯୋଗ । ନଚେତ ଆଉ ଏକ ସିରିଜ୍ ପରାଜୟର ବୋଝ ମୁଣ୍ଡାଇବ ।
ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବୋଲରମାନେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରି ୯୯ ରନ୍ରେ ଭାରତର ୪ଟି ପ୍ରାରମ୍ଭିକ ୱିକେଟ୍ ଅକ୍ତିଆର କରିଥିଲେ । ଏହାପରେ ବୋଲରମାନେ ଲୟ ହରାଇ ଥିଲେ । ମହେନ୍ଦ୍ର ସିଂ ଧୋନି ଓ କେଦାର ଯାଦବ ୧୪୧ ରନ୍ର ଭାଗିଦାରୀ ଗଠନ କରି ଭାରତକୁ ବିଜୟୀ କରାଇଥିଲେ ।
ନାଗପୁରରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ସହଳ ଉଭୟ ଓପନରଙ୍କୁ ହରାଇଥିଲା । ବିରାଟ କୋହଲି ଶତକ ଅର୍ଜନ କରି ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ଲଢୁଆ ବ୍ୟାଟିଂ କରିଥିଲେ ହେଁ ଶେଷରେ ମାତ୍ର ୮ ରନ୍ରେ ପରାଜିତ ହୋଇଥିଲା । ଭାରତକୁ ତା’ର ଘରୋଇ ଗ୍ରାଉଣ୍ଡରେ ହରାଇବାର କ୍ଷମତା ରଖିଥିବା ଅଷ୍ଟ୍ରେଲିଆ ଉଭୟ ପ୍ରଦର୍ଶନରୁ ପ୍ରମାଣ କରିଦେଇଛି । ତେଣୁ ଭ୍ରମଣକାରୀ ଦଳକୁ ହାଲ୍କା ଭାବେ ନେବା ଭାରତକୁ ଭାରି ପଡ଼ିବ ।
ରୋହିତ ଫର୍ମ ଚିନ୍ତା: ଉପ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ଦଳର ଚିନ୍ତା ବଢିବାରେ ଲାଗିଛି । ଶିଖର ଧାୱନ ମଧ୍ୟ ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି । ହେଲେ ତାଙ୍କ ବିକଳ୍ପ ଭାବେ ଲୋକେଶ ରାହୁଲ ଦଳରେ ରହିଛନ୍ତି । ରୋହିତଙ୍କ ବିକଳ୍ପ ନାହିଁ । ତେଣୁ ସେ ଫର୍ମକୁ ଫେରିବା ଜରୁରୀ । ପ୍ରଥମ ୨ଟି ଯାକ ମ୍ୟାଚ୍ରେ ସେ ଦାୟିତ୍ୱହୀନ ସଟ୍ ଖେଳି ଆଉଟ୍ ହୋଇଛନ୍ତି । ତେଣୁ ତାଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବା ପାଇଁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ଧୋନିଙ୍କ ଉପରେ ନଜର: ଆସନ୍ତାକାଲି ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପ୍ରଥମତଃ ସେ ଘରୋଇ ଗ୍ରାଉଣ୍ଡ୍ରେ ଖେଳିବେ । ଆଜି ଅଭ୍ୟାସ ବେଳେ ହଜାର ହଜାର ଦର୍ଶକ ଧୋନିଙ୍କ ବ୍ୟାଟିଂ ଦେଖିଥିଲେ । ହୁଏତ ବିଶ୍ୱକପ୍ ପରେ ସେ ଅବସର ନେଇପାରନ୍ତି । ତେଣୁ ରାଞ୍ଚିରେ ସେ କ୍ୟାରିୟର୍ର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି ବୋଲି କହିଲେ ଭୁଲ୍ ହେବ ନାହିଁ । ଆସନ୍ତାକାଲି କେବଳ ତାଙ୍କୁ ଦେଖିବା ପାଇଁ ଦର୍ଶକ ଗ୍ୟାଲେରୀ ପୂର୍ଣ୍ଣ ହୋଇଯିବ ।
କମିନ୍ସଙ୍କ ଘାତକ ସୁଇଂ: ଦ୍ୱିତୀୟ ଦିନିକିଆରେ ପ୍ୟାଟ୍ରିକ୍ କମିନ୍ସ ଘଣ୍ଟା ପ୍ରତି ୧୪୫ କିଲୋ ମିଟର ବେଗରେ ବୋଲିଂ କରିବା ସହ ଉଭୟ ପଟେ ବଲ୍କୁ ସୁଇଂ କରାଇଥିଲେ । ରୋହିତ ତାଙ୍କ ବଲ୍କୁ ବଝି ନପାରି ଥାର୍ଡ ମ୍ୟାନ୍ ଅଞ୍ଚଳରେ କ୍ୟାଚ୍ ଆଉଟ୍ ହୋଇଥିଲେ । ରାଞ୍ଚି ପିଚ୍ ମନ୍ଥର ରହିବା ନିଶ୍ଚିତ । ତଥାପି କମିନ୍ସ ଏଠାରେ ଘାତକ ସାବ୍ୟସ୍ତ ହେବେ ।
ଏକାଦଶରେ ଭୁବନେଶ୍ୱର: ଭାରତର ପ୍ରମୁଖ ପେସ୍ ବୋଲର ଭୁବନେଶ୍ୱର କୁମାର ଆସନ୍ତାକାଲି ବୋଲିଂ ବିଭାଗ ସମ୍ଭାଳିବେ । ପ୍ରଥମ ୨ଟି ମ୍ୟାଚ୍ରେ ତାଙ୍କୁ ସୁଯୋଗ ମିଳି ନଥିଲା । ଆସନ୍ତାକାଲି ମହମ୍ମଦ ସାମିଙ୍କୁ ବିଶ୍ରାମ ଦେଇ ଭୁବନେଶ୍ୱରଙ୍କୁ ଖେଳାଇବାକୁ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରୁଛି । ଫଳରେ ଭୁବି ଓ ଫିଞ୍ଚଙ୍କ ମଧ୍ୟରେ ଆସନ୍ତାକାଲି ଜୋରଦାର ଲଢେଇ ହେବ । ଭୁବନେଶ୍ୱର ଅଷ୍ଟ୍ରେଲିଆ ଗସ୍ତ ସମୟରେ ଫିଞ୍ଚଙ୍କୁ ବାରମ୍ବାର ଆଉଟ୍ କରିଥିଲେ ।